Monday, May 20, 2024
Homeବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର, ରାଜଭବନ
Array

ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର, ରାଜଭବନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ମୁଖ୍ୟସ୍ଥଳୀରେ ଅକ୍ଟୋବର ୭ ତାରିଖ ଅପରାହ୍ନ ସମୟରେ ବିସ୍ଫୋରଣ ଘଟିଛି । ରାଜଭବନ ପାଚେରୀ ଠାରୁ ମାତ୍ର ୫୦ ମିଟର ଦୂରରେ ଅର୍ଥାତ ମୁଖ୍ୟ ରାସ୍ତାର କଡ଼ରେ ଥିବା ପେଟ୍ରୋଲ ପମ୍ପରେ ଅପରାହ୍ନ ଠିକ ୧ଟା ୨୦ ସମୟରେ ପେଟ୍ରୋଲ ଟାଙ୍କିରେ ଛିଡ଼ା ହୋଇଥିବା ଏଲପିଜି ଟାଙ୍କି ବିସ୍ଫୋରଣ ହୋଇଛି । ବିସ୍ଫୋରଣର ମାତ୍ରା ଭୟଙ୍କର ଥିଲା । ପ୍ରାୟ ୧୦ କିଲୋମିଟର ପରିଧି ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣାଯାଇଥିଲା । ଯେଉଁମାନେ ଏହାକୁ ଶୁଣିଥିଲେ କହୁଥିଲେ ଏହା ଭୂମିକମ୍ପ ଅଥବା ବୋମା ବିସ୍ଫୋରଣ । ସେହିପରି ଆଉ କେହି କେହି କହୁଥିଲେ ବଜ୍ରପାତ ହୋଇଛି ।

ମୁଖ୍ୟ ସ୍ଥାନକୁ ଯୋଡ଼ିଛି ପେଟ୍ରୋଲ ପମ୍ପର ରାସ୍ତା
ସୂର୍ଯ୍ୟନଗରସ୍ଥିତ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ କିଛି ଲୋକ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରୁଥିବା ବେଳେ ଆହୁରି କିଛି ଲୋକ ଲାଇନରେ ଛିଡ଼ା ହୋଇଥିଲେ । ସେହିପରି ରାସ୍ତାରେ ଶତାଧିକ ଲୋକ ଯିବା ଆସିବା କରୁଥିଲେ । ରାଜଧାନୀ ବଡ଼ ହାଟ କୁହାଯାଉଥିବା ୟୁନଟି-୧, ୟୁନିଟ, କ୍ୟାପିଟାଲ ହସ୍‌ପିଟାଲକୁ ପେଟ୍ରୋଲ ପମ୍ପ ସମ୍ମୁଖ ଦେଇ ଏହି ରାସ୍ତା ଯାଇଥିବାରୁ ପ୍ରାୟତଃ ସବୁବେଳେ ଲୋକ ଯିବାଆସିବା କରିବା ସାଧାରଣ କଥା ।

୨୦୦ ଫୁଟ ଉପରକୁ ଉଠିଥଲା ନିଆଁ
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଏଲପିଜି ଟାଙ୍କି ବିସ୍ଫୋରଣ ପରେ ନିଆଁ ଜଳି ଉଠିଥିଲା । ପ୍ରାୟ ୨୦୦ ଫୁଟ ଯାଏଁ ଅଗ୍ନିଶିଖା ଉଠିଥିଲା । ପ୍ରାୟ ୫ କିଲୋମିଟର ଦୂରରୁ ଲୋକେ ନିଆଁ ଓ ଧୂଆଁ ଦେଖିବାକୁ ପାଇଥିଲେ । ଭାଗ୍ୟ ଭଲ ବଡ଼ ଦୁର୍ଘଟଣା ଘଟି ନାହିଁ । ନହେଲେ ଯେ, ଭୁବନେଶ୍ୱର ଓ ରାଜଭବନର ସ୍ଥିତି କ’ଣ ହୋଇଥାନ୍ତା । ରାଜଭବନର ମୁଖ୍ୟ କୋଠା ପେଟ୍ରୋଲ ପମ୍ପ ଠାରୁ ଅତି ବେଶୀରେ ୫୦୦ ମିଟର ଦୂର ହେବ । ତେଣୁ ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ଥିଲା ।

ଜଣେ ମୃତ, ଅନ୍ୟ ଜଣେ ଯୁବକ ଗୁରୁତର
ବିସ୍ଫୋରଣର ଶିକାର ହୋଇଥିବା ଗଂଜାମ ଜିଲ୍ଲାର ଆସିକା ଅଂଚଳର ରଘୁନାଥନଗର ପଲ୍ଲୀ ନିବାସୀ ସତ୍ୟ ନାୟକ (୩୭)ଙ୍କର ଗୁରୁବାର ସକାଳୁ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଲଖନଉ ରିପୁ ଦାମନ (୩୨)ଙ୍କୁ ଟ୍ରାମା କେୟାରରେ ଭର୍ତ୍ତି କରାଯାଇଛି । ଏମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସକଟାପନ୍ନ ହେବାରୁ ପରେ ସେମାନଙ୍କୁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାରେ ଆହୁରି ପ୍ରାୟ ୩୦ ଜଣ ଆହତ ହୋଇଥିବା କୁହାଯାଉଛି ।

ରାସ୍ତାରୁ କ୍ଷତବିକ୍ଷତ ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର
ବିସ୍ଫୋରଣ ପରେ ରାସ୍ତାରୁ ମାଂସ, ଖପୁରି, ହାତ ଆଙ୍ଗୁଠି ମିଳିଛି । କିନ୍ତି ସେଗୁଡ଼ିକ କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ଚା’ ଦୋକାନ ରହିଛି । ଘଟଣା ସମୟରେ ସେଠାରେ କିଛି ଲୋକ ବସିଥିଲେ ବୋଲି ଚର୍ଚ୍ଚା ହେଉଛି । ସେମାନଙ୍କର ନିଖୋଜ ସଂପର୍କରେ ମଧ୍ୟ ଅଭିଯୋଗ ଆସି ନାହିଁ । ଅନ୍ୟପକ୍ଷରେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ଯେଉଁ ୨ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ରାସ୍ତାରେ ପଡ଼ିଥିବା ଅଙ୍ଗପ୍ରତ୍ୟଙ୍ଗ ସେମାନଙ୍କର ନୁହେଁ, ତାହା ସ୍ପଷ୍ଟ ହୋଇଛି । ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ତଦନ୍ତ ନିର୍ଦ୍ଦେଶ
ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଦନ୍ତ ଆଦେଶ ଦେଇଥିବା ବେଳେ ଭୁବନେଶ୍ୱର ପୋଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୋଲିସ କ୍ୟାପିଟାଲ ଥଶନାରେ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅବହେଳା ଯୋଗୁଁ ଦୁର୍ଘଟଣା
ଅବହେଳା ଯୋଗୁଁ ପେଟ୍ରୋଲ ପମ୍ପରେ ଦୁର୍ଘଟଣା ଘଟିଛି ବୋଲି ବୁଦ୍ଧିଜୀବୀମାନେ ମଦ ଦେଉଛନ୍ତି । ପେଟ୍ରୋଲ ପମ୍ପରେ ପ୍ରତି ୫ ବର୍ଷରେ ସ୍ଥିତି ଜାଣିବା ପାଇଁ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହାଇଡ୍ରୋ ଟେଷ୍ଟ ହେବା କଥା । କିନ୍ତୁ ଏଥର କରୋନା ଆଳରେ କରାଯାଇ ନଥିଲା । ହାଇଡ୍ରୋ ଟେଷ୍ଟ କରାଯାଇ ନଥିବା ବେଳେ ନାଇଟ୍ରୋଜେନ ପୂରାଇ ବିପଦକୁ ଡକାଯାଇଥିଲା ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରେ ନାହିଁ ଟ୍ୟାଙ୍କର ବ୍ୟବସ୍ଥା
ଦୁର୍ଘଟଣା ପରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ, ଡିଜେଲ ଓ ସିଏନଜି କାଢ଼ିବା ପାଇଁ ବାଲେଶ୍ୱରରୁ ଟ୍ୟାଙ୍କର ଆସିଥିଲା । ବାଲେଶ୍ୱରରରୁ ଏହି ଗାଡ଼ି ଅପରାହ୍ନ ସାଢ଼େ ୩ଟାରେ ବାହାରି ପ୍ରାୟ ୧୦ଟା ୩୦ରେ ଭୁବନେଶ୍ୱର ପହଂଚିଥିଲା । ଅର୍ଥାତ ଗାଡ଼ି ବିଳମ୍ବରେ ପହଂଚିଥିଲା । ରାଜଧାନୀ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଶତାଧିକ ପେଟ୍ରୋଲ ପମ୍ପ ଥିଲେ ବି ସୁରକ୍ଷା ପାଇଁ ଭବିଷ୍ୟତ ଯୋଜନା ନାହିଁ । ଏହି ଘଟଣା ଯଦି ମାଲକାନଗିରି କିମ୍ବା ନୂଆପଡ଼ା ଜିଲ୍ଳାରେ ହୋଇଥାନ୍ତା, ତାହେଲେ ଏହି ଗାଡ଼ି ଆଉ କେତେ ବିଳମ୍ବରେ ପହଂଚିଥାନ୍ତା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments