Monday, May 20, 2024
Homeଅନ୍ୟାନ୍ୟରାଜ୍ୟରେ ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର

ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥାର ବିକଳ ଚିତ୍ର

ଭୁବନେଶ୍ବର: ଓଡ଼ିଶା ସରକାର ସ୍ବାସ୍ଥ୍ୟ ସେବା ନେଇ ବିକାଶର ଡେଙ୍ଗୁରା ବଜାଉଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା ପ୍ରସ୍ତୁତ କରିଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ବାହାସ୍ପୋଟ ମାରୁଛନ୍ତି। କିନ୍ତୁ କ୍ଷୋଭର କଥା ହେଲା ଯେ, ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟାବସ୍ଥା କିଭଳି ଭାବେ ପରିଚାଳିତ ହେଉଛି ତାହାର ସେନେଇ ଉପଯୁକ୍ତ ସମୀକ୍ଷା କରି ପଦକ୍ଷେପ ନେଉ ନାହାନ୍ତି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଏକ ପ୍ରକାର ସନ୍ତୋଷ ଜନକ। କିନ୍ତୁ ସଂପୂର୍ଣ୍ଣ ଭାବେ ନୁହେଁ। କାରଣ ସରକାର ରାଜ୍ୟର ସର୍ବପୂରାତନ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ହଜାର ହଜାର ରୋଗୀ ମାଟି ଚଟାଣ ଉପରେ ଗଡୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଖରା, ବର୍ଷା ଓ ଶୀତୁଆ ରାତିରେ ରୋଗୀଙ୍କ ବିକଳ ଚିତ୍ର ବୁଦ୍ଧିଜୀବୀଙ୍କୁ ହତବାକ କରିଦେଇଥାଏ। ରାଜ୍ୟ ସରକାରଙ୍କ ବଡ଼ ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା‘ରୁ ମଧ୍ୟ ସମସ୍ତ ହିତାଧିକାରୀ ସୁବିଧା ପାଇପାରୁ ନଥିବା ଅଭିଯୋଗ ହୋଇଥାଏ।

ବୁର୍ଲା ବଡ଼ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଅତି ଗମ୍ଭୀର। ଅଳ୍ପ କିଛି ବର୍ଷ ମଧ୍ୟରେ ସରକାର ରାଜ୍ୟରେ ଅନେକଗୁଡ଼ିଏ ମେଡିକାଲ କଲେଜ ନିର୍ମାଣ କରିଛନ୍ତି। ସବୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାଗୁଡ଼ିକ ୫ରୁ ୬ ମହଲା ହୋଇଯାଇଛି। ମାତ୍ର ଚିକିତ୍ସା ବ୍ୟବସ୍ଥା ଅତି ନିମ୍ନମାନର। ଏଠାରେ ଚିକିତ୍ସା ଭିତ୍ତିଭୂମି ନାହିଁ। ଆବଶ୍ୟକ ପରିମାଣରେ କର୍ମଚାରୀ ନଥିବାରୁ ରୋଗୀଙ୍କୁ ଚିକିତ୍ସା ମିଳିପାରେ ନାହିଁ। ଫଳରେ ଉପସ୍ଥିତ କର୍ମଚାରୀମାନେ ବଡ଼ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଥାନ୍ତି। ଜିଲ୍ଲା ଡାକ୍ତରଖାନାଗୁଡ଼ିକ ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଆହୁରି ଦୟନୀୟ। ଜିଲ୍ଲା ଡାକ୍ତରଖାନାରେ ସାମାନ୍ୟ ଜ୍ବର, କାଶ ଓ ଥଣ୍ଡା ଭଲ ହୋଇଥାଏ। କୌଣସି ରୋଗକୁ ଏଠାରେ ଭଲ କରାଯାଇ ପାରି ନଥାଏ। ସେହିପରି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରାମାଞ୍ଚଳର ଲୋକଙ୍କର ଆଶାନୁସାରେ ଚିକିତ୍ସା ମିଳିପାରୁ ନଥିବା ଅଭିଯୋଗ ହେଉଛି।  

ଛଟପଟ ହେଲେ ବାପ-ଝିଅ

ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କିଭଳି ରହିଛି ସୋମବାର ଦିନ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଦେଖିବାକୁ ମିଳିଛି। ବାଇକ୍ ଧକ୍କାରେ ଗୁରୁତର ବାପା-ଝିଅ ସରକାରୀ ଆମ୍ବୁଲାନ୍ସ ପାଇଁ ୬ ଘଣ୍ଟା ଅପେକ୍ଷା କରିଥିଲେ। କିନ୍ତୁ ଏହି ସୁବିଧା ନମିଳିବା ପରେ ଶେଷରେ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସ ନେଇ ଫୁଲବାଣୀ ଯାଇଥିଲେ। ସ୍ଥାନୀୟ ୧ନଂ ୱାର୍ଡସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡୁଗୁଡ଼ି ବାସିନ୍ଦା ପୀଡିତ ରବି ଗୌଡ଼ ବହୁତ ଗରିବ। ଘରୋଇ ଆମ୍ବୁଲାନ୍ସ ଭଡ଼ା ଫୁଲବାଣୀ ଯିବା ଦ୍ବାରା ସେ ମାନସିକ କଷ୍ଟ ନିଶ୍ଚିତ ଭାବେ ପାଇଛନ୍ତି। ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ସରକାରୀ ଆମ୍ବୁଲାନ୍ସ ନାହିଁ। ଏଥି ପାଇଁ ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କୁ ହଇରାଣ ହେବାକୁ ପଡୁଛି। ଦୁର୍ଗମ, ଉପାନ୍ତ ଓ ଆଦିବାସୀବହୁଳ ଜିଲ୍ଲାର ଗରିବ ଲୋକଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ଏଥି ପାଇଁ ପଦକ୍ଷେପ ନେଇପାରୁ ନାହାନ୍ତି।  

ଟ୍ରଲି ଉପରେ ମା’ ହେଲେ ମହିଳା

ଗର୍ଭବତୀ ଓ ମହିଳାଙ୍କୁ ସହଜରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଜନନୀ ଏକ୍ସପ୍ରେସ୍ (୧୦୨ ଆମ୍ବୁଲାନ୍ସ) ପରିଚାଳନା କରୁଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାରୁ ସମସ୍ତେ ସୁବିଧା ପାଇପାରୁ ନାହାନ୍ତି। ଗମନାଗମନ ବ୍ୟବସ୍ଥା ଉନ୍ନତମାନର ନଥିବାରୁ କେତେବେଳେ ଆମ୍ବୁଲାନ୍ସ ଗର୍ଭବତୀଙ୍କ ନିକଟକୁ ପହଞ୍ଚି ପାରୁ ନଥିବା ବେଳେ ଆଉ ଅନେକ ସମୟରେ ପରିଚାଳନାରେ ଆନ୍ତରିକତା ନଥିବାରୁ ପୀଡିତା କଷ୍ଟ ପାଉଛନ୍ତି। ମାଲକାନଗିରି, ରାୟଗଡ଼ା, ନବରଂଗପୁର, କେନ୍ଦୁଝର ଓ ମୟୂରଭଂଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହା ନୀତିଦିନିଆ ଖବର ହୋଇଯାଇଛି। କିନ୍ତୁ ବିକଶିତ ବାଲେଶ୍ବର ଜିଲ୍ଲାରେ ଲୋକଙ୍କୁ ୧୦୨ ଆମ୍ବୁଲାନ୍ସ ନମିଳିବା ଦୁର୍ଭାଗ୍ୟ ଜନକ କଥା। କିନ୍ତୁ ଗତ ରବିବାର ଦିନ ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଜଣେ ମହିଳାଙ୍କୁ  ଭର୍ତ୍ତି କରାଯାଇଥିଲା, ଯିଏ କି ଟ୍ରଲିରେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏଭଳି କରୁଣ ଚିତ୍ର ସମସ୍ତ ଜନମାନସକୁ ହତବାକ କରିଦେଇଥିଲା। ମହିଳା ଜଣକ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଫୋନ କରିଥିଲେ। ଏହା ଆସିବାରେ ବିଳମ୍ବ ଘଟିବାରୁ ଶେଷରେ ପରିବାର ଲୋକେ ଏକ ଟ୍ରଲି ରିକ୍ସାରେ ନୀଳଗିରି ଡାକ୍ତରଖାନାକୁ ନେଉଥିଲେ। କିନ୍ତୁ ମହିଳା ଜଣକ ଅଧ ରାସ୍ତାରେ ଟ୍ରଲିରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments