Monday, May 20, 2024
Homeମାଟ୍ରିକ୍ ଫଳାଫଳ: ରାଜରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ
Array

ମାଟ୍ରିକ୍ ଫଳାଫଳ: ରାଜରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଯୋଗୁଁ ଶିକ୍ଷାବର୍ଷ ୨୦୨୦-୨୧ ବ୍ୟାପକ ଭାବେରେ ପ୍ରଭାବିତ ହେବା ସତ୍ୱେ ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ପରୀକ୍ଷା କରିବାକୁ ଉଦ୍ୟମ କରିଥିଲେ । ଅଫ୍‌ଲାଇନ୍ କ୍ଲାସ ୧୦୦ ଦିନ ହୋଇପାରିଥିଲେ, ବାର୍ଷିକ ପରୀକ୍ଷା ହୋଇପାରିଥାନ୍ତା । ମାତ୍ର ଅଫ୍‌ଲାଇନ୍ କ୍ଲାସ ୧୦୦ ଦିନ ନପୂରୁଣୁ ରାଜ୍ୟକୁ ମାଡ଼ି ଆସିଥିଲା ମହାମାରୀ । ସରକାର ପରିସ୍ଥିତିରେ ପଡ଼ି ବିକଳ୍ପ ମାଧ୍ୟମରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ବାହାର କଲେ । ପିଲାମାନେ ଓ ସେମାନଙ୍କର ଅଭିଭାବକମାନେ ଯେପରି ଅସନ୍ତୁଷ୍ଟ ନ ହେବେ, ସେଭଳି ମାର୍କ ମଧ୍ୟ ଦିଆଯାଇଛି ।

ମାଟ୍ରିକ ଫଳାଫଳ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ପିଲାମାନେ ନିଜ ନିଜ ସ୍କୁଲରେ ଶିକ୍ଷକଙ୍କୁ ମାଟ୍ରିକରେ ଆସିଥିବା ନମ୍ବର ନେଇ ଅଭିଯୋଗ ଆଣିଛନ୍ତି । କିଛି ସ୍ଥାନରେ ଛାତ୍ର ଅଶାନ୍ତି ଦେଖାଯାଇଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ୱର ହାଇସ୍କୁଲର ଛାତ୍ରଛାତ୍ରମାନେ ମାଟ୍ରିକ ଫଳାଫଳ ନେଇ ଅସନ୍ତୁଷ୍ଟ ବିଦ୍ୟାର୍ଥୀମାନେ ରାସ୍ତାରୋକ କରିଛନ୍ତି । ସେମାନେ ରେଜଲ୍ଟ କମ ଆସିବା ନେଇ ଶିକ୍ଷକଙ୍କ ଠାରୁ ପରାମର୍ଶ ନେବା ପାଇଁ ଆସିଥିଲେ । କିନ୍ତୁ ଶିକ୍ଷକଙ୍କର ଉତ୍ତର ପିଲାମାନଙ୍କୁ ନସୁହାଇବାରୁ ଶେଷରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ପିଲାଙ୍କ ଏହି ରାସ୍ତାରୋକ ଯୋଗୁଁ ଲୋକଙ୍କର ଯାତାୟତ ପ୍ରଭାବିତ ହୋଇଥିଲା । ପରେ ପୋଲିସ ପହଂଚିବା ପରେ ସ୍ଥିତି ସୁଧୁରି ଥିଲା । ରାଜଧାନୀର ନିଳାଦ୍ରୀ ବିହାର ଶିଶୁ ମନ୍ଦିର ଓ କଟକର କଲେଜ ଛକ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମଧ୍ୟ ମାର୍କ ନେଇ ମନ ଅସନ୍ତୁଷ୍ଟ ଦେଖାଯାଇଛନ୍ତି ।

ଅନେକ ପିଲାଙ୍କୁ କଲେଜରେ ମିଳିବନି ସିଟ୍‌

ଅଭିଯୋଗ ଅନୁସାରେ ବ୍ରହ୍ମେଶ୍ୱର ହାଇସ୍କୁଲର ଅନେକ ପିଲାଙ୍କ ରେଜଲ୍ଟ ୫୦ ପ୍ରତିଶତରୁ କମ ଆସିଛି । ଚଳିତ ବର୍ଷ ଯେଭିଳ ରେଜଲ୍ଟ ରହିଛି, କମ ନମ୍ବର ଥିବା ପିଲାଙ୍କୁ କଲେଜରେ ପାଠ ପଢ଼ିବା ସୁଯୋଗ ନ ମିଳିପାରେ । ଅସନ୍ତୁଷ୍ଟ ପିଲାମାନେ ଆଗାମୀ ଦିନରେ ଅଫଲାଇନ୍ ମାଧ୍ୟମରେ ପରୀକ୍ଷା ଦେବାକୁ ସରକାର ସୁଯୋଗ ଦେଇଛନ୍ତି । କିନ୍ତୁ ପିଲାଏ ଏବେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି । ସେମାନଙ୍କର ଅଭିଯୋଗ ଅନୁସାରେ ଯେଉଁମାନଙ୍କର ଭଲ ନମ୍ବର ଆସିଛି, କଲେଜ ପାଠ ପଢ଼ିବା ଆରମ୍ଭ କରିଦେଲେଣି । ପ୍ରତ୍ୟେକ ପିଲା ଆଗକୁ ଯିବା ପାଇଁ ଚିନ୍ତା କରିଥାଏ, ଆମେ କାହିଁକି ପଛକୁ ଫେରିବୁ । ପିଲାମାନଙ୍କର ଯୁକ୍ତିକୁ ସେମାନଙ୍କ ଅଭିଭାବକମାନେ ମଧ୍ୟ ସମର୍ଥନ ଜଣାଉଛନ୍ତି । ଅନେକ ଅଭିଭାବକଙ୍କ ବୟାନ ହେଲା, ସେମାନଙ୍କର ପିଲା ଅଫଲାଇନରେ ପରୀକ୍ଷା ଦେଇଥିଲେ ୯୦ ପ୍ରତିଶତ ନମ୍ବର ଆଣିଥାନ୍ତେ ।

ପୂର୍ବ ପ୍ରଦର୍ଶନ ଆଧାରରେ ଫଳାଫଳ

ଦଶମ ଶ୍ରେଣୀରେ ଯେହେତୁ ଟେଷ୍ଟ ପରୀକ୍ଷା ହୋଇ ପାରି ନଥିଲା, ଶିକ୍ଷା ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଦର୍ଶନ ଆଧାରରେ ପିଲାମାନଙ୍କର ଫଳ ବାହାର କରିଥିଲେ । କରୋନା ଭାଇରସ ସଂକ୍ରମଣ ଯୋଗୁଁ ମାଟ୍ରିକ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ି ନାହିଁ ସତ, କିନ୍ତୁ ଫଳ କିଛି କମ ଆସିନାହିଁ । ବିନା ପରୀକ୍ଷାରେ ସ୍କୁଲ ଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ହୋଇଛି । ଏଥି ସହିତ ଚଳିତ ବର୍ଷ ପାସ୍ ପ୍ରତିଶତ ୯୭.୮୯ ପ୍ରତିଶତରେ ପହଂଚିଛି, ଯାହାକି ପୂର୍ବରୁ ଏଭଳି ଦେଖାଯାଇ ନଥିଲା । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୨୦୧୮-୧୯ରେ ଏହା ୭୦.୭୮ ପ୍ରତିଶତ ଥିଲା ।

ଅଫ୍‌ଲାଇନ୍‌ରେ ପରୀକ୍ଷା ସୁଯୋଗ

ଚଳିତ ବର୍ଷ ମାଟ୍ରିକ୍ ଫଳ ଯଦିଓ ରେକର୍ଡ ସୃଷ୍ଟି କରିଛି । ତଥାପି ରାଜ୍ୟର ହଜାର ହଜାର ଛାତ୍ର-ଛାତ୍ରୀ ଓ ସେମାନଙ୍କର ଅଭିଭାବକ ରେଜଲ୍ଟ ନେଇ ସନ୍ତୁଷ୍ଟ ନୁହଁନ୍ତି । ଅନେକ ପିଲାଙ୍କ ଅଭିଯୋଗ ଯେ, ମୂଲ୍ୟାଙ୍କନ ଠିକ୍ ଭାବରେ କରାଯାଇଛି । କେତେକ ପିଲା କୁହନ୍ତି, ପରୀକ୍ଷା ହୋଇଥିଲେ, ସେମାନେ ଅଧିକ ନମ୍ବର ଆଣିଥାନ୍ତେ । ଯଦି ଅଫଲାଇନ୍‌ରେ ପରୀକ୍ଷା ଦେଇ ଅଧିକ ନମ୍ବର ଆଣିପାରିବେ ତା’ହେଲେ ସେହି କାମ କରିବାକୁ ସରକାର ସୁଯୋଗ ଦେଇଛନ୍ତ । ମାଟ୍ରିକ ଫଳାଫଳ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ଯେଉଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଚାହିଁବେ, ସରକାର ତାଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ଫର୍ମ ଫିଲପ୍ କରାଯିବ । କରୋନା ଭାଇରସ ସ୍ଥିତି ଦେଖି ଏହା ପରେ ପରୀକ୍ଷା ପାଇଁ ତାରିଖ ସୂଚାଇ ଦିଆଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments