Monday, May 20, 2024
Homeପ୍ରଦୀପ ମହାରଥୀ: ରାଜନୀତିରେ ବିରଳ ବ୍ୟକ୍ତିତ୍ୱ, ଚର୍ଚ୍ଚିତ ଚେହେରା
Array

ପ୍ରଦୀପ ମହାରଥୀ: ରାଜନୀତିରେ ବିରଳ ବ୍ୟକ୍ତିତ୍ୱ, ଚର୍ଚ୍ଚିତ ଚେହେରା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଜଣେ ବିରଳ ବ୍ୟକ୍ତିତ୍ୱ ଭାବେ ଦୀର୍ଘ ୩୫ ବର୍ଷ ଧରି କାମ କରିଥିବା ପୁରୀ ଜିଲ୍ଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଜୁ ଜନତା ଦଳର ଜଣେ ଜୁଣାଶୁଣା ନେତା ପିପିଲିକୁ କର୍ମସ୍ଥଳୀ କରି ୧୯୮୫ ମସିହା ପର ଠାରୁ ୭ ଥର ବିଧାୟକ ହୋଇପାରିଥିଲେ। ୩୦ ବର୍ଷ ବୟସରେ ପ୍ରଥମ ଥର ବିଧାୟକ ହୋଇଥିଲେ। ନିଜକୁ ଜଣେ ଚାଷୀ ପୁଅ ଭାବେ ସବୁବେଳେ ଉପସ୍ଥାପନ କରୁଥିଲେ। ଏହି ରାଜନୈତିକ କ୍ୟାରିୟର ଭିତରେ ସ୍ୱର୍ଗତଃ ମହାରଥୀ ଅନେକ ବାଦ-ବିବାଦର ସମ୍ମୁଖୀନ ହୋଇଥିଲେ।

ମହାରଥୀଙ୍କ ଶକ୍ତିଶାଳୀ ଭାଷଣ ଓ ନିର୍ଭିକତା ପାଇଁ ମଧ୍ୟ ସେ ଚର୍ଚ୍ଚାକୁ ଆସିଛନ୍ତି। ଅନେକ ବିବାଦ ଭିତରକୁ ଆସିଥିଲେ ମଧ୍ୟ ନିର୍ବାଚନରେ ସେ କେବେ ହାରି ନ ଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଦୀପ ମହାରଥୀ ଅନେକ ବିବାଦରେ ପଡ଼ିଥିଲେ। ରାଜନୈତିକ ସୀମକ୍ଷକମାନେ ଅଙ୍କକଷୁ ଥିଲେ, ଏଥର ମହାରଥୀ ବିଧାୟକ ହେବାରେ ଯବନିକା ପଡ଼ିବ। କିନ୍ତୁ ତାହା ହୋଇ ନଥିଲା। କାରଣ ତାଙ୍କର ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଜନସାଧାରଣଙ୍କର ଅଜସ୍ର ସମର୍ଥନ ଥିଲା।

ପ୍ରଦୀପ ମହାରଥୀ ଗତ ୩ ତାରିଖ ମଧ୍ୟ ରାତ୍ରୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ୪୮ ଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା ଓ ପରେ କ୍ରମଶଃ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା।

ବିଜୁ ବାବୁଙ୍କ ନେତୃତ୍ୱରେ ଛାତ୍ରାବସ୍ଥାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ ମହାରଥୀ। ମାନବବାଦୀ ଚିନ୍ତାଧାରା ଏବଂ ସାଧାରଣ ମଣିଷର ସ୍ୱରକୁ ସେ ସବୁବେଳେ ଉପସ୍ଥାପନ କରୁଥିଲେ। କିଛି କରିବାର ସ୍ୱପ୍ନ ନେଇ ସେ ବଂଚୁଥିଲେ। ଅତ୍ୟନ୍ତ ଦୃଢମନା ଜୀବନର ଲମ୍ବା ଯୁଦ୍ଧରେ ତାଙ୍କ ସାଲିସ ବିହୀନ ସଂଗ୍ରାମ ଯୁବ, ଛାତ୍ରଙ୍କୁ ସର୍ବଦା ଅନୁପ୍ରାଣିତ କରି ରଖିବ।

ସଂକ୍ଷେପରେ ପ୍ରଦୀପ ମହାରଥୀ
ଜନ୍ମ: ୧୯୫୫ ଜୁଲାଇ ୪ ତାରିଖ
ଠିକଣା: ପିପିଲିର ଖୋରାପଡ଼ା
ଜିଲ୍ଲା: ପୁରୀ
ଧର୍ମପତ୍ନୀ: ପ୍ରତିଭା ମହାରଥୀ
ପୁଅ: ରୁଦ୍ର ପ୍ରତାପ ମହାରଥୀ
ଝିଅ: ପଲ୍ଲବୀ

ପରଲୋକ: ୨୦୨୦ ଅକ୍ଟୋବର ୪ ତାରିଖ

ରାଜନୈତିକ କ୍ୟାରିୟର
ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ପ୍ରଦୀପ ମହାରଥୀ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ହୋଇଥିଲେ। ରାଜ୍ୟ ସରକାରରେ ବିଭିନ୍ନ ସମୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁସଂପଦ, ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଥିଲେ।

କେମିତି ଚର୍ଚ୍ଚାରେ ଥିଲେ ମହାରଥୀ

-ବିଜେପି ୨୦୧୯ ନଭେମ୍ବର ୨୫ରେ ଅଭିଯୋଗ ଆଣିଥିଲା ଯେ, ପ୍ରଦୀପ ମହାରଥୀ ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ହଡ଼ପ କରିଛନ୍ତି । ନିଜ ଫାର୍ମ ହାଉସ ପାଖରେ ଥିବା ସରକାରୀ ଜମିକୁ ସେ ଜବରଦଖଲ କରିଛନ୍ତି ।

– କରୋନା କଟକଣା ସମୟରେ ଅନ୍ତିମ ସଂସ୍କାର ବେଳେ ସୀମିତ ଲୋକଙ୍କ ପାଇଁ ଅନୁମିତ ଥିବା ବେଳେ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଶବ ଚତୁଃପାଶ୍ୱର୍ରେ ବହୁ ସଂଖ୍ୟାରେ ଲୋକ ଏକତ୍ର ନେଇ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳ ଥାନାରେ ଗତ ୪ ତାରିଖରେ ଅଭିଯୋଗ ଆଣିଛନ୍ତି ।

– ପିପିଲିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ ଉପରେ ଆକ୍ରମଣ ଘଟଣାରେ ୨୦୧୯ ଏପ୍ରିଲ ୨୧ରେ ଗିରଫ ହୋଇଥିଲେ ।

-ଗତ ବର୍ଷ ଶୀତକାଳୀନ ଅଧିବେଶନରେ ମହାରଥୀ ନିଜର ଟିପ୍ପଣୀରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ କିଛି ମନ୍ତ୍ରୀ ଖସି ଯାଉଛନ୍ତି । ସେ ଏମିତି ବି କହିଥିଲେ ଯେ, ପିଲା ଜନ୍ମକରି ବାଂଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବ ନାହିଁ ।

-ବହୁଚଚ୍ଚିର୍ତ ପିପିଲ ଗଣଦୁଷ୍କର୍ମ ମାମଲା ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମହାରଥୀଙ୍କୁ ୨୦୧୯ ଜୁନ ୬ ତାରିଖରେ କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହା ପୂର୍ବରୁ ମଧ୍ୟ ମହାରଥୀ ୨୦୧୧ରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।

-୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିଜ୍ଞମାନେ ଅଙ୍କ କଷୁଥିଲେ ଯେ, ମହାରଥୀଙ୍କ ନିର୍ବାଚନରେ ଟିକେଟ ମିଳିବ ନାହିଁ । କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା । ଓ ଟିକେଟ ହାତେଇ ମହାରଥୀ ନିର୍ବାଚନରେ ୭ମ ଥର ପାଇଁ ବିଜୟୀ ହୋଇଥିଲେ ।

-ଚାଷୀ ପୁଅ ହୋଇଥିଲେ ବି ରାଜନୀତିକୁ ମହାରଥୀ ଭଲ ପାଉଥିଲେ । ସେ ଏକଦା କହିଥିଲେ, ମରିନାହିଁ ମହାରଥୀ, ସରି ନାହିଁ ରାଜନୀତି । ଅର୍ଥାତ ମହାରଥୀ ଯେତେଦିନ ବଂଚିଥିବେ ରାଜନୀତି ଥିବ । ସତକୁ ସତ ବିଧାୟକ ଥାଇ ତାଙ୍କର ପରଲୋକ ହୋଇଛି ।

-ବିଜୁ ଜନତା ଦଳକୁ ସେ ଭଲ ପାଉଥିଲେ । ବିଜେପୁର ଉପନିର୍ବାଚନ ସମୟରେ ବିଜେଡ଼ି ନିଶ୍ଚିତ ଜିତିବ ବୋଲି ସେ କହିଥିଲେ । ଏପରିକି ଦଳ ହାରିଗଲେ ରାଜନୀତି ଛାଡ଼ି ଦେବେ ମଧ୍ୟ କହିଥିଲେ ।

-୨୦୧୯ ଜୁଲାଇ ୧୭ ତାରିଖର ଘଟଣା । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ- ରାଜ୍ୟରେ କେତୋଟି ଶୀତଳ ଭଣ୍ଡାର ଅଛି, ସେବାବଦରେ ମହାରଥୀ ଜାଣିଥିବେ । କିନ୍ତୁ ମହାରଥୀ ଏହାକୁ ଆକ୍ଷେପ କହି ସେଦିନ କିଛି ଖାଇ ନଥିଲେ ।

-ମହାରଥୀଙ୍କ ଉଦ୍ୟମରେ ଓଡ଼ିଆ ଯାତ୍ରା ପାର୍ଟି ‘କଳିଙ୍ଗ ଗଣନାଟ୍ୟ’ ଆଜି ସାରା ରାଜ୍ୟରେ ଜଣାଶୁଣା । ସେ ମଂଚରେ ଅଭିନୟ କରୁଥିଲେ ଓ ନାଟକ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ତାଙ୍କ ନିର୍ଦ୍ଦେଶିତ ନାଟକ ଗୁଡ଼ିକ ହେଲା- କଥା ଦେ କାନ୍ଦିବୁନି, ଗୁଡ଼ ମର୍ଣ୍ଣିଂ ଅଙ୍କଲ, ଲାଲୁ ଶାସନରେ ଭାଲୁ ରାଜା ପ୍ରମୁଖ ।

-‘ମହିଳାଙ୍କ ୨ ଜଣ ଲେଖାଏଁ ସ୍ୱାମୀ’ ମନ୍ତବ୍ୟ ଅଭିଯୋଗରେ ୨୦୧୮ ଅକ୍ଟୋବର ୨୮ ଓ ୨୯ରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ବିଭିନ୍ନ ସ୍ଥାନରେ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

-ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ପ୍ରସଙ୍ଗରେ ୨୦୧୮ ଡିସେମ୍ବର ୨୮ରେ ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଥିଲା ।

-୨୦୧୮ ମେ’ ମାସ ୨୩ ତାରିଖର ଘଟଣା । ମହାରଥୀ ମହାନଦୀ ମହାସଂଗ୍ରାମ ସମାବେଶରେ ଥାଆନ୍ତି । ସେ କହିଥିଲେ, ମୋ ଦେହରେ ବୋମା ଖଞ୍ଜିଦିଅ, ଛତିଶଗଡ଼ର କଲମା ଠାରେ ନିର୍ମିତ ବ୍ୟାରେଜକୁ ଉଡାଇ ଦେବି ।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments