Monday, May 20, 2024
Home୨୪ ଘଣ୍ଟାର ବର୍ଷାରେ ସ୍ଥିତି ବେହାଲ
Array

୨୪ ଘଣ୍ଟାର ବର୍ଷାରେ ସ୍ଥିତି ବେହାଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ନେଇ କେନ୍ଦ୍ର ସରକାର ଓ ବିଜୁ ଏକ୍ସପ୍ରେସ୍ ହାଇୱେକୁ ନେଇ ରାଜ୍ୟ ସରକାର ଯୋଗାଯୋଗ ନେଇ ବିକାଶର ଭାଷଣବାଜୀ କରୁଛନ୍ତି । ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ କେନ୍ଦ୍ର ସରକାର ଡେଙ୍ଗୁରା ପିଟୁଛନ୍ତି । ସେହିପରି ୨୩ ବର୍ଷର ନବୀନ ସରକାର ମଧ୍ୟ କମ୍ ନୁହଁନ୍ତି । ବିଗତ କିଛି ଦିନରେ ଦେଶର ୨ୟ ମୁଖ୍ୟମନ୍ତ୍ରୀ ଭାବେ ସେବା ଯୋଗାଇ ନିଜକୁ ଗର୍ବ ମନେ କରୁଛନ୍ତି । କିନ୍ତୁ କ୍ଷୋଭର ବିଷୟ ଯେ, ଆଜି ମଧ୍ୟ ରାଜ୍ୟରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବର୍ଷା ହେଲେ ଅନେକ ସ୍ଥାନକୁ ଯୋଗାଯୋଗ ଠପ୍ ହୋଇଯାଏ । ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଶତାଧିକ ଗାଁର ଲୋକେ ଏକପ୍ରକାର ଜଳବନ୍ଦୀ ହୋଇଯାଆନ୍ତି । ଏହା ହେଉଛି ଓଡ଼ିଶାର ଏକ ବିକାଶର ନମୁନା । କେନ୍ଦୁଝର, ମାଲକାନଗିରି, ସୁବର୍ଣ୍ଣପୁର, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ଏଭଳି ଅନେକ ଗୁଡ଼ିଏ ଗାଁ ରହିଛି ଯେଉଁଠି ୨୪ ଘଣ୍ଟା ଲଗାତାର ବର୍ଷା ହେଲେ ଲୋକଙ୍କର ଦୁଃଖ ଅନେକ ଗୁଣ ବଢ଼ିଯାଇଥାଏ ।

୨୪ ଘଣ୍ଟାର ବର୍ଷାରେ ୫୦ଗାଁ ବିଚ୍ଛିନ୍ନ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ହେଉଛି ଦ୍ୱିତୀୟ ଉପଖଣ୍ଡ । ଏହି ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବାଣିଜ୍ୟ ପାଇଁ ସମ୍ବଲପୁର ଉପରେ ନିର୍ଭର କରନ୍ତି । ବୀରମହାରାଜପୁରରୁ ମୋଚିବାହାଲ ଦେଇ ସମ୍ବଲପୁରକୁ ଏକ ରାସ୍ତା ଯାଇଛି । ଯେଉଁ ରାସ୍ତାରେ ଘୁଙ୍ଗିନାଳ ପଡ଼ିଥାଏ । ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଏହି ପୋଲ ଉପରେ ବିଗତ କିଛି ବର୍ଷ ହେଲା ବିପର୍ଯ୍ୟୟ ଦେଖାଯାଉଛି । ଚଳିତ ଥର ମଧ୍ୟ ଜୁଲାଇ ୨୮ ତାରିଖରେ ଏହି ପୋଲ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି । ଭୋର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେବା କାରଣରୁ ଦିନସାରା ଲୋକଙ୍କର ଯାତାୟତ ଠପ୍ ହୋଇଯାଇଛି । ଏହି ପୋଲ ଉପରେ ପ୍ରତ୍ୟହ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ୪ଟି ପଂଚାୟତର ୫୦ରୁ ଊର୍ଦ୍ଧ୍ୱ ଗାଁର ଲୋକଙ୍କ ପାଇଁ ଜୀବନରେଖା ପାଲଟିଛି ।  ତିନିଟି ବସ୍ ନିୟମିତ ଚଳାଚଳ କରୁଛି । ଏଠାରେ ୩ ବର୍ଷ ହେଲା ଏକ ଉଚ୍ଚ ପୋଲ ନିର୍ମାଣ ଚାଲିଛି । ପ୍ରାୟ ୫୦ ମିଟର ଲମ୍ବ ପୋଲର ନିର୍ମାଣ ଜମି ବିବାଦ ନେଇ ଅଟକି ରହିଛି । ପ୍ରଶାସନିକ ଅବହେଳା କାରଣରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି ।

ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ଦକ୍ଷିଣ ଓଡ଼ିଶାର ବିକାଶରେ ୩୨୬ ନମ୍ବର ଜାତୀୟ ରାଜପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ ବହନ କରେ । ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ କରୁଥିବା ଏହି ଜାତୀୟ ରାଜପଥ ନବରଂଗପୁର, ମାଲକାନଗିରି, କୋରାପୁଟ ଦେଇ ଆଗକୁ ବଢ଼ିଛି । ଏହି ଜାତୀୟ ରାଜପଥ ନିକଟ ଦେଇ ମାଲକାନଗିରି ଜିଲ୍ଲାରେ ଅନେକ ନଦୀ ପ୍ରବାହିତ ହେଉଛି, ଯାହାକି ବର୍ଷା ଦିନରେ ସମସ୍ୟା ସୃଷ୍ଟି କରିଥାଏ । ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ଉପାନ୍ତ ହୋଇ ରହିଛି । ବର୍ଷା ଦିନ ଆସିଲେ ଏମ୍‌ଭି-୩୭ର ଲୋକଙ୍କର ଦୁଃଖ ବଢ଼ିଯାଇଥାଏ । ପୋଟେରୁ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଥାଏ ।

ଧୋଇନେଲା ପୋଲ, ୧୦ ଗାଁ ବିଚ୍ଛିନ୍ନ

ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ରହିଛି । କିଛି ସ୍ଥାନରେ ଲଗାଣ ବର୍ଷା ହେଉଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅର୍ଥାତ ଜୁଲାଇ ୩୦ ତାରିଖ ଠାରୁ ଆହୁରି ଅଧିକ ବର୍ଷା ହୋଇପାରେ । ଜୁଲାଇ ୨୮ ତାରିଖ ରାତି ଠାରୁ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବାଲିଗୁଡ଼ା ବ୍ଲକ ଅଧୀନ ଗାଡ଼ିପଦରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ପୋଲ ଧୋଇ ଯାଇଛି । ଏହି କାରଣରୁ ପ୍ରାୟ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଏଭଳି ଅବସ୍ଥା ଦେଖାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments