Monday, May 20, 2024
Homeଅନ୍ୟାନ୍ୟମଶା କବଳରେ ଓଡ଼ିଶା: ଡେଙ୍ଗୁ ଓ ମ୍ୟାଲେରିଆ

ମଶା କବଳରେ ଓଡ଼ିଶା: ଡେଙ୍ଗୁ ଓ ମ୍ୟାଲେରିଆ

ଭୁବନେଶ୍ବର: କିଛିଦିନ ହେଲା ରାଜ୍ୟବାସୀଙ୍କୁ ଡେଙ୍ଗୁ ଡରାଉଛି। ଏବେ ରାଜ୍ୟରେ ଦୈନିକ ଶତାଧିକ ଲୋକ ଡେଙ୍ଗୁ ଚିହ୍ନଟ ହେଉଛନ୍ତି। ଏଯାଏ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଥି ୪୦୦୦ରେ ପହଞ୍ଚି ସାରିଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ପ୍ରାୟ ୨୦୦୦ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଅର୍ଥାତ ଗତବର୍ଷ ତୁଳନାରେ ଏଥର ଡେଙ୍ଗୁ ପ୍ରକୋପ ୨ ଗୁଣ ବଢ଼ିଯାଇଛି। ଆହୁରି ୧ମାସ ଡେଙ୍ଗୁର ପ୍ରକୋପ ରହିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତିଗତ ସ୍ତରରେ ଡେଙ୍ଗୁ ପ୍ରତି ସତର୍କ ନରହିଲେ ଆଗାମୀ ଦିନରେ ସ୍ଥିତି ଉଦ୍ବେଗ ଜନକ ହୋଇପାରେ। ଚଳିତ ବର୍ଷ, ଖୋର୍ଦ୍ଧା, ଭୁବନେଶ୍ବର, ବୌଦ୍ଧ, ବାଲେଶ୍ବର, ଜଗତସିଂହପୁର, କଟକ, କେନ୍ଦୁଝର, ସୁନ୍ଦରଗଡ଼ରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜ୍ୟରେ ଚିହ୍ନଟ ହୋଇଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ ୯୦ ପ୍ରତିଶତ ରହିଛନ୍ତି।  

ଏକଦା ଦେଶର ୧ ନମ୍ବର ସ୍ମାର୍ଟ ‘ସିଟି’ର ମାନ୍ୟତା ପାଇଥିବା ଭୁବନେଶ୍ବର ଡେଙ୍ଗୁଙ୍କ ପାଇଁ ଏବେ ସ୍ବର୍ଗ ପାଲଟିଛି। ରାଜଧାନୀର ଲୋକଙ୍କୁ ସାମାନ୍ୟ ଜ୍ବର ହେଲେ ଡେଙ୍ଗୁ ଭୟ ଘାରୁଛି। ଡେଙ୍ଗୁ ଜ୍ବର ପାଇଁ ସ୍ବତନ୍ତ୍ର ମେଡିସିନ୍ ନଥିବାରୁ ଲୋକଙ୍କର ଚିନ୍ତା ବଢ଼ିଯାଉଛି। ରାଜଧାନୀ ଚିକିତ୍ସାଳୟ ଉପରେ ଡେଙ୍ଗୁ ରୋଗୀଙ୍କ ଚାପ କମାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ୟୁସିଏଚ୍ସି)ରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ୧୦ଟି ଲେଖାଏ ଶଯ୍ୟା ଡେଙ୍ଗୁ ରୋଗୀଙ୍କ ପାଇଁ ମହଜୁଦ ରହିଛି। ହେଲେ ସେଠାରେ ରୋଗୀ ରହୁନାହାନ୍ତି। ଫଳରେ ଶଯ୍ୟା ଫାଙ୍କା ପଡ଼ିଛି। ଶନିବାର ଦିନ ରାଜଧାନୀ ଚିକିତ୍ସାଳୟରେ ୫୩ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୦ଜଣ ସ୍ଥାନୀୟ ବାସିନ୍ଦା ହୋଇଥିଲା ବେଳେ ଅନ୍ୟ ୧୩ଜଣ ସ୍ଥାନାନ୍ତରିତ ହୋଇ ଆସିଥିଲେ।  

ଯୁବକଙ୍କ ମୃତ୍ୟୁ

ଡେଙ୍ଗୁ ଜ୍ବରରେ ପୀଡିତ ହୋଇ ନବରଂଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଅଧିକାରୀଗୁଡ଼ା ଗ୍ରାମର ଜଣେ ଯୁବକ ହିମେନ୍ଦ୍ର ଶେଖର ଘୋଷ (୩୪)ଙ୍କ ଶନିବାର ଦିନ ମୃତ୍ୟୁ ହୋଇଛି। ସେ ନିକଟରେ ଝାଡ଼ଖଣ୍ଡର ବାବାଧାମରୁ ସାଙ୍ଗମାନଙ୍କ ସହିତ ଘରକୁ ଫେରିଥିଲେ। ଜ୍ବରରେ ପୀଡିତ ହେଲା ପରେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଲା ଯେ, ଡେଙ୍ଗୁରେ ପୀଡିତ ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହିମେନ୍ଦ୍ରଙ୍କୁ ୨୫ ତାରିଖ ଜ୍ବର ଆରମ୍ଭ ହୋଇଥିଲା ବେଳେ ୩୦ ତାରିଖ ବେଳକୁ ତାଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତାଙ୍କର ପ୍ଲେଟ୍ଲେଟ୍ ବହୁତ କମି ଯାଇଥିଲା। ସେ ଗୁରୁତର ହେଇପଡ଼ି ଥିଲେ। ତୁରଂତ ତାଙ୍କୁ ଭେଣ୍ଟିଲେଟରକୁ ନିଆ ଯାଇ ଚିକିତ୍ସା ଆରମ୍ଭ କରା ଯାଇଥିଲା। ମାତ୍ର ଶୁକ୍ରବାର-ଶନିବାର ମଧ୍ୟରାତି ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବଢ଼ିଲାଣି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା

କେବଳ ଡେଙ୍ଗୁ ନୁହେଁ। ମଶାମାନଙ୍କର ପ୍ରାଦୂର୍ଭାବ ବଢ଼ିଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୬ରୁ ୨୦୨୨ ମଧ୍ୟରେ ମ୍ୟାଲେରିଆ ସ୍ଥିତି କ୍ରମାଗତ ହ୍ରାସ ପାଇଥିବା ବେଳେ ୨୦୨୩ରେ ପୁଣି ବଢ଼ିବା ଆରମ୍ଭ କରିଦେଇଛି। ଦେଶରେ ଛତିଶଗଡ଼ ପରେ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ଅଛି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉନାହିଁ। ମେ’ମାସ ସୁଦ୍ଧା ଦେଶରେ ମ୍ୟାଲେରିଆରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଏଥିରେ ଗୋଟିଏ ମୃତ୍ୟୁ ଓଡ଼ିଶାରୁ ରହିଛି। ରାଜ୍ୟରେ ସ୍ବତନ୍ତ୍ରଭାବେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ‘ଦମନ’ କାର୍ଯ୍ୟକ୍ରମ ଚାଲୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମ୍ୟାଲେରିଆ ସଂଖ୍ୟା ବଢ଼ିବା ‘ଦମନ’ର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇଛି। ମ୍ୟାଲେରିଆ ନିୟନ୍ତ୍ରଣ ଯେଉଁ ପ୍ରମୁଖ କେତୋଟି ଦିଗ ରହିଛି ତହିଁରେ ଔଷଧୀୟ ମଶାରି ଗୁରୁତ୍ବପୂର୍ଣ୍ଣ। ୨୦୧୮ ମସିହାରେ ରାଜ୍ୟରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା। ଏହି ମଶାରିର ଅବଧି ୩ବର୍ଷ ଥିଲା। ଗତବର୍ଷ ଡିସେମ୍ବରରେ ଏହାର ଅବଧି ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଯଦି ଏହି ମଶାରି ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments