Thursday, May 9, 2024
Homeଅନ୍ୟାନ୍ୟକାୟା ମେଳାଉଛି ସ୍କ୍ରବ୍ ଟାଇଫସ୍‌

କାୟା ମେଳାଉଛି ସ୍କ୍ରବ୍ ଟାଇଫସ୍‌

ଭୁବନେଶ୍ୱର: ତିନି ବର୍ଷ ତଳେ ମହାମାରୀ କୋଭିଡ-୧୯ ସାରା ବିଶ୍ୱକୁ ଆତଙ୍କିତ କରିଥିଲା । ଲକ୍ଷ ଲକ୍ଷ ଲୋକ ଏହି ଅଜଣା ରୋଗର ଶିକାର ହୋଇ ପ୍ରାଣ ହରାଇଥିଲେ । ଭାରତ ସମେତ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲା । କୋଭିଡ-୧୯ରେ ଆତ୍ମୀୟଙ୍କୁ ହରାଇଥିବା ଥିବା ପରିବାର ଏବେବି ଝୁରି ହେଉଛନ୍ତି । ଏହାରି ମଧ୍ୟରେ ଓଡ଼ିଶାରେ ପୁଣି ଏକ ରୋଗ ମୁଣ୍ଡ ଟେକିଲାଣି । ସ୍କ୍ରବ୍ ଟାଇଫସ୍ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦୁଝର ଓ ନବରଂଗପୁରରେ ଏହା କାୟା ମେଳାଇଛି ।

ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍‌ପିଟାଲ (ଭୀମସାର୍‌)ରେ ଏପର୍ଯ୍ୟନ୍ତ ୩୦ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଛି । ସ୍କ୍ରାବ ଟାଇଫସ୍‌ର ହଟ୍‌ସ୍ପଟ ହେଉଛି ବରଗଡ଼ ଜିଲ୍ଲା । ଏହି ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଗତ ୧୪ ତାରିଖରେ ୧୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୨୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣଙ୍କର ମୃତ୍ୟୁ ହୋଇସାରିଛି । ଚଳିତ ମାସ ପହିଲା ଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । କେନ୍ଦୁଝର ଜିଲ୍ଲାରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ୮୮୭ ନମୁନାରୁ ୩୩୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସ୍କ୍ରବ୍ ଟାଇଫସ୍ କ’ଣ?

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାର ଚିଗର୍ସ ନାମକ କୀଟ କାମୁଡ଼ିଲେ ସ୍କ୍ରବ୍ ଟାଇଫସ୍ ରୋଗ ହୋଇଥାଏ । ଘାସ, ବଣବୁଦା ତଥା ମୂଷାଙ୍କ ଶରୀରରେ ଏହି କୀଟ ଚିହ୍ନଟ କରାଯାଇଛି । ଏହି କୀଟ କାମୁଡ଼ିଲେ କେହିବି ବ୍ୟକ୍ତିଙ୍କୁ ଜ୍ୱର ହୋଇଥାଏ । ଜ୍ୱର ନକମିଲେ ଏହା ଶରୀର ପାଇଁ ଘାତକ ମଧ୍ୟ ହୋଇପାରେ । ବର୍ଷା ଦିନରେ ଏହା ଅଧିକ ବ୍ୟାପିବା ସମ୍ଭାବନା ଥାଏ । ତେଣୁ ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।  

ସ୍କ୍ରବ୍ ଟାଇଫସ୍‌ରେ ମହିଳାଙ୍କ ମୃତ୍ୟୁ

ସ୍କ୍ରବ୍ ଟାଇଫସ୍ ଧୀରେଧୀରେ କାୟା ମେଳାଇବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଧୀନ ତାଳସାଗରପଡ଼ା ନିବାସୀ ଯଶୋଦା ସାହୁଙ୍କ ସ୍କ୍ରବ୍ ଟାଇଫସ୍‌ରେ ମୃତ୍ୟୁ ହୋଇଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ଯଶୋଦା ଚାଷ ଜମିକୁ କାମ କରିବାକୁ ଯାଇଥିଲେ, ଯେଉଁଥି ପାଇଁ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଗତ ୩୦ ତାରିଖରେ ପ୍ରାଣ ହରାଇଥିବା ବେଳେ ରିପୋର୍ଟ ଆସିବା ପରେ ସ୍କ୍ରବ୍ ଟାଇଫସ୍ ହେଉଛି ଏହାର କାରଣ ବୋଲି ଜଣାପଡ଼ିଛି ।

ମାର୍ଗଦର୍ଶିକା ଜାରି

ସ୍କ୍ରବ୍‌‌ ଟାଇଫସ୍‌‌କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍‌‌ଏଲ୍‌‌ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍‌‌ ମଧ୍ୟ ଉପଲବ୍ଧ କରାଯିବ। ଏହାର ବ୍ୟବହାର ସମ୍ପର୍କରେ ଡାକ୍ତରମାନଙ୍କୁ ସଚେତନ କରାଯିବା ସହ ରୋଗୀଙ୍କ ୪ପାଇଁ ଡାକ୍ତରଖାନାରେ ଆଗୁଆ ଔଷଧ ମହଜୁଦ ରଖାଯିବାକୁ କୁହଯାଇଛି। ଜ୍ୱର କିମ୍ବା ଶରୀରିକ ପୀଡ଼ା ଆରମ୍ଭ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments