Monday, May 20, 2024
Homeହାତୀ-ମଣିଷ ଲଢ଼େଇ..., ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାଲାମାଲ
Array

ହାତୀ-ମଣିଷ ଲଢ଼େଇ…, ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାଲାମାଲ

ଭୁବନେଶ୍ୱର: ପୁରାଣ ଯୁଗରୁ ହାତୀକୁ ଲକ୍ଷ୍ମୀ ଭାବେ ସମ୍ମାନ ଦିଆଯାଇ ଆସୁଛି। ଆଶ୍ୱିନ ମାସରେ ହାତୀକୁ ନେଇ ମା’ ଗଜଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଜଙ୍ଗଲର ଏହି ବୃହତ୍‌ ଜନ୍ତୁ ଏବେ ଆଉ ସୁରକ୍ଷିତ ନାହିଁ। ଜୀବଜଗତର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ‘ମଣିଷ’ ଦ୍ୱାରା ହାତୀର ମୃତ୍ୟୁ ହେଉଛି। ବଣ ଜଙ୍ଗଲ ଦିନକୁ ଦିନ ପଦା ହୋଇଯାଉଥିବା ବେଳେ ହାତୀମାନେ ବାଧ୍ୟ ହୋଇ ଚାଷ ଜମି, ଗାଁ ଗଣ୍ଡାରେ ପଶି ତାଣ୍ଡବ ରଚୁଛନ୍ତି। ହାତୀମାନେ ପଦାକୁ ବାହାରି ଆସିବା ଦ୍ୱାରା ମଣିଷର ମଧ୍ୟ ଶିକାର ହେଉଛନ୍ତି। ଅପରପକ୍ଷେ ହାତୀ ହାବୁଡ଼ରେ ପଡ଼ି ରାଜ୍ୟରେ ବିଗତ ଦିନରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ହାତୀ ଯୋଗୁଁ ମଣିଷମାନଙ୍କର ମୃତ୍ୟୁ ହେବା ଫଳରେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଲାଭ ହେଉଛି।

ବନ୍ୟ ଜନ୍ତୁ ଆକ୍ରମଣରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ, ସରକାର ପୀଡିତ ପରିବାରକୁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିଥାନ୍ତି। କିନ୍ତୁ ଏହି ଅନୁକମ୍ପାମୂଳକ ରାଶି ପୀଡିତ ପରିବାରକୁ ମିଳିବା ପାଇଁ ଦୀର୍ଘ ସମୟ ମଧ୍ୟ ଲାଗିଥାଏ। ଅନେକ ସ୍ଥାନରେ ଲୋକଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏହି ରାଶି ପାଇବାକୁ ସଂଘର୍ଷ କରିବାକୁ ହୋଇଥାଏ। ଏହି ଟଙ୍କା ପାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ହାତଗୁଂଜା ମଧ୍ୟ ଦେବାକୁ ପଡ଼ିଥାଏ। କିନ୍ତୁ ସରକାରୀ ବାବୁଙ୍କ ଏହି କାମ ବହୁତ କମ ବାହାରେ ଜଣାପଡ଼ିଥାଏ। କେବଳ ସେତିକି ନୁହେଁ, ହାତୀ ଦ୍ୱାରା ଘର ଭାଙ୍ଗିବା ଓ ଫସଲ ନଷ୍ଟ ହେବା ପାଇଁ ମଧ୍ୟ ସରକାର କ୍ଷତିପୂରଣ ଭାବେ ଆର୍ଥିକ ସହଯୋଗ ଦେଉଛନ୍ତି। କିନ୍ତୁ ଏହି ରାଶି ପାଇବାରେ ଲୋକଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ସୁରକ୍ଷିତ ନାହାନ୍ତି ହାତୀ

ହାତୀମାନେ ଦିନକୁ ଦିନ ବିପଦ ଆଡ଼କୁ ଠେଲି ହୋଇଯାଉଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବହୁ ଯୋଜନା କରୁଛନ୍ତି ସତ, କିନ୍ତୁ ଏହା ଠିକ ଭାବରେ ପରିଚାଳିତ ହେଉନାହିଁ। ରାଜ୍ୟରେ ସୋମବାର (ଅକ୍ଟୋବର ୧୧) ହାତୀ ସଂପର୍କିତ ୩ଟି ଖବର ପ୍ରକାଶ ପାଇଛି। ସୁନ୍ଦରଗଡ଼ରେ ଜଣେ ସରକାରୀ ବାବୁ ହାତୀ ଆକ୍ରମଣରେ ମୃତ ପରିବାରକୁ କ୍ଷତିପୂରଣ କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦ୍ୱିତୀୟ ଖବର ହେଲା- ଦେବଗଡ଼ ଜିଲ୍ଲାରେ ହାତୀ ଦାନ୍ତ ବିକ୍ରି କରିବାକୁ ଉଦ୍ୟମ ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ଉ କରି ଜଣେ ବେପାରୀକୁ ଗିରଫ କରିଛି। ସେହିପରି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଂଚଳର ସୁରଭି ଗାଁର ମଧୁସୂଦନ ସ୍ୱାଇଁ (୫୦) ନାଁରେ ଜଣେ ଶ୍ରମିକ କଂପାନୀକୁ କାମ କରିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି।  

ବନ ଅଧିକାରୀ ନେଲେ ୧୦ ହଜାର ଟଙ୍କା ଲାଞ୍ଚ

ସୁନ୍ଦରଗଡ଼ ନବଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହୋତା ସୋମବାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଦେଓଭୂବନପୁର ନିବାସୀ ପାତ୍ରାସ ବାର୍ଲାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ହୋତା ହାତୀ ଆକ୍ରମଣରେ ମୃତ ବାପାଙ୍କ କ୍ଷତିପୂରଣ ରାଶି କରାଇଦେବାକୁ ପୁଅ  ଠାରୁ ଲାଞ୍ଚ ନେଉଥିଲେ।  ଭିଜିଲାନ୍‌ସ ଟିମ୍‌ ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆଯାଇଥିବା ୧୦ ହଜାର ଟଙ୍କା ଜବତ କରିଥିଲା। ସୂଚନାଯୋଗ୍ୟ, ପାତ୍ରାସ ବାର୍ଲାଙ୍କ ବାପା ଧରୋ ବାର୍ଲା ୨୦୧୯ରେ ହାତୀ ଆକ୍ରମଣରେ ଜୀବନ ହରାଇଥିଲେ। କିନ୍ତୁ ୨ ବର୍ଷ ପରେ ମଧ୍ୟ ଅନୁକମ୍ପାମୂଳକ ରାଶି ମିଳି ନଥିବାରୁ ଶ୍ରୀ ହୋତାଙ୍କ ସାହାଯ୍ୟ ନେଇଥିଲେ। କିନ୍ତୁ ଟଙ୍କା ଲୋଭି ବନ କର୍ମଚାରୀ ଫାଇଲ ଆଗକୁ ବଢ଼ାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  

୨ ହାତୀ ଦାନ୍ତ ଜବତ

ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀ ଗ୍ରାମରୁ ସୋମବାର ୨ଟି ହାତୀ ଦାନ୍ତ ଜବତ ହୋଇଛି। ଏହା ବିକ୍ରିପାଇଁ ଆସିଥିବା ଖବର ପାଇ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ଗ୍ରାହକ ହୋଇ ସେଠାରେ ପହଞ୍ଚି ଥିଲା। ପୁଲିସ କର୍ମଚାରୀ ସବ ଇନିସ୍ପେକ୍ଟର ବୁଧରାୟ ମାଝୀ ଗ୍ରାହକ ବେଶରେ ପହଞ୍ଚି ହାତୀ ଦାନ୍ତକୁ ପନ୍ଦର ଲକ୍ଷ ଟଙ୍କା କିଣିବାକୁ ମୁଲଚାଲ କରିଥିଲେ। ସେହି ସମୟରେ ଟିମ୍‌ର ମୁଖ୍ୟ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଟିମ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିନେଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments