Monday, May 20, 2024
Homeଅନ୍ୟାନ୍ୟଭାରତ ନା ଇଣ୍ଡିଆ ନେଇ ବିବାଦ

ଭାରତ ନା ଇଣ୍ଡିଆ ନେଇ ବିବାଦ

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାର ଏଜେଣ୍ଡାକୁ ନେଇ ବଳ କଷିବା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦେଶର ନାମକୁ ନେଇ ବିବାଦ ଛିଡ଼ା ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଜି୨୦ ଶିଖର ସମ୍ମିଳନୀର ନୈଶଭୋଜି ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଉଲ୍ଲେଖ ରହିଛି। ଏହା ବ୍ୟତୀତ ୨୦ତମ ଏସୀୟ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଯାତ୍ରା ସଂପର୍କିତ ଏକ ସରକାରୀ ବୁକଲେଟରେ ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଲେଖାଯାଇଛି। ଦେଶର ନାମ ଭାରତ ହେବ କି ଇଣ୍ଡିଆ ହେବ, ଯଦିଓ ସରକାର ସେବିଷୟରେ କିଛି କହି ନାହାନ୍ତି, ତଥାପି ଗାଁରୁ ସହର, ଦୋକାନ-ବଜାର, କାର୍ଯ୍ୟାଳୟ, ନେତା-ଚାମ୍ଚା ଓ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ସରକାରଙ୍କ ଅସଲ ରୂପରେଖ କ’ଣ ସେନେଇ ଯଦିଓ ସରକାର କିଛି କହିନାହାନ୍ତି। ତଥାପି ଦେଶର ଜନତା ଦେଶର ନାମକରଣ ନେଇ ବ୍ୟସ୍ତ ହୋଇ ନାନା ପ୍ରତିକ୍ରିୟା ଦେଉଛନ୍ତି। ଦେଶର ନାମକରଣ ନେଇ ସରକାର କିଛି କହି ନଥିବା ବେଳେ ଆଞ୍ଚଳିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଜାତୀୟ ଟିଭି ଚ୍ୟାନେଲ ଓ ଖବରକାଗଜରେ ମଧ୍ୟ ଖବର ପ୍ରକାଶ ପାଉଛି। ଖବର ପଢ଼ି ଦେଶର ଜନତା ବ୍ୟସ୍ତ ହୋଇଯାଇଛନ୍ତି। କୌଣସି ନାମକରଣ ପରିବର୍ତ୍ତନ କରାଯିବା ସେହି ସମୟରେ ପରିସ୍ଥିତି ଓ ସରକାରଙ୍କ ଉପରେ ନିର୍ଭର କରୁଛି। କେବଳ ଅତୀତରେ ନୁହେଁ, ବରଂ ଅତ୍ୟାଧୁନିକ ଯୁଗରେ ମଧ୍ୟରେ ଅନେକ ଦେଶର ନାମ ପରିବର୍ତ୍ତନ ହୋଇଛି। ଭାରତରେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସହରର ନାମ ପରିବର୍ତ୍ତନ ହୋଇଛି। କଲିକତାରୁ କୋଲକାତା, ବମ୍ବେରୁ ମୁମ୍ବାଇ, ମାଡ୍ରାସରୁ ଚେନ୍ନାଇ, ବାଙ୍ଗାଲୋରରୁ ବେଙ୍ଗାଲୁରୁ, ତ୍ରିଭେନ୍ଦ୍ରମରୁ ତିରୁଅନନ୍ତପୁରମ ଆଦି। ଭାରତୀୟ ସହରଗୁଡ଼ିକର ନାମ ଯେତେବେଳେ ପରିବର୍ତ୍ତନ ହୋଇଛି, ସେତେବେଳେ ତ କୌଣସି ବିରୋଧର ସ୍ବର ଆସିନାହିଁ। ତାହେଲେ ଏବେ କାହିଁକି?

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦେଶର ନାମ ପରିବର୍ତ୍ତନକୁ ନେଇ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସେ କହିଛନ୍ତି, ଏହା ଏକ ଗୁଜବ ଖବର। ମୁଁ ଏତିକି କହିବି ଯେ, ଯଦି କେହି ଭାରତ ଶବ୍ଦ ଉପରେ ଆପତ୍ତି ଆଣନ୍ତି, ତା’ହେଲେ ଏହା ତାଙ୍କର ମାନସିକତାକୁ ଦର୍ଶାଇଥାଏ। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଉପରେ ସେ କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଏଥି ପାଇଁ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯାଇଛି। ମୁଁ ଭାରତ ସରକାରରେ ମନ୍ତ୍ରୀ। ଏଥିରେ କିଛି ନାହିଁ। ଜି୨୦ ୨୦୨୩ର ବ୍ରାଣ୍ଡିଙ୍ଗ ଲୋକଙ୍କ ଉପରେ ଭାରତ ଏବଂ ଇଣ୍ଡିଆ ଲେଖାଯିବ। ନିମନ୍ତ୍ରଣ ପତ୍ରରେ ଭାରତ ଲେଖାଯିବାକୁ ନେଇ ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ ସ୍ବାଗତ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଖୁସି ନାହାନ୍ତି।  

‘ଇଣ୍ଡିଆ’ ଅର୍ଥାତ ‘ଭାରତ’ ଆଜିକାଲିର ପ୍ରସଙ୍ଗ ନୁହେଁ। ଏହା ଅତିପୁରୁଣା। ୨୦୧୬ ମସିହାରେ ସୁପ୍ରିମକୋର୍ଟରେ ‘ଇଣ୍ଡିଆ’ର ନାମ କେବଳ ‘ଭାରତ’ କରି ଦିଆଯିବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମହାରାଷ୍ଟ୍ରର ନିରଞ୍ଜନ ଭଟୱାଲ୍ ଏକ ଜନ ସ୍ବାର୍ଥ ମାମଲା ରୁଜୁ କରିଥିବା ବେଳେ ଜଷ୍ଟିସ୍ ଟି ଏସ୍ ଠାକୁର୍, ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ତାହାକୁ ଖାରଜ କରି ଦିଆଯାଇଥିଲା। ସୁପ୍ରିମ୍କୋର୍ଟ ମାମଲାର ବିଚାର କରି ରାୟ ଶୁଣାଇଥିଲେ ଯେ ‘ଯଦି ଆପଣ ଭାରତ କହିବାକୁ ଚାହାନ୍ତି ତ କୁହନ୍ତୁ। ଯଦି କିଛି ଲୋକ ‘ଇଣ୍ଡିଆ’ କହିବାକୁ ଚାହାନ୍ତି ତ ସେମାନଙ୍କୁ କହିବାକୁ ଦିଅନ୍ତୁ’। ପ୍ରତ୍ୟେକ କ୍ଷେତ୍ରରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ବ୍ୟବହାର ହେବ ବୋଲି ହୋଇଥିବା ଜନ ସ୍ବାର୍ଥ ମାମଲାକୁ ଖାରଜ କରି ଅଦାଲତ ଏପରି କହିଥିଲେ। ଅନ୍ୟପଟରେ ବର୍ତ୍ତମାନ ଆମ ଦେଶ ଉଭୟ ଇଣ୍ଡିଆ ଓ ଭାରତ ନାମରେ ପ୍ରଚଳିତ। ଇଂରାଜୀରେ ଲେଖିଲା ବେଳେ ଆମେ ଇଣ୍ଡିଆ ଲେଖୁ। କିନ୍ତୁ ହିନ୍ଦୀ ଅଥବା ଅନ୍ୟ ଭାରତୀୟ ଭାଷାରରେ ଲେଖିଲା ବେଳେ ଭାରତ ଲେଖୁ। କିନ୍ତୁ ଯଦି ସରକାର ଉପରୋକ୍ତ ନିଷ୍ପତ୍ତି ନିଅନ୍ତି, ତେବେ ଇଂରାଜୀ ଓ ହିନ୍ଦୀ ଉଭୟ ଭାଷାରେ କେବଳ ‘ଭାରତ’ ହିଁ ଲେଖାଯିବ।

ନାମ ପରିବର୍ତ୍ତନରେ କିଛି ଅସୁବିଧା ନାହିଁ। ନାମ ପରିବର୍ତ୍ତନ ଯଦିଓ ଜଟିଳ ପ୍ରକ୍ରିୟା ଏବଂ ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତଥାପି ବିଶ୍ବରେ ଅନେକ ଦେଶର ନାମ ପରିବର୍ତ୍ତନ ହୋଇଛି। ୨୦୧୯ରେ ‘ଦ ରିପବ୍ଲିକ ଅଫ ମାସେଡୋନିଆ’ ଦେଶ ନିଜର ନାମ ପରିବର୍ତ୍ତନ କରି ‘ଉତ୍ତର ମାସେଡୋନିଆ’ ରଖିଥିଲା। ୧୯୭୨ରୁ ଦ୍ୱୀପ ଦେଶ ସେଲନର ନାମ ପରିବର୍ତ୍ତିତ କରାଯାଇ ‘ଶ୍ରୀଲଙ୍କା’ ରଖାଯାଇଛି। ‘ଜାଇରେ’ ଦେଶର ନାମ ପରିବର୍ତ୍ତନ କରି ‘ଡେମୋକେଟ୍ରିକ୍ ରିପବ୍ଲିକ ଅଫ ଦ କଙ୍ଗୋ’ ରଖଯାଇଥିଲା। ଏହା ଥିଲା ୧୯୯୭ ମସିହାର ଘଟଣା। ସେହିପରି ୧୯୩୯ରେ ‘ସିଆମ’ ଦେଶର ନାମ ପରିବର୍ତ୍ତନ ହୋଇ ‘ଥାଇଲାଣ୍ଡ’ ରଖାଯାଇଥିଲା। ୧୯୯୩ରେ ଚେକସ୍ଲୋଭାକିଆ ନାମ ‘ଦ ଚେକ ରିପ୍ଲବିକ ଆଣ୍ଡ ସ୍ଲୋଭାକିଆ’ ରଖଯାଇଥିଲା। ୧୯୭୧ରେ ‘ଇଷ୍ଟ ପାକିସ୍ତାନ’ର ନାମ ବାଂଲାଦେଶ କରାଯାଇଥିଲା ବେଳେ  ୧୯୮୯ରେ ଦକ୍ଷିଣ ଏସିଆ ଦେଶ ‘ବୁର୍ମା’ ନାମ ‘ମିଆଁମାର’ ରଖାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments