Friday, May 10, 2024
Homeଜୀବନଜୀବିକାଶୁଣ ସରକାର: ମନ୍ଦିର ବାହାରେ ବାଜିଲା ସତର୍କ ଘଣ୍ଟ-ଘଣ୍ଟି

ଶୁଣ ସରକାର: ମନ୍ଦିର ବାହାରେ ବାଜିଲା ସତର୍କ ଘଣ୍ଟ-ଘଣ୍ଟି

ଭୁବନେଶ୍ୱର: ମନ୍ଦିର ଭତିରେ ପୂଜାର୍ଚ୍ଚନା ଜାରି ରହିଛି । କଟକଣା ଭିତରେ ମନ୍ଦିରର ପୂଜାବିଧି ଅନୁଷ୍ଠିତ ହେଉଛି । କିନ୍ତୁ ଭଗବାନଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି ସାଧାରଣ ଶ୍ରଦ୍ଧାଳୁ ଓ ଭକ୍ତ । କିନ୍ତୁ ରାଜ୍ୟର ଗ୍ରାମାଂଚଳରେ ଥିବା ଦେବାଳୟକୁ ଭକ୍ତମାନେ ଯିବାରେ ଅସୁବିଧା ନାହିଁ । କିନ୍ତୁ ଏହା ସରକାରୀ ଅଥବା ସ୍ୱୀକୃତୀଭାବେ ନୁହେଁ । କରୋନା ଭାଇରସ କଟକଣା ଲାଗି ମନ୍ଦିରର ଦ୍ୱାରା ବିଧିବଦ୍ଧ ଭାବେ ଭକ୍ତଙ୍କ ପାଇଁ ବନ୍ଦ ହୋଇଥିବା ବେଳେ ଏହାକୁ ଖୋଲିବା ପାଇଁ ଦାବି ହୋଇଛି । ଏଥି ଲାଗି ରାଜ୍ୟର କିଛି ମନ୍ଦିରର ବାହାର ପାଶ୍ୱର୍ରେ ଆଜି ପୂର୍ବାହ୍ନରେ ଶଙ୍ଖ ଧ୍ୱନୀ ସହିତ ଘଣ୍ଟ ଓ ଘଣ୍ଟିର ଶବ୍ଦ ଶୁଭିଛି । ଏହା ୯ମିନିଟ ପର୍ଯ୍ୟନ୍ତ ଶୁଭିଥିଲା ।

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ


ମନ୍ଦିର ଓ ମଠ ଭିତରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲାଗିଥିବାରୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଦାବି କରିଛି ଯେ, ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ମନ୍ଦିର ସେବାୟତଙ୍କ ପରିବାର ଲୋକଙ୍କ ଜୀବନଧାରଣ ପାଇଁ ସରକାର ଚିନ୍ତା କରନ୍ତୁ । ମନ୍ଦିର ନ ଖୋଲିବା ଦ୍ୱାରା ପ୍ରାୟ ୭ ମାସ ହେବ ସେମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ସଂଘ ଚେତାବନୀ ଦେଇଛି ଯେ, ସରକାର ଯଦି ତାଙ୍କର କଥାକୁ ଭୃକ୍ଷେପ ନ କରନ୍ତି, ତାହେଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ । ଯେଉଁମାନେ ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି, ଏବେ ଅନ୍ୟ ବୃତ୍ତିକୁ ଓହ୍ଲାଇବାକୁ କଷ୍ଟକର ହୋଇପଡୁଛି ।

ମନ୍ଦିର ଖୋଲିବା ଦରକାର


ମନ୍ଦିର ଗୁଡ଼ିକ ଖୋଲାଯିବା ଦରକାର ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ସେ ଆଜି ଶ୍ରୀଲିଙ୍ଗରାଜ ପୀଠକୁ ଯାଇ ଏହି ମତ ଦେଇଛନ୍ତି । ଏଥି ସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ମନ୍ଦିର ଖୋଲିବା ଲାଗି ଯାହା ସହିତ କଥା ହେବାକୁ ପଡ଼ିବ, ଏଥି ପାଇଁ ମୁଁ ପ୍ରସ୍ତୁତ ।

ଦୁର୍ଦ୍ଦିନରେ ସେବାୟତଙ୍କର ପରିବାର


ରାଜ୍ୟରେ ପ୍ରାୟ ୧ ହଜାର ପୁରାତନ ଓ ଐତିହାସିକ ମନ୍ଦିର ରହିଛି । ଏତଦ ବ୍ୟତୀତ ଆହୁରି ପ୍ରାୟ ୨୦ ହଜାର ମନ୍ଦିର ରହିଛି ଯେଉଁଠାରେ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥାଏ । ଶ୍ରୀକ୍ଷେତ୍ର ପୁରୀ ଓ ଭୁବନେଶ୍ୱରସ୍ଥିତ ଏକାମ୍ର କ୍ଷେତ୍ରରେ ୧୦୦ରୁ ଅଧିକ ମନ୍ଦିର ଅଛି । ଏସବୁ ଗୁଡ଼ିକରେ କଟକଣା ଲାଗୁ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡ଼ିକରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଆଗମନକୁ ବନ୍ଦ କରି ଦିଆଯାଇଛି । ମନ୍ଦିରଗୁଡ଼ିକ ବନ୍ଦ ହୋଇଯିବା ପରେ ଲକ୍ଷାଧିକ ପରିବାର ରୋଜଗାର ଶୂନ୍ୟ ହୋଇଛନ୍ତି । ମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କ ଜିନିଷ ପତ୍ର କିଣିବାରେ ସେମାନଙ୍କର ପରିବାର ଚଳିଥାଏ ।

ପର୍ଯ୍ୟଟନସ୍ଥଳ ପ୍ରଭାବିତ ଓ କ୍ଷତିଗ୍ରସ୍ତ


ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ଥିବା ମନ୍ଦିର ଗୁଡ଼ିକର ମୁଖ୍ୟ ଦ୍ୱାରରେ ତାଲା ଝୁଲିବା ପରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଲଜ ବ୍ୟବସାୟ ବ୍ୟାପକ ଭାବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବ୍ୟବସାୟ ପ୍ରଭାବିତ ହେବାରୁ ଯେଉଁମାନେ ଏହି ସବୁ ସ୍ଥାନରେ କାମ କରୁଥିଲେ ସେମାନେ ଏବେ ବହୁ କଷ୍ଟରେ ଚଳୁଛନ୍ତି । ଋଣ କରି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟ ଆରମ୍ଭ କରିଥିବା ବ୍ୟବସାୟୀଙ୍କୁ ବେଶି ବାଧୁଛି ।

କଟକଣା ମଧ୍ୟରେ ଖୋଲୁଛି କେରଳର ମନ୍ଦିର


କରୋନା କଟକଣା କୋହଳ ହେବା ପରେ ଦେଶରେ ଅନେକ ପ୍ରସିଦ୍ଧ ମନ୍ଦିର ସୀମିତ ଭକ୍ତ ଓ ପୂଜକଙ୍କୁ ନେଇ ଖୋଲିଛି । କିନ୍ତୁ ମନ୍ଦିରର ଗାଇଡଲାଇନକୁ ସେଠାରେ ପାଳନ କରାଯାଉଛି । ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ଜୈନ ମନ୍ଦିର, ଉତ୍ତରାଖଣ୍ଡର ହେମକୁଣ୍ଡସ୍ଥିତ ସାହିବ ଗୁରୁଦ୍ୱାର, ଲୋକପାଳ ଲକ୍ଷ୍ମଣ ମନ୍ଦିର, କେରଳର ପଦ୍ମନାଭସ୍ୱାମୀ ମନ୍ଦିର, ବାରଣାସୀର ବାଙ୍କବିହାରୀ ମନ୍ଦିର, ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥିତ ତିରୁପତି ମନ୍ଦିର ପ୍ରମୁଖ ଖୋଲିଛି ।

ଖୋଲିଲା ବ୍ୟବସାୟିକ ସ୍ଥଳ, ମନ୍ଦିର କାହିଁକି ନୁହେଁ


କରୋନ ଭାଇରସ ପାଇଁ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ କୋହଳ ହୋଇସାରିଛି । ସରକାର ବିଭିନ୍ନ ସମୟରେ କଟକଣା କୋହଳ କରି ଦୋକାନ, ବଜାର, ସପିଂ ମଲ, ପାର୍କ, ସୁଇମିଂ ପୁଲ, ରେଷ୍ଟୁରାଣ୍ଟ, ଢାବା ଆଦି ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ମନ୍ଦିର ଖୋଲିବାକୁ ଗାଇଡଲାଇନ ଜାରି କରିପାରୁ ନାହାନ୍ତି । ସପିଂ ମଲ, ପାର୍କ, ଦୋକାନ, ବଜାରରେ ଯେଭଳି ଲୋକେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିଛନ୍ତି । ସେହିପରି ଭାବରେ ମନ୍ଦିରଗୁଡ଼ିକରେ ବ୍ୟବସ୍ଥା କଲେ ମଧ୍ୟ କିଛି ଅସୁବିଧା ହୁଅନ୍ତା ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments