Monday, May 20, 2024
Homeକରୋନା ପାଇଁ ଅଭାବ, ଅସୁବିଧା ଲାଗି ଲୁଟ୍‌-ହତ୍ୟା
Array

କରୋନା ପାଇଁ ଅଭାବ, ଅସୁବିଧା ଲାଗି ଲୁଟ୍‌-ହତ୍ୟା

ଭୁବନେଶ୍ୱର: ଚଳିତ ଶତାବ୍ଦୀର ବଡ଼ ବିପର୍ଯ୍ୟୟ କୁହାଯାଉଥିବା କରୋନା ଭାଇରସ ମହାମାରୀ ୧୦ ମାସ ଅତିକ୍ରାନ୍ତ କରିସାରିଛି । ଏହି ରୋଗର ଯବନୀକା କେବେ ପଡ଼ିବ ତାହା ମଧ୍ୟ କହିବା ଠିକ ନୁହେଁ । କରୋନା ପାଇଁ ଯଦିଓ ଔଷଧ ଓ ଟିକା ବାହାରିବ ଓ ଏହାକୁ ବ୍ୟବହାର କରି ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା ସଂଚାର ହୋଇଛି । ତାହା କେବେଯାଏଁ ସମ୍ଭବ ହେବ, ତା’ର କିଛି ସୁନିଶ୍ଚିତତା ନାହିଁ । କିନ୍ତୁ ଏକଥା ସତ ଯେ, ବିଶ୍ୱରେ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଯାଇସାରିଥିବ । ଲୋକଙ୍କର ଜୀବନ ରେଖା ଦୟନୀୟ ହୋଇସାରିଥିବ । କରୋନା ଭାଇରସ ଦେଖାଯିବା ପରେ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ଗତ ମାର୍ଚ୍ଚ ୧୭ରୁ ଲକଡାଉନ ଆରମ୍ଭ ହୋଇଯାଇଥିଲା । ପର୍ଯ୍ୟାୟ କ୍ରମେ ସଟ୍‌ଡାଉନ ଓ କଫ୍ୟୁ ମଧ୍ୟ ଲାଗୁ ହୋଇଥିଲା । ଏହା ଦ୍ୱାରା ଆର୍ଥିକ କାରବାର ବନ୍ଦ ହୋଇଯାଇଥିଲା । କିଛି ମଙ୍କସର ଅନ୍ତରାଳରେ ଗତ ଜୁନ ମାସ ଠାରୁ ଧୀରେ ଧୀରେ ଆର୍ଥିକ କାରବାର ମୁଣ୍ଡ ଟେକିଛି । କରୋନା ପାଇଁ କ୍ଷତି ସହ୍ୟ କରିଥିବା ଲୋକ ଆର୍ଥିକ ପୂରଣ ପାଇଁ ଯେକୌଣସି ଅଭିନବ ଉପାୟ କରୁଛନ୍ତି । ଏପରିକି ନିଜର ଅଭାବ ପୂରଣ ପାଇଁ ଲୁଟ୍ ଓ ହତ୍ୟାକୁ ପଛାଉ ନାହାନ୍ତି । ଏଭଳି ଘଟଣାର ମୁକସାକ୍ଷୀ ମଧ୍ୟ ନଜର ରହିଛି ।

ପ୍ରଭାକରଙ୍କୁ ସହିପାରିଲାନି ମାଲିକ
ଅଭାବ ଲାଗି ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ ଘଟଣା ଘଟିଛି । ଗତ ୪ ତାରିଖ ଅପରାହ୍ନ ସମୟରେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡର ମୂଳ କାରଣ ହେଉଛି ଅଭାବ । ଜଗତସିଂହପୁର ନିବାସୀ ପ୍ରଭାକର ସାହୁ ପତ୍ନୀ ଓ ୨ ଝିଅଙ୍କୁ ନେଇ କିଛି ବର୍ଷ ହେବ ସାମନ୍ତରାପୁରରେ ରହିଆସୁଥିଲେ । ସେ ସ୍ଥାନୀୟ ଏକ ମିଠା ଦୋକାନରେ କାମ କରୁଥିଲେ । କିନ୍ତୁ କରୋନା ପାଇଁ ଲକଡାଉନ ହେବା ପରେ ମିଠା ଦୋକାନ ବନ୍ଦ ହୋଇଯାଇଥିଲା । ମିଠା ଦୋକାନ ବନ୍ଦ ହୋଇଗଲା । ପ୍ରଭାକର ପରିବାର ଚଳାଇବା ପାଇଁ ଋଣଭାରରେ ବୁଡ଼ି ରହିଲେ । ପରିବାର ଚଳାଇବା ପାଇଁ ତାଙ୍କର ଚିନ୍ତା ବଢ଼ିଯାଇଥିଲା । ଅନଲ୍‌କ-୪ରେ ଦୋକାନ ବଜାର ଖୋଲିବା ପରେ ପ୍ରଭାକର ଘରେ ମିଠା ପ୍ରସ୍ତୁତ କରି ଦେବୀମଣ୍ଡପ ନିକଟରେ ଏକ ଟେବୁଲ ଲଗାଇ ମିଠା ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ସେ ଭଲ ମିଠା ତିଆରି କରୁଥିବାରୁ ଗ୍ରାହକଙ୍କ ଭିଡ଼ ମଧ୍ୟ ରହୁଥିଲା । ପ୍ରଭାକରଙ୍କୁ ଚିହ୍ନଥିବା ଗ୍ରାହକମାନେ ତାଙ୍କ ପାଖକୁ ମିଠା ଆଣିବାକୁ ଯାଉଥିଲେ । କିନ୍ତୁ ଏହାକୁ ହଜମ କରିପାରୁ ନଥିଲେ ପୂର୍ବରୁ କାମ କରୁଥିବା ମିଠା ଦୋକାନୀ । ପ୍ରଭାକରଙ୍କୁ ମାଲିକ ଧମକ ଦେବା ପରେ ତାଙ୍କର ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଏଥିରେ ମାଲିକ ବିରକ୍ତି ପ୍ରକାଶ କରି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଭାକର ୪ ତାରିଖ ଅପରାହ୍ନରେ ଔଷଧ କିଣି ଯାଇଥିବା ବେଳେ ମିଠା ଦୋକାନ ମାଲିକ ଏକ ଫାର୍ସାରେ ଅତି ନିର୍ଦୟ ଭାବେ ହତ୍ୟା କରିଥିଲେ ।

ଋଣ ସୁଝିବା ଲାଗି ବ୍ୟାଙ୍କ ଲୁଟ
ସେହିପରି ଗତ ସେପ୍ଟେମ୍ବର ୨୯ ତାରିଖ ଅପରାହ୍ନରେ ଭୁବନେଶ୍ୱର ମଂଚେଶ୍ୱର ଥାନା ଅଧୀନ ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଓ ଗତ ସେପ୍ଟେମ୍ବର ୭ ତାରିଖରେ ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରସ୍ଥିତ ଇଣ୍ଡିଆନ ଓଭରସଜ ବ୍ୟାଙ୍କ ଶାଖାରୁ ଡକାୟତି ଘଟଣାର ମୂଳ କାରଣ ହେଉଛି ଅଭାବ । ଉଭୟ ବ୍ୟାଙ୍କର ମାଷ୍ଟର ମାଇଣ୍ଡ ୨୫ ବର୍ଷିୟ ସୌମ୍ୟରଂଜନ ଜେନା । ଭୁବନେଶ୍ୱର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସୌମ୍ୟରଂଜନ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ କରିଥିଲା । କିନ୍ତୁ କରୋନା ଯୋଗୁଁ ତା’ର ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ଋଣ ସୁଝିବାରେ ଅସୁବିଧା ହୋଇଥିଲା । ଋଣ ପରିଷୋଧ କରିବା ଲାଗି ସେ ଉପାୟ ନପାଇ ଶେଷରେ ଲୁଟକୁ ମାଧ୍ୟମ କରିଥିଲା ।

ବିଶ୍ୱରେ ୧୦.୪୬ ଲକ୍ଷ ମୃତ୍ୟୁ, ଭାରତରେ ୧ ଲକ୍ଷରୁ ଅଧିକ
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ଯୋଗୁଁ ଅକ୍ଟୋବର ୬ ତାରିଖ ଅପରାହ୍ନ ୧ଟା ସୁଦ୍ଧା ୧୦ ଲକ୍ଷ ୪୬ ହଜାର ୭୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୫୭ ଲକ୍ଷ ୯ ହଜାର ୯୫୫ ଜଣ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ଏହି ଭାଇରସ ଯୋଗୁଁ ଫେବୃୟାରୀ ମାସର ଦ୍ୱିତୀୟ ସପ୍ତାହରେ କର୍ଣ୍ଣାଟକର ଜଣେ ବୃଦ୍ଧ ପ୍ରଥମେ ଜୀବନ ହାରିଥିଲେ । ସେହି ଦିନଠାରୁ ଆଜି ଯାଏଁ ଦେଶରେ ୧ ଲକ୍ଷ ୩ ହଜାର ୫୬୯ଜଣ ଲୋକଙ୍କର ମୁଣ୍ଡ ଗଡ଼ିିଛି ଓ ୬୬ ଲକ୍ଷ ୮୫ ହଜାର ୮୨ ଲୋକ ଆକ୍ରାନ୍ତ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ କରୋନା କାୟା ମେଳାଇଛି । ଗତ ମାର୍ଚ୍ଚ ମାସ ୧୫ ତାରିଖ ଦିନ ଭୁବନେଶ୍ୱରରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ତା’ପରଠାରୁ ଆଜି ଯାଏଁ ୯୪୦ ଲୋକ ପ୍ରାଣ ହାରିଛନ୍ତି । ରାଜ୍ୟରେ ୨ ଲକ୍ଷ ୩୮ ହଜାର ୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।
ଟିକା ପାଇଁ ସଂଘର୍ଷ ଜାରି
କରୋନା ଭାଇରସ ମୁକାବିଲା ଲାଗି ସମଗ୍ର ବିଶ୍ୱ ସଂଘର୍ଷ କରୁଛି । ଔଷଧ ଓ ଟିକା ବାହାର କରିବା ଲାଗି ଗବେଷକ ଓ ଔଷଧ କଂପାନୀମାନେ ଦିନରାତି ଲାଗିଛନ୍ତି । କିନ୍ତୁ ସୁଫଳ କେବେ ମିଳିବ ତାହା ସୁନିଶ୍ଚିତ ନୁହେଁ । ତଥାପି ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ଅଭିଯାନରେ ଲାଗି ପଡ଼ିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments