Monday, May 20, 2024
Homeଅନ୍ୟାନ୍ୟଭାରତରେ ଜି ୨୦ ଶିଖର ସମ୍ମିଳନୀ

ଭାରତରେ ଜି ୨୦ ଶିଖର ସମ୍ମିଳନୀ

ଭୁବନେଶ୍ୱର: ଭାରତର ଶକ୍ତି ବିଶ୍ୱ ଦେଖୁଛି । ଭାରତରେ ବିଶ୍ୱର ମହାନ ଶକ୍ତିମାନେ ଏକତ୍ରିତ ହେବା ସହିତ ବହୁ ପ୍ରତୀକ୍ଷିତ ଜି୨୦ ଶିଖର ସମ୍ମିଳନୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୨୦ଟି ପ୍ରମୁଖ ଅର୍ଥବ୍ୟବସ୍ଥାର ବରିଷ୍ଠ ନେତା ଏକକାଳୀନ ବସି ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ସରକାର ବିଗତ ୧ ବର୍ଷ ହେଲା ଜୋରଦାର ଉଦ୍ୟମ କରିଛନ୍ତି । ଏଥି ପାଇଁ ବିଭିନ୍ନ ମନ୍ତ୍ରିସ୍ତରୀୟ ଓ କାର୍ଯ୍ୟ ସମୂହର ବୈଠକ ମଧ୍ୟ କରିଛନ୍ତି । ଏଜେଣ୍ଡାରେ ଜଳବାୟୂ ପରିବର୍ତ୍ତନ, ଋଣ, ଖାଦ୍ୟ ସୁରକ୍ଷା, ସ୍ଥିରତା ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଭାରତରେ ପ୍ରଥମ ଥର ପାଇଁ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଛି । ଅତିଥି ଦେଶର ନେତା ଏଠାକୁ ଆସି ଯାହା ଦେଖିଛନ୍ତି, ତାହାକୁ ନେଇ ପ୍ରଶଂସା ମଧ୍ୟ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସେ ଭାରତର ଜି୨୦ ଅଧ୍ୟକ୍ଷତା କରିବା ନେଇ ବହୁ ପ୍ରଶଂସା କରିଥିଲେ । ଉଭୟ ନେତା ବିଶ୍ୱାସ କରିଛନ୍ତି ଯେ, ଶିଖର ସମ୍ମିଳନୀର ଫଳ ଶତପ୍ରତିଶତ ବିକାଶରେ ତୀବ୍ରତା ଆଣିବା, ବହୁପକ୍ଷୀୟ ସହଯୋଗକୁ ଆଗକୁ ବଢ଼ାଇ ନେବା ଆଶା କରାଯାଉଛି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୧ ଘଣ୍ଟା ଆଲୋଚନା ହୋଇଥିଲା ।

ସମସ୍ତଙ୍କୁ ନେଇ ଚାଲିବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଦ୍ଘାଟନୀ ଭାଷଣରେ ମୋରକ୍କୋରେ ଭୂମିକମ୍ପ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୀଡିତ ପରିବାରକୁ ସମବେଦନା ଜଣାଇ ସେ କହିଛନ୍ତି ଆମେ ମୋରକ୍କୋର ଲୋକଙ୍କ ସହିତ ଅଛୁ। ସେମାନଙ୍କୁ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। କରୋନା ପରେ ବିଶ୍ବରେ ବିଶ୍ବାସର ସଂକଟ ଉତ୍ପନ୍ନ ହୋଇଛି। ଯୁଦ୍ଧ ଏହି ସଂକଟକୁ ଆହୁରି ଗଭୀର କରିଦେଇଛି। ଆମେ ଯେହେତୁ କରୋନାକୁ ପରାସ୍ତ କରିପାରିଛେ, ନିଜନିଜ ଭିତରେ ଆଲୋଚନା ମାଧ୍ୟମରେ ସବୁ ସଂକଟକୁ ଦୂର କରିପାରିବା। ସମସ୍ତଙ୍କ ସହିତ ମିଶି ଚଳିବାର ସମୟ ଆସିଛି। ଆଜି ଆମେ ଯେଉଁ ସ୍ଥାନରେ ଛିଡ଼ା ହୋଇଛେ, ଏଠାରୁ କିଛି ଦୂରରେ ହଜାରେ ବର୍ଷର ପୁରୁଣା ସ୍ତମ୍ଭ ରହିଛି। ଏହାରି ଉପରେ ପ୍ରାକୃତ ଭାଷାରେ ଲେଖାଯାଇଛି। ମାନବର କଲ୍ୟାଣ ସବୁବେଳେ ସୁନିଶ୍ଚିତ କରାଯାଉ। ଅଢ଼େଇ ହଜାର ବର୍ଷ ପୂର୍ବରୁ ଭାରତ ଏହି ବାର୍ତ୍ତା ପୂରା ବିଶ୍ବକୁ ଦେଇଥିଲା। ଏକବିଂଶ ଶତାଦ୍ଦୀର ଏହି ସମୟ ପୂରା ବିଶ୍ବକୁ ନୂଆ ମାର୍ଗଦର୍ଶନ ଦେବ।

ସଂକ୍ଷେପରେ ଜି-୨୦ ସମ୍ମିଳନୀ

ଜି୨୦ ଦେଶ ସମୁହର ଘରୋଇ ଉତ୍ପାଦରେ ୮୫ପ୍ରତିଶତ ଯୋଗଦାନ ରହିଥାଏ । ଅନ୍ତର୍ଜାତୀୟ ବ୍ୟବସାୟକୁ ୭୫ ପ୍ରତିଶତ ଯୋଗଦାନ ଦେଇଥାଏ । ବିଶ୍ୱ ଜନସଂଖ୍ୟାରେ ଦୁଇ ତୃତୀୟାଂଶ ଜି୨୦ ଦେଶ ସମୂହରେ ବସବାସ କରନ୍ତି । ୧୯୯୯ରେ ଏହାର ଗଠନ କରାଯାଇଥିଲା । ସେହି ସମୟରେ ଜି୨୦ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଏହାର ସାଂଗଠନିକ ସଦସ୍ୟ ଥିଲେ । ୧୯୯୭-୯୮ରେ ଗମ୍ଭୀର ଆର୍ଥିକ ସଂକଟ ଛିଡ଼ା ହୋଇଥିଲା । ପୂର୍ବ-ଏସିଆ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଏଥି ପାଇଁ ଏହି ସଂଗଠନ ଗଠନ କରାଯାଇଥିଲା । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ରିପବ୍ଲିକ ଅଫ୍ କୋରିଆ, ମେକ୍ସିକୋ, ରୁଷ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ସଂଯୁକ୍ତ ଆମେରିକା ଓ ୟୁରୋପୀୟ ସଂଗଠନକୁ ନେଇ ଜି୨୦ ଦେଶ ସମୂହ ଗଠିତ । ଆର୍ଥିକ, ସାମାଜିକ, ସାସ୍କୃତିକ, ପରିବେଶର ବିକାଶ ଲକ୍ଷ୍ୟ ନେଇ ଏହି ସଂଗଠନ ଗଠିତ ହୋଇଥିଲା । ୨୦୦୮ ମସିହା ନଭେମ୍ବର ୧୪-୧୫ରେ ଏହାର ପ୍ରଥମ ସମ୍ମିଳନୀ ଆମେରିକାର ରାଜଧାନୀ ୱାସିଂଟନ୍ ଡିସିସ୍ଥିତ ନ୍ୟାସନାଲ ବିଲ୍ଡିଂ ମ୍ୟୁଜିୟମରେ ଆୟୋଜନ ହୋଇଥିଲା । ଆମେରିକୀୟ ତତ୍କାଳନୀ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁସଙ୍କ ନେତୃତ୍ୱରେ ଏହା ହୋଇଥିଲା ।

ଭାରତରେ ପ୍ରଥମ ଥର

ଜି୨୦ ଶିଖର ସମ୍ମଳନୀ ଆରମ୍ଭ ହେବାକୁ ୧୫ ବର୍ଷ ବିତି ଯାଇଛି । ଏହାରି ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଏହି ମେଗା ଆୟୋଜନ କରିଛି । ଦେଶର ରାଜଧାନୀ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ୧୮ତମ ଜି୨୦ ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଯାଇଛି । ଦୁଇ ଦିବସୀୟ ଏହି ସମ୍ମିଳନୀରେ ବିଶ୍ୱର ଆଗଧାଡ଼ିରେ ନେତାମାନେ ଯୋଗଦେଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଦେଶରେ ବହୁ ପ୍ରଶଂସା କରାଯାଉଛି । ବିଶାଳ କାର୍ଯ୍ୟକ୍ରମ ଓ ସଫଳ ନେତୃତ୍ୱକୁ ଦେଖି ବିଦେଶୀ ରାଷ୍ଟ୍ରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାରତ ମଣ୍ଡପମରେ ଦେଶର କଳା, ସଂସ୍କୃତି, ଇତିହାସ, ଭାସ୍କର୍ଯ୍ୟକୁ ଉପସ୍ଥାପନ କରାଯାଇଛି । ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିଛି। ଐତିହାସିକ କୋଣାର୍କ ଚକ୍ର ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥିମାନଙ୍କୁ ସ୍ବାଗତ ଜଣାଇଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments