Monday, May 20, 2024
Homeବାର୍ଷିକ ଆୟ ବିବରଣୀ ଦେବେ ସରକାରୀ ଚାକିରିଆ, ସ୍ୱଚ୍ଛତା ରହିବ କେତେ?
Array

ବାର୍ଷିକ ଆୟ ବିବରଣୀ ଦେବେ ସରକାରୀ ଚାକିରିଆ, ସ୍ୱଚ୍ଛତା ରହିବ କେତେ?

ଭୁବନେଶ୍ୱର: ନିଜର କର୍ମଚାରୀ  ଓ  ଜନପ୍ରତିନଧିଙ୍କ ଉପରେ ରାଜ୍ୟ ସରକାର ସଂଦେହ କରୁଛନ୍ତି? ନିଜର କର୍ମଚାରୀ ଓ ଜନପ୍ରତିନିଧିମାନେ କେତେ ଟଙ୍କା ଦରମା ଓ ଭତ୍ତା ପାଉଛନ୍ତି? ସେମାନଙ୍କର ଜୀବନ ଶୈଳୀ କିଭଳି ସ୍ତରରେ ରହିବା ଦରକାର ଓ କେମିତି ଦିନ କାଟୁଛନ୍ତି? ସେମାନେ ନିଜର ପେଶା ବ୍ୟତୀତ ଆଉ କେଉଁଠୁ ଅର୍ଥ ରାଶି ଯୋଗାଡ଼ କରୁଛନ୍ତି। ଏସବୁ ନେଇ ସରକାର ନିଜର କର୍ମଚାରୀଙ୍କ ବିଷୟରେ ତଥ୍ୟ ଜାଣିବାକୁ ଚାହୁଛନ୍ତି। ସେଥିପାଇଁ ସରକାରୀ ଚାକିରିଆ ଓ ଜନପ୍ରତିନିଧିଙ୍କୁ  ସରକାର ବାର୍ଷିକ ବିବରଣୀ ଦେବାକୁ ଏବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ସାଧାରଣ ପ୍ରଶାସନ ବିଭାଗ।

ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥି ଲାଗି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଣିକି ସମସ୍ତ ବର୍ଗର ସରକାରୀ ଚାକିରିଆ ଓ ଜନପ୍ରତିନିଧି ସେମାନଙ୍କର ବାର୍ଷିକ ଆୟର ବିବରଣୀ ପ୍ରଦାନ କରିବେ। ଏହି ବିବରଣୀରେ ଯେପରି ତ୍ରୁଟି ନରୁହେ, ସେଥିପ୍ରତି ମଧ୍ୟ ସତର୍କ ରହିବାକୁ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏଠାରେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ସରକାରୀ କର୍ମଚାରୀଙ୍କ ବାର୍ଷିକ ଆୟ କେତେ ତାହା କ’ଣ ସରକାର ଜାଣି ନାହାନ୍ତି କି? ଜନପ୍ରତିନିଧିମାନେ କିପରି ନିଜର ସଂପତ୍ତିକୁ ବଢ଼ାଉଛନ୍ତି, ସେହି ଖବର କ’ଣ ସରକାରଙ୍କ ପାଖରେ ନାହିଁ? କେବଳ ନିଜର ସଚ୍ଚୋଟ୍ଟତାକୁ ଲୋକଙ୍କ ଆଗରେ ଉପସ୍ଥାପନା କରିବା ପାଇଁ ଏହା ଏକ ବାହାନା କୁହାଯାଇପାରିବ । ସରକାର ନିଜର କର୍ମଚାରୀମାନେ ନିଜ କାମ ପ୍ରତି କେତେ ତତ୍ପର ଅଛନ୍ତି, ସେ ଦିଗରେ କାମ କଲେ ଜନସାଧାରଣ ଅଧିକ ଉପକୃତ ହୋଇପାରନ୍ତେ ।

ଭଲ ପଦକ୍ଷେପ

ସରକାରୀ ଚାକିରିଆ ଓ ଜନପ୍ରତିନିଧି ସେମାନଙ୍କର ବାର୍ଷିକ ଆୟର ବିବରଣୀ ପ୍ରକାଶ କରିବା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଯେତେବେଳେ ନିଜର ବାର୍ଷିକ ଆୟ ବିବରଣୀ ସରକାରଙ୍କ ଆଗରେ ଉପସ୍ଥାପନ କରୁଛନ୍ତି ଏଥିରେ କେତେ ସତ୍ୟତା ପରିପ୍ରକାଶ କରୁଛନ୍ତି, ତାହା ହିଁ ହେଉଛି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟର ପ୍ରତ୍ୟେକ ସରକାରୀ ଚାକିରିଆ ସେମାନଙ୍କର ଆୟ ଓ ବର୍ତ୍ତମାନର ସଂପତ୍ତି ଦର୍ଶାଇ ପାରିବେ କି? ପୁଣି ସେମାନେ ଚାକିରି ଆରମ୍ଭ କରିବା ସମୟରେ ଆର୍ଥିକ ସ୍ଥିତି କିଭଳି ଥିଲା ଓ ବର୍ତ୍ତମାନ କେତେ ପରିମାଣରେ ପରିବର୍ତ୍ତନ ହୋଇଛନ୍ତି।

ରାଜ୍ୟରେ ବଢୁଛି ଦୁର୍ନୀତି

ରାଜ୍ୟରେ ଦୁର୍ନୀତିର ସୀମା ଟପିଛି। ସରକାରୀ ବାବୁ ମାନେ ଦରମାରେ ସନ୍ତୁଷ୍ଟ ନୁହଁନ୍ତି। ସେମାନଙ୍କୁ ଉପରିଆ ଟଙ୍କା ମଧ୍ୟ ଦରକାର। ୨୦୨୧ ମସିହା ଦେଢ଼ ମାସ ପୁରି ନଥିବା ବେଳେ ଏହାରି ମଧ୍ୟରେ ପ୍ରାୟ ୩୦ ଜଣ ସରକାରୀ ଚାକିରିଆ ଭିଜିଲାନ୍ସ ବିଭାଗର ହାତରେ ଧରାପଡ଼ିଛନ୍ତି। ଜାନୁଆରୀ ମାସରେ ୨୦ରୁ ଅଧିକ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବେଳେ ଫେବ୍ରୁଆରୀ ମାସରେ ଏହି ସଂଖ୍ୟା ୬ ହୋଇଛି। ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡ଼ି ଜେଲ ଯାଉଥିବା କର୍ମଚାରୀମାନଙ୍କ ଠାରୁ ଅନ୍ୟମାନେ କିଛି ଶିକ୍ଷା ପାଇପାରୁ ନାହାନ୍ତି।

ଭଲ କର୍ମଚାରୀଙ୍କୁ ମିଳୁ ପଦୋନ୍ନତି

ସରକାର ଯଦି ନିଜର କର୍ମଚାରୀଙ୍କ ବାର୍ଷିକ ଆୟ କଥା ଜାଣିବାକୁ ଚାହାନ୍ତି, ତା’ହେଲେ ଭିଜିଲାନ୍ସ ବିଭାଗ ଦ୍ୱାରା ଆକାଳନ କରାଇପାରିଲେ ସଠିକ ତଥ୍ୟ ମଧ୍ୟ ଆସିପାରନ୍ତା। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଘରକୁ ଯାଇ ସଂପତ୍ତି ଆକଳନ କରିପାରିଲେ ପ୍ରକୃତ ପକ୍ଷେ ସେମାନେ କିପରି ଅର୍ଥ ରୋଜଗାର କରୁଛନ୍ତି, ତାହା ପଦାକୁ ଅସିପାରନ୍ତା। ଯଦି ଆୟ ଅନୁସାରେ ସଂପତ୍ତି ଅଧିକ ରହୁଛି, ତା’ହେଲେ ସେମାନେ ନିଶ୍ଚିତ ଭାବରେ ନିଜର ଗୁରୁ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବେ। କିନ୍ତୁ ଆୟ ଅନୁସାରେ ସଂପତ୍ତି ନଥିଲେ ସେହି କର୍ମଚାରୀଙ୍କୁ ପଦୋନ୍ନତି ଓ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଗଲେ ମଧ୍ୟ ଭଲ ହୋଇପାରନ୍ତା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments