Saturday, April 27, 2024
Homeଖବରପ୍ରମୁଖ ଖବରମେଣ୍ଟ ନହେଲେ କର୍ମୀ, ସମର୍ଥକ ଖୁସି

ମେଣ୍ଟ ନହେଲେ କର୍ମୀ, ସମର୍ଥକ ଖୁସି

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାବାସୀ ଯାହା ଚାହୁଁଥିଲେ ତାହା ହୋଇଛି। କେବଳ ଦଳୀୟ ନେତା ନୁହେଁ, ବରଂ କର୍ମୀ, ସମର୍ଥକ ଓ ରାଜନୀତି ପ୍ରତି ରୁଚି ରଖିଥିବା ପ୍ରଶଂସକମାନଙ୍କ ଉତ୍ସାହକୁ ବଳ ମଳିଛି। ଆଗାମୀ ନିର୍ବାଚନରେ କୋଟିକୋଟି ଜନତା ପରିବର୍ତ୍ତନ ଚାହୁଁଥିବା ବେଳେ ଗତ ୬ ତାରିଖ ଠାରୁ ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିଲା। ଉଭୟ ଦଳର ଉପରସ୍ତରରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ମାତ୍ର ଭାଗବଣ୍ଟାକୁ ନେଇ ଅଙ୍କ ନଛାଡ଼ିବାରୁ ଏବେ ମେଣ୍ଟରେ ବିରାମ ଲାଗିଛି। ତେବେ ଉଭୟ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ନହେବା ପର୍ଯ୍ୟନ୍ତ କିଛି ହେବ ନାହିଁ ବୋଲି ମଧ୍ୟ ଅନେକଙ୍କ ସନ୍ଦେହ ଉପୁଜୁଛି।

ବିଜେଡି ସମର୍ଥକମାନେ  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ପୋଷ୍ଟ ପରେ ସ୍ପଷ୍ଟ ହୋଇଯାଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମେଣ୍ଟ ହେବ ନାହିଁ। ଉଭୟ ଦଳ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବେ। ଉଭୟ ଦଳ ଏକାକୀ ଲଢ଼ିଲେ ଭଲ ହେବ ବୋଲି ମଧ୍ୟ ଓଡ଼ିଶାବାସୀ ଚାହାନ୍ତି। କାରଣ ମେଣ୍ଟକୁ କେବଳ ଦଳର ଉପରସ୍ତରରେ ନେତାମାନେ ପସନ୍ଦ କରୁଥିବା ବେଳେ କର୍ମୀ, ସମର୍ଥକ ଓ ପ୍ରଶଂସକ ପସନ୍ଦ କରୁ ନଥିଲେ।

ପ୍ରଣବ କହିଲେ ଏମିତି

ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ। ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ ଓ ରାଷ୍ଟ୍ରନୀତିଜ୍ଞତା ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ। ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ।

ମନମୋହନଙ୍କ ପୋଷ୍ଟ
ମନମୋହନ ସାମଲ କହିଛନ୍ତି ଯେ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ ।
କଣ କହିଥିଲେ ଅମିତ, ପାଣ୍ଡିଆନ୍

ମେଣ୍ଟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ମେଣ୍ଟ ସବୁବେଳେ ଭୋଟ ହାସଲ ପାଇଁ ହୋଇନଥାଏ। ଶାହ କହିଥିଲେ ଯେ, ଗତ ୫ ବର୍ଷ ମଧ୍ୟରେ ଜାତୀୟ ହିତ ନିମନ୍ତେ କିଛିକିଛି ରାଜନୈତିକ ଦଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଆସିଛନ୍ତି। ବିଜେଡିକୁ ଇଙ୍ଗିତ କରି ସେ ଏହି ବକ୍ତବ୍ୟ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ପୂର୍ବରୁ ସେ କହିଥିଲେ ଯେ, ”ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନଇ କାର୍ଯ୍ୟ କରୁଛୁ। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଆଶା ରହିଛି। ସେହିଭଳି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମେଣ୍ଟ ଯଦି ହୁଏ ତାହେଲେ ତାପଛର କାରଣଟି ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ରର ବୃହତ୍ତର ସ୍ବାର୍ଥ ପାଇଁ ହେବ। ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ ଏବଂ କେନ୍ଦ୍ରରେ ବିଜେପିକୁ କ୍ଷମତାକୁ ଆସିବା ଲାଗି ବିଜେଡିର ଆବଶ୍ୟକତା ନାହିଁ।  

 ଅନୈତିକ ମେଣ୍ଟ ହୋଇଥାନ୍ତା: ଭର୍ତ୍ତୃହରି

ବିଜେଡି-ବିଜେପି ମେଣ୍ଟକୁ ଅନୈତିକ କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି ଯେ, ଏହା ଅନ୍‌ ଏଥିକାଲ ହୋଇଥା’ନ୍ତା। ଏକ ଅନ୍‌ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା। ମେଣ୍ଟ ହେଲାନାହିଁ। ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଲା ପରେ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଶ୍ରୀ ମହତାବ୍‌ କଟକରେ କହିଛନ୍ତି, ରାଜ୍ୟରେ ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି ତାହା ଜାଣିବା ପାଇଁ ଡାଏରି ଦେଖିବାକୁ ପଡ଼ିବ। ବିଜେଡି ତିଆରି ବେଳେ ଏକ କଲେକ୍ଟିଭ୍‌ ରେସ୍‌ପନ୍‌ସିବିଲିଟି ଥିଲା। ତାହା ଆମେ ଅନେକ ଦିନରୁ ହଜାଇ ଦେଲୁଣି। ୧୯୮୦-୯୦ ଦଶକ‌ରେ ବିଜେଡିର ଯେଉଁ ଭାବମୂର୍ତ୍ତି ଥିଲା, ଏବେ ତାହା ନାହିଁ। ଦଳର ସଂଚାଳନା ଓ ପରିଚାଳନାରେ ବହୁତ ଅସୁବିଧା ଅଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments