Monday, May 20, 2024
Homeବିହାରରେ କେତେଦିନ ଜେଡିୟୁ-ଆରଜେଡି ସରକାର?
Array

ବିହାରରେ କେତେଦିନ ଜେଡିୟୁ-ଆରଜେଡି ସରକାର?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସହ ସଂପର୍କ ଭାଙ୍ଗିବା ପରେ ଜନତା ଦଳ ୟୁନାଇଟେଡ( ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଶି ବିହାରରେ ମେଣ୍ଟ ସରକାର ଗଢ଼ିଛନ୍ତି। ନୀତୀଶଙ୍କ ମେଣ୍ଟ ସରକାରକୁ ଅନ୍ୟ ଛୋଟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଦେଇଛନ୍ତି। ଆରଜେଡି ସହ ମେଣ୍ଟ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଆଗକୁ ଦେଖିବାକୁ ରହିଲା ଯେ, ନୀତୀଶ-ତେଜସ୍ବୀଙ୍କ ମେଣ୍ଟ ସରକାର କେତେଦିନ ଚାଲୁଛି?

ବିହାରରେ ମେଣ୍ଟ ସରକାରକୁ ଦେଶରେ ଜୋରଦାର ଚର୍ଚ୍ଚା ହେଉଛି ଏବଂ ଏହା ହେବାର ମଧ୍ୟ ଯଥାର୍ଥ ରହିଛି। କାରଣ ଜେଡିୟୁ ଓ ଆରଜେଡି ମେଣ୍ଟରେ ସରକାର ଗଢ଼ିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏହି ୨ଟି ଦଳ ମିଶି ସରକାର ଗଢ଼ିଥିଲେ। କିନ୍ତୁ ଏହି ମେଣ୍ଟ ସରକାର ସୁଦୀର୍ଘ ହୋଇ ନଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ କରିଥିଲେ। ମେଣ୍ଟ ସରକାରରେ ସରକାର ୨୦୨୨ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ବିଜେପି-ମେଣ୍ଟ ଭିତରେ ମତାନ୍ତର ଯୋଗୁଁ ମେଣ୍ଟ ଭାଙ୍ଗିଯିବା ପରେ ତେଜସ୍ବୀ ଯାଦବଙ୍କୁ ନେଇ ନୀତୀଶ କୁମାର ପୁଣି ଥରେ ସରକାର ଗଢ଼ିଛନ୍ତି।

୨୦୨୪ରେ ବଦଳିବ ବିହାର ରାଜନୀତି

ବିହାର ରାଜନୀତିରେ ନୀତୀଶ କୁମାର ଜଣେ ଚର୍ଚ୍ଚିତ ଚେହେରା। ବର୍ତ୍ତମାନ ପରିପ୍ରେକ୍ଷୀରେ ତେଜସ୍ବୀ ଯାଦବଙ୍କୁ ମଧ୍ୟ ରାଜ୍ୟବାସୀ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟିର ସ୍ଥିତି ବିହାରରେ ମଜବୁତ ଅଛି। ବିଜେପି ମେଣ୍ଟ ସହିତ ଥିବାରୁ ବିହାରର ଜନତା ଜେଡିୟୁକୁ ମଧ୍ୟ ସମର୍ଥନ କରୁଥିଲେ। ତେବେ ନୀତୀଶ କୁମାର ମଝିରେ ମଝିରେ ନାଟକୀୟ ଭାବେ ଦଳ ବଦଳାଉଥିବାରୁ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଗ୍ରହଣ କରିବେ କି ନାହିଁ, ତାହା ସମୟ କହିବ।

ନୀତୀଶ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ

ରାଜ୍ୟପାଳ ଫାଗୁ ଚୌହାନ ରାଜଭବନରେ ବୁଧବାର ଉଭୟ ନୀତୀଶ କୁମାର ଓ ତେଜସ୍ବୀ ଯାଦବଙ୍କୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ନୀତୀଶ କୁମାର ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ୨୨ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ନଭେମ୍ବର ୨ରେ ଦ୍ବିତୀୟ ଥର, ୨୦୧୦ ନଭେମ୍ବର ୩ରେ ତୃତୀୟ ଥର, ୨୦୧୫ ଫେବ୍ରୁଆରୀ ୪ରେ ଚତୁର୍ଥ ଥର, ୨୦୧୫ ନଭେମ୍ବର ୫ରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବର ୭ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ।

ପଲଟୁରାମ ନୀତୀଶ କୁମାର

ଜାତୀୟ ରାଜନୀତିରେ ନୀତୀଶ କୁମାରଙ୍କୁ ପଲଟୁରାମ କୁହାଯାଇଥାଏ। ଏହି ଉକ୍ତିଟି ଏବେ ସ୍ପଷ୍ଟ ହୋଇଛି। ସାମାଜିକ ଗଣମାଧ୍ୟମରେ ଲୋକେ ନୀତୀଶ କୁମାରଙ୍କୁ ନେଇ କଟୁ କଥା ମଧ୍ୟ କହିଛନ୍ତି। ଏବେ କିନ୍ତୁ ଜଣାପଡୁଛି ଯେ, ନୀତୀଶଙ୍କୁ ବୁଝିବା ସହଜ ନୁହେଁ। କାରଣ ସେ ୫ ବର୍ଷ ପୂର୍ବରୁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ପୁଣି ଥରେ ବିଜେପିର ହାତ ଧରିଥିଲେ। ମାତ୍ର ସେ ପୁଣି ଥରେ ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ଚିନ୍ତାଧାରା କାରଣରୁ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ନୀତୀଶ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁନାହିଁ। ମୁଁ ସମସ୍ତ ବିରୋଧୀ ଦଳଙ୍କୁ ଏହା କହିବାକୁ ଚାହେଁ ଯେ ସେମାନେ ୨୦୨୪ପାଇଁ ଏକଜୁଟ ହେବା ଉଚିତ୍।

ବିଜେପିକୁ ଛାଡୁଛନ୍ତି ସହଯୋଗୀ?

କେନ୍ଦ୍ରରେ ବିଜେପି ଶକ୍ତିଶାଳୀ ହେଉଥିବା ବେଳେ ବିଗତ ୩ ବର୍ଷ ମଧ୍ୟରେ ୩ଟି ଦଳ ଏନଡିଏରେ ଥିବା ଦଳ ଗୁଡିକ ହାତ ଛାଡିଦେଉଛନ୍ତି। ପ୍ରଥମେ ଶିବସେନା, ପରେ ଅକାଳୀ ଦଳ ଆଉ ବର୍ତ୍ତମାନ ଜେଡିୟୁ, ବିଜେପି ସହ ହାତ ଛାଡ଼ିଛନ୍ତି। ସେହିପରି ବିଗତ ୯ ବର୍ଷ ମଧ୍ୟରେ ଜେଡିୟୁ ଦ୍ୱିତୀୟ ଥର ପାଇଁ ଏନଡିଏରୁ ଅଲଗା ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇ କେନ୍ଦ୍ରରେ ସରକାର ଗଠନ କରିଥିଲା। ତେବେ ମାତ୍ର ୧୮ ମାସ ଭିତରେ ଦୁଇ ପୁରୁଣା ସହଯୋଗୀ ଶିବସେନା ଓ ଅକାଳୀ ଦଳ ଏନଡିଏର ହାତ ଛାଡିଦେଇଥିଲୋ  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments