Thursday, May 9, 2024
Homeଚର୍ଚ୍ଚାଆଜ ଦେଖିଲିରେ ନବୀନ ବୟସୀବାଳା

ଆଜ ଦେଖିଲିରେ ନବୀନ ବୟସୀବାଳା

ଗୋଟେ କୁଆଁରୀ ଝିଅର ଦେହର ବାସ୍ନା ପୁରୁଷକୁ ଯେତେ ଉତେଜିତ କରିପାରେ ପୃଥିବୀର ସବୁ ଫୁଲକୁ ଏକାଠି କରିଦେଲେ ଯେଉଁବାସ୍ନା ବାହାରିବ ସେ ବାସ୍ନା ପୁରୁଷର ଦେହ ଏବଂ ମନକୁ ସେତେବେଶି ଉତେଜିତ କରି ପାରିବ ନାହିଁ !
ତେଣୁ ନାରୀ ନଥିଲେ ପୃଥିବୀକୁ ଯେତେ ବସନ୍ତ ଋତୁ ଆସିଲେ ହେଁ ଏ ପୃଥିବୀ ଏତେ ଶୋଭାବନ୍ତ ଏବଂ ମଧୁମୟ ଲାଗନ୍ତା ନାହିଁ । ବର୍ଷାଋତୁରେ ବିରହକୁ କେହି ଉପଲବ୍ଧି କରି ଜାଣନ୍ତା ନାହିଁ । ଏବଂ ମହାମିଳନର ମଜା ଅନେକ ଦୁରେ ରହିଯାଆନ୍ତା ।
ଆଧୁନିକ ଦାର୍ଶନିକ ତଥା ସାହିତ୍ୟର ଜଣେ ସମାଲୋଚକ ପ୍ରଫେସର ଆଦିକନ୍ଦ ସାହୁ କହନ୍ତି ଯେ ନାରୀର ପ୍ରତିଟି ଭଙ୍ଗୀ ପୁରୁଷକୁ ଆମନ୍ତ୍ରଣ । ସୁନ୍ଦରୀ ନାରୀର ଅଙ୍ଗଭଙ୍ଗୀ ପୁରୁଷକୁ କାମନା ପଇଁ କେବଳ ଶିହରିତ କରେ ନାହିଁ । ବରଂ କର୍ମ ଚଂଚଳ ହେବାପାଇଁ କ୍ରିୟାଶୀଳ କରାଏ । ପୁରୁଷର ମନ ଓ ଆତ୍ମା ଭିତରେ ସୃଜନଶୀଳ ଚିନ୍ତାଧାରାର ସ୍ଫୁରଣ ଘଟାଏ । ରୂପସୀ ନାରୀ ସବୁ ସମୟରେ ସୌନ୍ଦର‌୍ୟ୍ୟର ଆଧାର । ନାରୀକୁ ସୃଷ୍ଟିକରି ଈଶ୍ୱର ପୁରୁଷକୁ କୃତଜ୍ଞ କରିଛନ୍ତି ।


ଏ ବ୍ରହ୍ମାଣ୍ଡର ଯେ କୌଣସି ଜଣେ ରୁପବତୀ ଏବଂ ସ୍ୱାସ୍ଥ୍ୟବତୀ ଯୁବତୀ ସେ ଯେତେ କଳିହୁଣ୍ଡୀ ହୋଇଥାଉ ପଛକେ ନାରୀର ଗୋଟେ କୋମଳ ଅନ୍ତର ଥାଏ । ସେଇ କୋମଳ ଅନ୍ତରକୁ କେବଳ ପ୍ରେମ-କାଙ୍ଗାଳ ସୌନ୍ଦର‌୍ୟ୍ୟ ପିପାସୁ ନାଗରମାନେ ନିରୀକ୍ଷଣ କରିପାରନ୍ତି । ନାରୀର ସେଇ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଲାଳିତ୍ୟକୁ ଅନୁଭବକରି ପ୍ରେମିକ ପୁରୁଷମାନେ ଭାବଦଗ୍ଦ ହୋଇ ଭାବି ପାରନ୍ତି – “ଆଜ ଦେଖିଲିରେ ନବୀନ ବୟସୀବାଳା , ପାଇଥାନ୍ତି ଯେବେ ସେ ଚନ୍ଦ୍ରବଦନୀ କରିଥାନ୍ତି ଗଳାମାଳା । ” ଯାହା ପ୍ରେମର ସୁଲତାନ ଉପେନ୍ଦ୍ରଭଂଜ ସ୍ୱତଃସ୍ଫୁର୍ତ ଭାବରେ କହିଛନ୍ତି ।


ପ୍ରେମ ଓ ଭଲପାଇବାକୁ ପଛରେ ଛାଡିଦେଇ ଜଣେ ଯେତେ ଆଗରେ ଅଛି ଭାବିଲେ ହେଁ ସେ ବହୁତ ପଛରେ ରହିଥାଏ । ସେ ଜାଣି ନଥାଏ ଜୀବନର ସ୍ୱାଦ ,ବଂଚିବାର ସ୍ୱାଦ । ସେଥିପାଇଁ ମଣିଷ ଉଦାସ ଏବଂ ବିଷଣ୍ଣତାରୁ ମୁକ୍ତି ପାଇବା ଲାଗି ସଙ୍ଗୀତ ଶୁଣେ । ସଙ୍ଗୀତ କହିଲେ ଆଉ କଣ କି , ନାରୀର ରୂପ ଏବଂ ସୌନ୍ଦର‌୍ୟ୍ୟକୁ ସ୍ମୃତିକୁ ଆଣିବା । ଗୀତରେ ଯାହା ଲେଖା ହୋଇଥାଉ ପଛକେ ସେଇ ସଂଗୀତର ମାଧୁର‌୍ୟ୍ୟ ହିଁ ନାରୀର ପ୍ରେମ ଭଳି ।
ଦାର୍ଶନିକ ଉଷୋ କହୁଥିଲେ ସୁନ୍ଦରୀ ନାରୀ ବୁଦ୍ଧିମତୀ ନଥାନ୍ତି । ଏବଂ ବୁଦ୍ଧିମତୀ ନାରୀ ସୁନ୍ଦରୀ ନଥାନ୍ତି । ସୁନ୍ଦରୀ ନାରୀର ସୌନ୍ଦର‌୍ୟ୍ୟ ହିଁ ତାର ସବୁ ପ୍ରକାର ଯୋଗ୍ୟତା । ଆଦିକବି ଶାରଳା ଦାସ ତତ୍କାଳୀନ ଭାରତର ସ୍ୱପ୍ନ ସୁନ୍ଦରୀ ଦ୍ରୌପଦୀଙ୍କ ରୂପ ବର୍ଣନା କଳାବେଳେ ସ୍ୱୟମ୍ଭର ସଭାରେ କହୁଛନ୍ତି ରୁପସୀ ନାରୀ ପାଇଁ ତାର ରୂପ ହିଁ ଯଥେଷ୍ଟ ଏବଂ ସବୁ କିଛି । ତା’ପାଇଁ ଆଉ କୌଣସି ଧାତବ ଅଳଂକାରର ଆବଶ୍ୟକତା ନାହିଁ ।


ଋଷିକବି ବାଲ୍ମିକୀ ମଧ୍ୟ ସୀତାଙ୍କୁ ବର୍ଣନା କଳାବେଳକୁ ଗୋଳାପ ଫୁଲ ସହ ତୁଳନାକରି ତାଙ୍କ ପ୍ରେମିକ ହୃଦୟର ପରିଚୟ ଦେଇଛନ୍ତି । ଜଣେ ମନ୍ତ୍ର ଉଚ୍ଚାରଣ କରୁଥିବା ଋଷି ହୋଇଥାଉ କି ଖଡ୍ଗ ଧରି ଯୁଦ୍ଧ କରୁଥିବା ବୀର, ରୂପସୀ ନାରୀର ଲାଳିତ୍ୟର ସୁଷମାକୁ ଆଡେଇ ଦେଇ ଯାଇପାରେ ନାହିଁ । ଏ ବଂଚିବା ତ ’ସେଇଥି ପାଇଁ ! ଦୁନିଆଁରେ ନାରୀ ନଥିଲେ ପ୍ରେମକୁ କିଏ ବୁଝନ୍ତା ? ଫୁଲ ଏତେ ସୌନ୍ଦର‌୍ୟ୍ୟ କହି ପ୍ରଜାପତିକୁ କିଏ ଈଷ୍ୟ।।ର୍ କରନ୍ତି । ପକ୍ଷୀର କାକଳି ନଦୀ ଏବଂ ଝରଣା ,ଶାଗୁଆ ପତ୍ର, ନୀଳ ରଙ୍ଗ ମାଖିଥିବା ଥୁନ୍ଟା ପାହାଡ ଏତେ ସବୁ ସୌନ୍ଦ୍ର୍କୁ କିଏ ବା କାହିଁକି କିପରି ଉପଲବ୍ଧି କରନ୍ତା ?
ଜୀବନକୁ ଉପଭୋଗ କରିବାର ମସ୍ତ ତରିକା ସୌନ୍ଦର‌୍ୟ୍ୟକୁ ପର‌୍ୟ୍ୟବେକ୍ଷଣ କରିବା । କବି ଉପେନ୍ଦ୍ରଭଂଜ ସାରା ଦୁନିଆଁର ମଣିଷକୁ ଠିକ ଏଇ ସନ୍ଦେଶ ଦେଇଛନ୍ତି ।


ଯିଏ ଦେଖି ଜାଣେ ନାହିଁ ସେ କପଟୀ ଏବଂ ଅହଂକାରୀ । ସେ ସଂକୀର୍ଣମନା । ଏ ପ୍ରକାର ଅଧମ ଏବଂ ଅଯୋଗ୍ୟଲୋକ ସୁନ୍ଦରତାରେ କଳଙ୍କ ଲଗାନ୍ତି । ଯିଏ ଦେଖି ଜାଣେ ନାହିଁ ସେ ଭାବିୁ ଜାଣେ ନାହିଁ । ସେ ଶିଖି ନଥାଏ କି ଜାଣି ନଥାଏ ଜୀବନ ବଂଚିବାର ତରିକା
ଉପରୋକ୍ତ ଦାର୍ଶନିକ ଶୀଯୁକ୍ତ ସାହୁଙ୍କ ମତରେ ଗୋଟିଏ ନାରୀ ଗୋଟିଏ ପୁରୁଷରେ ସନ୍ତୁଷ୍ଟ ନୁହେଁ କି ଗୋଟିଏ ପୁରୁଷ ଗୋଟିଏ ନାରୀରେ ସନ୍ତୁଷ୍ଟ ନୁହେଁ । ଗୋଟିଏ ନାରୀର ମନ ଭିତରେ ଏକାଧିକ ପୁରୁଷ ଥାନ୍ତି ଏବଂ ଗୋଟିଏ ପୁରୁଷର ମନ ଭିତରେ ଏକାଧିକ ନାରୀ ଥାନ୍ତି । କିନ୍ତୁ କାହାକୁ ପ୍ରାପ୍ତିର ସୁ ଯୋଗ ମିଳେ କାହାକୁ ମିଳେ ନାହିଁ ।


ଭଲପାଇବାରେ ଚାରିଗୋଟି ବିଷୟ ରହିବା ଅନୁଚିତ !ଗୋଟେ ହେଲା ପ୍ରତ୍ୟାଶା, ଆରଟିହେଲା ଲୋଭ ଏବଂ ପରବର୍ତି ଦୁଇଟି ଉପାଦାନ ହେଲା ଅଧିକାର ଏବଂ ଅଙ୍ଗୀକାର । ଯେଉଁମାନେ ଉକ୍ତ ବିଷୟରୁ ମନକୁ ହଟେଇ ଊର୍ଦ୍ଧମୁଖୀ ହୋଇ ପାରନ୍ତ,ି ସେମାନେ ସୁନ୍ଦରକୁ ଅବଲୋକନ କରି ପାରନ୍ତି । ସେମାନେ ସଂପର୍କ ଗଢିବା ପାଇଁ ଯୋଗ୍ୟ ହେ।।ଇ ପାରନ୍ତି । ସେମାନେ ସାମର୍ଥ୍ୟ ହୋଇ ପାରନ୍ତି ସ୍ନେହ ପାଇବାର ।
ଏକଥା ନୂଆକଥା ନୁହେଁ ଯେ – ପ୍ରାପ୍ତିରେ ବି’ ଦୁଃଖଥାଏ ଏବଂ ଅପ୍ରାପ୍ତିରେ ବି ’ ଦୁଃଖଥାଏ ଭରପୂର ! ବରଂ ବେଳେବେଳେ ପାଇବାର ଆନନ୍ଦଠାରୁ ନପାଇବାର ଆନନ୍ଦ ନିଆରା ।ଏଇ ଅନୁଭୂତି ମଣିଷକୁ ଈଶ୍ୱରାଭିମୁଖୀ କରାଏ । ସୃଜନସିକ୍ତ କରେ । କରେ ବ’ି କବି , ବୀର ଏବଂ ଦାର୍ଶନିକ । ତେଣୁ ପୃଥିବୀର ପ୍ରଥମ ସ୍ଥିତିବାଦୀ ଦାର୍ଶନିକ ସୋରେନ କିର୍କେଗାର୍ଡ ପାଇ ମଧ୍ୟ ହରେଇ ଦେଇ ଅଜସ୍ର ଦୁଃଖକୁ ବରଣ କରି ନେଇଥିଲେ । ପ୍ରାପ୍ତି ନୁହେଁ ,ପ୍ରାପ୍ତିର ପ୍ରୟାସରେ ପ୍ରେମଥାଏ । । ଯେ କୋଣସି ଜିନିଷର ମହତ୍ୱ ପାଇବା ପୂର୍ବରୁ ଏବଂ ପରେ ଜଣେ ଉପଲବ୍ଧି କରିପାରେ ।


କେହି ଜଣେ ଦାର୍ଶନିକଙ୍କ ମତରେ ଜଣେ ପୁରୁଷ ଏପୃଥିବୀର ସବୁ ନାରୀଙ୍କ ଗହଣରେ ବେଶ ଖୁସିରେ ରହିପାରିବ ,ସେ ଖାଲି ସେମାନଙ୍କୁ ଭଲ ନପାଇଲେ ହେଲା ! ତେଣୁ ଚତୁର ପ୍ରେମିକ ପ୍ରାପ୍ତି ଲାଗି ଗୋଡାଏ ନାହିଁ , ସେ ପାଇବା ଲାଗି ପ୍ରତୀକ୍ଷା କରେ ନାହିଁ । ସେ ଖାଲି ଝୁରି ହେଉଥାଏା ଭାଳି ହେଉଥାଏ । ଏ ସଂପର୍କକୁ ନେଇ ମଣିଷ ଓ ପଶୁ ଭିତରେ ଏଇତ ତଫାତ ! ମଣିଷ ଅପେକ୍ଷା ପଶୁର ପ୍ରଜନନ କ୍ଷମତା ଅଧିକ ଥିବା ସତ୍ୱେ ପଶୁ ମଣିଷ ଭଳିଝୁରି ହେଇଜାଣେ ନାହିଁ । ସ୍ୱପ୍ନ ଦେଖିବା ଶିଖି ପାରେ ନାହିଁ ।
ଆଧୁନିକ ମଣିଷ ଏତେ ବ୍ୟସ୍ତ ,ଏବଂ ବିବ୍ରତ ଯେ ସୌନ୍ଦ୍ର‌୍ୟ୍ୟକୁ ସର୍ନ୍ଦଶନ କରିବା ପାଇଁ ତା’ ପାଖରେ ଧୈର‌୍ୟ୍ୟ ,ମନ ଏବଂ ସମୟ ନାହିଁ । ଆଧୁନିକ ମଣିଷ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ନାଆଁରେ ପଙ୍ଗୁ ଓ ଅର୍ଥବ ପାଲଟି ଯାଇଛି ।
ମଣିଷ ଏଠି ଅନ୍ୟର ଦୋଷ ଦେଖି ପାରେ । ଅନ୍ୟର ହସ ଦେଖିପାରେ ନାହିଁ । ତେଣୁ ମଣିଷ ନିଜର ଦୁଃଖରେ ସେତେ ଦୁଃଖୀ ହୋଇ ପାରେ ନାହିଁ , । ଅନ୍ୟର ସୁଖ ଦେଖିଲେ ଯେତେ ଦୁଃଖୀ ହେଇଯାଏ ।


ଜଣେ ମହାନ ଲେଖକ ଭର୍ତୃହରିଙ୍କ ଭାବନାନୁସାରେ ଜଙ୍ଗଲର ଶୋଭା ସର୍ନ୍ଦଶନ କରିବା ଏବଂ ଉଚ୍ଚସ୍ତନା ନାରୀର ପ୍ରଣୟ ପାଇବା ଶେଷ୍ଠ ପୁରୁଷାର୍ଥ ! ଏଠି କିନ୍ତୁ ଦେହର କଥା ନାହିଁ । ଅଛି କେବଳ ସୌନ୍ଦର‌୍ୟ୍ୟ ପାଇଁ ଅବଲୋକନ । ଜଣେ ନାରୀ ହୋଇଥାଉ କି ପୁରୁଷ ଗୋଟେ ମନୋରମ ଜିନିଷକୁ କିଏ ପାଇବା ଲାଗି ଅଭିଳାଷୀ ହୁଏ ? ଯା’ର ଅନ୍ତର ପ୍ରେମ ଓ ସୌନ୍ଦର‌୍ୟ୍ୟରେ ପରିପୂର୍ଣ । ଯା’ର ଅନ୍ତର ଅନ୍ଧାର ସଦୃଶ କାଳିମାମୟସେ କେବେ ଜହ୍ନରାତିର ଅପରୂପ ସୁଷମାକୁ ଅବଲୋକନ କରିପାରେ ନାହିଁ । ଜଣେ ଅହଂକାରୀ ଏବଂ ପରଶ୍ରୀକାତର ମଣିଷ ଶୋଭାକୁ ,ସୁନ୍ଦରତାକୁ ଅନୁଭବ କରିଜାଣେ ନାହିଁ ।
ନାରୀ ସହ ସଂପର୍କ ରଖିଥିବା ସବୁ ଲୋକଙ୍କୁ ପ୍ରେମିକ କୁହାଯାଏ ନାହିଁ । କାହାକୁ ପ୍ରବଂଚକ, କାହାକୁ କାମୁକ ,କାହାକୁ ହିଂସ୍ର , କାହାକୁ ପ୍ରେମିକ ,ଏବଂ କାହାକୁ ସ୍ୱାମୀ କୁହାଯାଏ କାହିଁକି ? ତାର ମୁଖ୍ୟ କାରଣ ହେଲା -ପାଇ ନଜାଣିବାର ପ୍ରକ୍ରିୟା । ଦେଖିବାର ଦୋଷ ବା ଭାବନାରେ ବିଭ୍ରାନ୍ତି । ନାରୀକୁ ଯେଉଁ ପରୁଷ ପ୍ରତ୍ୟୟ ଦେଇପାରେ ସେ ନାରୀ ପାଇଁ ଭରସା ଯୋଗ୍ୟ ହୋଇପାରେ । ସେ ପ୍ରେମ ଏବଂ ଭଲପାଇବା ଲାଗି ଯୋଗ୍ୟ ବନିପାରେ । ଜଣେ ପରୁଷ ନାରୀକୁ ନିଛାଟିଆଜାଗାରେ ପାଇଛି ଭାବିତାକୁ ଯଦି ପ୍ରାପ୍ତ କରିବା ଲାଗି ବଳାକ୍ତାର କରିବ ସେ ପ୍ରକାର ପୁରୁଷ ନାରୀର ପ୍ରେମ ଏବଂ ସ୍ନେହ କିଛିହେଲେ ଲାଭ କରିପାରିବ ନାହିଁ । ସୁତରାଂ ପ୍ରେମିକ ବର୍ଷବର୍ଷ ଧରି ନୀରବ ରହେ ,ପ୍ରେମିକାର ବିରୁଦ୍ଧାଚରଣ କରେ ନାହିଁ ।


ଗୋଟେ କୁଆଁରୀ ଯୁବତୀ ହୋଇଥାଉ କି ହୋଇଥାଉ ବିବାହିତା ଦୂରରୁ ନାରୀ ଭାରୀ ସୁନ୍ଦର ଲାଗେ । ଏକଥା ନାରୀ ବି’ ସ୍ୱୀକାର କରେ । ପ୍ରାପ୍ତିରେ ତାର ମଜା ମଉଳିଯାଏ । ତେଣୁ ଜଣେ ଅନୁଭବୀ କହିଛନ୍ତି –“ଦେଲେ ଧରା କଥାସରେ ମଜାଥାଏ ଦୂରେଦୂରେ । ”
ଏପୃଥିବୀର ସବୁ ନାରୀ ସୁନ୍ଦର ,ସେ ଖାଲି ନିଜର ସ୍ତ୍ରୀ ହୋଇ ନଥିଲେ ହେଲା ।ଏକଥା ବି ଜଣେ ସୂକ୍ଷ୍ମ ଅନୁଭବୀ ଚିନ୍ତା ନାୟକ କହିଛନ୍ତି । ତେଣୁ ନାରୀର ସୌନ୍ଦର‌୍ୟ୍ୟକୁ ମନଇଛା ଉପଭୋଗ କରାଯାଉ ,କିନ୍ତୁ ତାର ସ୍ୱାଭିମାନ ଏବଂ ସତୀତ୍ୱପାଇଁ ବିପଦ ସୃଷ୍ଟି କରାନଯାଉ ।


ଯିଏ ସତରେ ପ୍ରେମିକ ସେ ନାରୀକୁ ବଦନାମ କରିଛାଡିଦିଏ ନାହିଁ । ଏହା କଦାପି ପ୍ରେମିକତା ନୁହେଁ କି ନୁହେଁ ବି’ ପୁରୁଷାର୍ଥ । ଯିଏ ବଗିଚାରେ ବିଚରଣ କରିନାହିଁ ସେ କେମିତି ଫୁଲର ମହତ୍ୱକୁ ବୁଝି ପାରିବ ? ତେଣୁ ପ୍ରେମିକ ପ୍ରତିଶୃତି ଦିଏ ନାହିଁ । ପ୍ରତିଶୃତି ସେମାନେ ହିଁ ଦିଅନ୍ତି ଯେଉଁମାନେ ତାହା ପାଳନ କରିବାର ମାନସିକତାରେ ନଥାନ୍ତି ।
ସବୁ ଯୁଗରେ କବି ଓ ପ୍ରେମିକମାନେ ସୁନ୍ଦରକୁ ଦେଖି ପାରନ୍ତି । । ଅନ୍ୟଥା ଏବ୍ରହ୍ମାଣ୍ଡର ଧୂର୍ତ ଓ ମୂଢମାନେ ସେଥିପାଇଁ ଈଶ୍ୱରଙ୍କ ଅସ୍ତିତ୍ୱକୁ ଉପଲବ୍ଧି କରି ପାରନ୍ତି ନାହିଁ ।


ଉପେନ୍ଦ୍ର ଭଂଜକ କେବଳ ଏକ ରୂପସୀ ନବୀନା ତରୁଣୀକୁ ଦେଖି ନାହାଁନ୍ତି , ପୃଥିବୀର ଭରପୂର ସୌନ୍ଦର‌୍ୟ୍ୟକୁ ଆଖି ପୂରେଇ ଦେଖିବା ଲାଗି ଅନ୍ୟମାନଙ୍କୁ ପ୍ରାର୍ଥନା କରିଛନ୍ତି । ଡେଙ୍ଗା ଜୋତାମାଡି ହାତରେ ଭ୍ୟାନିଟି ବେଗ ଧରି ଅଫିସ ଯାଉଥିବା ନାରୀର ସୌନ୍ଦର‌୍ୟ୍ୟକୁ କ୍ୱଚିତ ବର୍ଣନା କରାଯାଏ ବା କରାଯାଏ ନାହିଁ । ବର୍ଣନା କରାଯାଏ କେବଳ ତାର ବ୍ୟସ୍ତତାକୁ । କିନ୍ତୁ କାଖରେ କଳସୀ ନେଇ ପୋଖରୀରୁ ତାର ବସାକୁ ପ୍ରତ୍ୟାବର୍ତନ କରୁଥିବା ସଦ୍ୟସ୍ନାତା ନାରୀକୁ ଆକଣ୍ଠ ବର୍ଣନା କରାଯାଏ । ତାର ସୌନ୍ଦର‌୍ୟ୍ୟକୁ ,ତାର ମାଧୁର‌୍ୟ୍ୟକୁ । ତାର ବ୍ୟସ୍ତତାକୁ ନୁହେଁ କି ତାର ଗାରିମାକୁ ନୁହେଁ । ବର୍ଣନା କରାଯାଏ ତାର ଲାବଣ୍ୟକୁ ,ତାର ଅକପଟ ସରଳ ଅନ୍ତରକୁ । ଏହି ପାର୍ଥକ୍ୟ ପ୍ରେମିକ କବିମାନେ ଦେଖି ପାରନ୍ତି , ଯେଉଁମାନେ ହିସାବ ନିକାଶର ବହୁ ଊଧ୍ୱର୍ରେ ।
ଜଣେ ସ୍ୱାମୀ ଯେପରି ତା’ ପତ୍ନୀର ଅନୁପସ୍ଥିତିରେ ତାକୁ ଭାବି ହେବାଟାକୁ ତପସ୍ୟା ବୋଲି ସ୍ୱୀକାର କରାଯାଇଛି ,ସ୍ୱାମୀ ପତ୍ନୀ ସହ ଅଶ୍ଳୀଳ କଥାହେବାର ପ୍ରସଙ୍ଗକୁ ମନ୍ତ୍ର ଉଚ୍ଚାରଣ ଭଳି ପବିତ୍ର ବୋଲି ଜଣେ ଦାର୍ଶନିକ ସ୍ୱୀକାର କରିଛନ୍ତି । ପ୍ରେମିକମାନେ ସ୍ୱାମୀ ହୋଇ ପାରନ୍ତି ନାହିଁ । କିନ୍ତୁ ସ୍ୱାମୀମାନେ ଯଦି ପ୍ରେମିକ ସାଜି ପାରନ୍ତି ସେଠି “ଚନ୍ଦ୍ରବଦନୀ ଗଳାମାଳା” ପାଲଟି ଯାଏ । ସେଥିପାଇଁ କୁହାଯାଏ ଦାଂପତ୍ୟ ଜୀବନକୁ ସଫଳ କରିବା ପାଇଁ ବାରମ୍ବାର ପ୍ରେମରେ ପଡିବା ଜରୁରୀ ।


କୌଣସି ରୂପସୀ ନାରୀକୁ ଦେଖିଲେ ବେଳେବେଳେ ଏମିତି ଲାଗେ ଯଦି ଭଗବାନ ନାରୀକୁ ସୃଷ୍ଟି କରି ନଥାନ୍ତେ ଏ ବ୍ରହ୍ମାଣ୍ଡ ଅପୂର୍ଣ ହୋଇ ରହିଯାଇଥାନ୍ତା । ତେଣୁ ନାରୀକୁ ସମ୍ମାନକରିବା ,ତାର ସୌନ୍ଦର‌୍ୟ୍ୟକୁ ଉପଭୋଗ କରିବା ଏବଂ ତା’ର ଭଲପାଇବାକୁ ଅନୁଭବ କରିବା ଜଣେ ପ୍ରେମିକ ଅନ୍ତରର ପରିଚୟ । ଏହି ମାନସିକତା ଯେଉଁ ମାନଙ୍କର ଥାଏ ସେମାନେ ସତରେ ସୌନ୍ଦର‌୍ୟ୍ୟର ଉପାସକ । ନାରୀର ରୂପକୁ ନୀରବରେ ଅବଲୋକନ କରୁଥିବା ଜଣେ ତପସ୍ୱୀ !!
ମାଆର ହୃଦୟକୁ ଯେମିତି ଭଗବାନ ଏକ ଭିନ୍ନ ଉପାଦାନରେ ଗଢିଛନ୍ତି ଏ ପୃଥିବୀର ସବୁ ଲାବଣ୍ୟବତୀଙ୍କ ଦେହକୁ ଈଶ୍ୱର ସେଭଳି ଏକ ଭିନ୍ନ ଉପାଦାନରେ ନିର୍ମାଣ କରିଛନ୍ତି । ତେଣୁ ନାରୀବିନା ପୁରୁଷ ସଂପୂର୍ଣ ଶୂନ୍ୟ ଏବ ଅସହାୟ ।

(ଏହା ଲେଖକଙ୍କ ନିଜସ୍ୱ ମତ ଅଟେ )

ଅଧ୍ୟାପକ ବିପିନ ମହାନନ୍ଦ

ବିକାଶ କଲେଜ, ଶାସନ, ସଂବଲପୁର

Email: [email protected]

ମୋବାଇଲ ନଂ ୮୬୫୮୭ ୩୪୬୭୦


RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments