Monday, May 20, 2024
Homeଅନ୍ୟାନ୍ୟଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପ 

ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପ 

ଭୁବନେଶ୍ୱର: ମୋରକୋରେ ଶୁକ୍ରବାର-ଶନିବାର ରାତିରେ ସଂଘଠିତ ବିନାଶକାରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିସାରିଛି । ଏହାରି ମଧ୍ୟରେ ଆହୁରି ହଜାର ହଜାର ଲୋକ ଭୂମିକମ୍ପର ଶିକାର ହୋଇ ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଉଛି । ରିକ୍ଟର ସ୍କେଲରେ ୬.୮ ମପାଯାଇଥିବା ଭୂମିକମ୍ପରେ ସର୍ବାଧିକ ଅଜିଲାଲ ଓ ୟୁସୁଫିଆ ରାଜ୍ୟର ଲୋକ ଶିକାର ହୋଇଛନ୍ତି । ଏଥି ସହିତ ମରକ୍କେଶ, ଅଗାଦୀର ଏବଂ କେସାବ୍ଲାକ ଅଞ୍ଚଳରେ ମଧ୍ୟ ଧନଜୀବନକୁ କ୍ଷତି ପହଞ୍ଚାଇଛି ।

ମୋରକୋ ଗୃହ ମନ୍ତ୍ରାଳୟ ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ସର୍ବାଧିକ କ୍ଷତି ସହରର ବାହାରେ ଥିବା ପୁରୁଣା ବସ୍ତିରେ ହୋଇଛି । ମୋରକୋର ଲୋକେ ଦୁଃଖଦ ପରିସ୍ଥିତି ନେଇ ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡିଓ ସେୟାର କରୁଛନ୍ତି । ଭିଡିଓରେ ଦେଖାଯାଉଛି ଯେ, ବଡ଼ବଡ଼ କୋଠ ଯେତେବେଳେ ଭୁଶୁଡ଼ି ପଡୁଛି, ପାଉଡର ଗୁଣ୍ଡ ଭଳି ଉଡୁଛି । ଚାରିଆଡ଼ ଧୂଳି ଯୋଗୁଁ ଅଦୃଶ୍ୟମାନ ହୋଇଯାଉଛି । ବିଶେଷ ଭାବେ ମୋରକୋର ୟୁନେସ୍କୋ ସ୍ୱୀକୃତୀପ୍ରାପ୍ତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ‘ମରକ୍କେଶ’ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭିଡିଓରୁ ଜଣାପଡୁଛି ଯେ, ଭୂମିକମ୍ପ ପରେ ପର୍ଯ୍ୟଟକମାନେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଦୌଡୁଛନ୍ତି ।

ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଆଫ୍ରିକୀୟ ଦେଶ ମୋରକୋରେ ଭୟଙ୍କର ଭୂମିକମ୍ପରେ ଲୋକଙ୍କର ମୃତ୍ୟୁ ନେଇ ଶନିବାର ଜି୨୦ ଶିଖର ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ଶୋକ ଜଣାଇଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ବିପଦପୂର୍ଣ୍ଣ ସମୟରେ ବିଶ୍ୱବାସୀ ସହାୟତାର ହାତ ବଢ଼ାଇବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅଡୁଆ ସମୟରେ ପୂରା ବିଶ୍ୱ ସଂପ୍ରଦାୟ ମୋରକୋ ସହିତ ଆମେ ଯଥା ସମ୍ଭବ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛୁ । କେବଳ ଭାରତ ନୁହେଁ ମୋରକୋ ପାଇଁ ସହାୟତା ଦେବାକୁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଆଗେଇ ଆସିଛନ୍ତି । ମୋରକୋରେ ଶନିବାର ଠାରୁ ୩ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି । ଆମେରିକୀୟ କାର୍ଯ୍ୟାଳୟ ପକ୍ଷରୁ ସହାୟତା ପାଇଁ ଯୋଗାଯୋଗ କରାଯାଉଛି । ଶୋକ ପ୍ରକାଶ କରାଯାଇ ପ୍ୟାରିସ ଇଫିଲ ଟାୱାରରୁ ଆଲୋକ ଲିଭାଇ ଦିଆଯାଇଛି । ଏହି କ୍ରମରେ ଭୂମିକମ୍ପରେ ପୀଡିତ ମୋରକୋକୁ ସହାୟତା ଦେବା ପାଇଁ ଅଲ୍‌ଜିରିଆ ଆଗେଇ ଆସିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସଫଳ ହୋଇନି ବୈଜ୍ଞାନିକଙ୍କ ଉଦ୍ୟମ

ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଆସେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥାଏ । ମାତ୍ର ବନ୍ୟା, ବାତ୍ୟା, ପାଣିପାଗ ସଂପର୍କିତ ସୂଚନା ପୂର୍ବରୁ ମିଳିଥାଏ । ଫଳରେ ସରକାର ଓ ପ୍ରଶାସନର ଉଦ୍ୟମ ଯୋଗୁଁ ବହୁ ଧନଜୀବନ ମଧ୍ୟ ବଞ୍ଚି ଯାଇଥାଏ । କିନ୍ତୁ ଭୂମିକମ୍ପ ଏଭଳି ଏକ ବିପର୍ଯ୍ୟୟ, ଏହା ଯଦି ଗୋଟିଏ ସ୍ଥାନରେ ହେଉଛି, ଧନଜୀବନ ବଞ୍ଚାଇପାରିବା ସହଜ ନୁହେଁ । ରିକ୍ଟର ସ୍କେଲରେ ତୀବ୍ରତା ଯଦି ୬.୫ରୁ ଅଧିକ ହେଉଛି ତାହେଲେ ଅତିକମରେ ୧୦୦୦ ଲୋକଙ୍କ ମୃତ୍ୟୁ ହେବା ସୁନିଶ୍ଚିତ । ଭୂମିକମ୍ପ ଜନିତ ପୂର୍ବ ସୂଚନା ହାସଲ କରିବା ପାଇଁ ବୈଜ୍ଞାନିକମାନେ ଉଦ୍ୟମ କରୁଛନ୍ତି । କିନ୍ତୁ ଏଥିରେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଏହି ପ୍ରାକୃତିକ ବିପର୍ଯ୍ୟୟ ଅଚାନକ ଆସୁଥିବାରୁ ଲୋକଙ୍କର ମୃତ୍ୟୁ ହୋଇଥାଏ ।

୧୯୫୬ ଭୂମିକମ୍ପ ସ୍ମରଣୀୟ

ବିଗତ ୮୦ ବର୍ଷ ମଧ୍ୟରେ ବିଶ୍ୱରେ ଅନେକ ସ୍ଥାନରେ ଭୂମିକମ୍ପ ହୋଇଛି । କିନ୍ତୁ ୧୫୫୬ ଜାନୁଆରି ୨୩ରେ ଶାଞ୍ଜିରେ ସଂଗଠିତ ହୋଇଥିବା ବିନାଶକାରୀ ଭୂମିକମ୍ପ ଅତି ଭୟଙ୍କର ଥିଲା । ଏହି ଭୂମିକମ୍ପରେ ୮ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୯୭୬ ତାଙ୍କସାନ ଭୂମିକମ୍ପରେ ୨ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହାକି ବିଂଶ ଶତାଦ୍ଦୀର ସବୁଠାରୁ ବଡ଼ ବିପତ୍ତି ଥିଲା ।

ଭାରତରେ ଭୂମିକମ୍ପ

ଭାରତରେ ଅତୀତରେ ଅନେକ ଭୂମିକମ୍ପ ହୋଇଛି । ୨୦୧୫ରେ ନେପାଳ ସୀମାରେ ଭୂମିକମ୍ପ ଯୋଗୁଁ ପ୍ରାୟ ୯ ହଜାର ଲୋକଙ୍କର ଜୀବନ ଯାଇଥିଲା । ୨୦୦୧ରେ ଗୁଜରାଟ ଭୂମିକମ୍ପରେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରାୟ ୮୦୦ ଲୋକଙ୍କର ଭୂମିକମ୍ପ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହା ୧୯୯୧ ମସିହା ଅକ୍ଟୋବର ୨୦ର ଘଟଣା । ସେହିପରି ୧୯୫ରେ ଆସାମ-ତିବତ୍ତ ସୀମାରେ ହୋଇଥିବା ଭୂମିକମ୍ପରେ ୧୫ ଶହରୁ ୩୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । କଶ୍ମୀରରେ ହଜାର ହଜାର ଲୋକଙ୍କର ଭୂମିକମ୍ପ ଯୋଗୁଁ ମୃତ୍ୟୁ ହୋଇଛି । ୧୯୫୫ ସେପ୍ଟେମ୍ବରରେ ହୋଇଥିବା ଭୂମିକମ୍ପରେ ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା । କେହି କେହି ଏହି ସଂଖ୍ୟା ୬୦ ହଜାର ବୋଲି ମଧ୍ୟ କହୁଥିଲେ । ୧୮୨୮ରେ ୧୦୦୦, ୧୮୮୫ରେ ୩୦୦୦, ୧୮୯୭ରେ ୧୫୪୨, ୨୦୦୫ରେ ୮୬ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments