Thursday, May 9, 2024
Homeଅନ୍ୟାନ୍ୟବିଶ୍ବକର୍ମା ଯୋଜନା: ବଦଳିବ କି କୌଳିକ ବୃତ୍ତିଧାରୀ ଜୀବନ

ବିଶ୍ବକର୍ମା ଯୋଜନା: ବଦଳିବ କି କୌଳିକ ବୃତ୍ତିଧାରୀ ଜୀବନ

ଭୁବନେଶ୍ବର: ଆଥିର୍କ ଓ ସାମାଜିକ ଦୃଷ୍ଟିକୋଣରୁ ଅନୁନ୍ନତ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ସରକାର କୋଟିକୋଟି ଟଙ୍କା ବିଜ୍ଞାପନ ଦେଉଛନ୍ତି। ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସହାୟତା ଦେବା ସହିତ ଉଚିତ ମାର୍ଗ ଦର୍ଶନ କରିବା ପାଇଁ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରରାମର୍ଶ ଦେଇଛନ୍ତି। ମାତ୍ର ଏସବୁ ସତ୍ତ୍ବେ ଆମ ସମାଜରେ ବିକାଶ ସମନ୍ତରାଳ ଭାବେ ଅଗ୍ରଗତି କରୁ ନାହିଁ। ଗୋଟିଏ ସ୍ଥାନରେ କିଛି ଲୋକ ବିଳାସମୟ ଜୀବନ ବିତାଉଥିବା ବେଳେ ଅନ୍ୟମାନେ ବହୁ କଷ୍ଟର ଜୀବନ କାଟୁଛନ୍ତି। କୌଳିକ ବୃତ୍ତିଧାରୀଙ୍କ ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି।

କେନ୍ଦ୍ରର ବିଶ୍ବକର୍ମା ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସ୍ବାଧୀନତା ଦିବସରେ ଘୋଷଣା କରିଥିବା ଯୋଜନା ରବିବାର (୨୦୨୩ ସେପ୍ଟେମ୍ବର ୧୭) ବିଶ୍ବକର୍ମା ପୂଜା ଅବସରରେ ‘ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଭାରତରେ ଦୀର୍ଘ ଦଶନ୍ଧି ଧରି ଚାଲିଆସିଥିବା କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କା ବ୍ୟୟ କରିବେ । ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ଜନ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମାମାନଙ୍କୁ ମାଗଣାରେ ପଞ୍ଜିକୃତ କରାଯିବ। ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ଏବଂ ପରିଚୟପତ୍ର, ମୌଳିକ ଓ ଉନ୍ନତ ପ୍ରଶିକ୍ଷଣ ସହିତ ଦକ୍ଷତା ଉନ୍ନତିକରଣ, ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ବିପଣନ ସହାୟତା ପ୍ରଦାନ କରାଯିବ। 

କାହା ପାଇଁ ବିଶ୍ବକର୍ମ ଯୋଜନା

‘ବିଶ୍ବକର୍ମା ଯୋଜନା’କୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ବିଶ୍ୱକର୍ମା ପୂଜା ଅବସରରେ ଏହା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ସମଗ୍ର ଭାରତର ଗ୍ରାମୀଣ ଏବଂ ସହରାଞ୍ଚଳର କାରିଗର ଏବଂ କାରିଗରମାନଙ୍କୁ ସହାୟତା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପୀ ଯଥା ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରଶସ୍ତ୍ର ନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା ନିର୍ମାତା, ବଣିଆ, କୁମ୍ଭାର, ମୂର୍ତ୍ତିଶିଳ୍ପୀ, ପଥର କଟାଳି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ଚଟେଇ/ଝାଡ଼ୁ ନିର୍ମାତା, କତା ବୁଣାଳି, କଣ୍ଢେଇ ଏବଂ ଖେଳନା ନିର୍ମାତା (ପାରମ୍ପରିକ), ଭଣ୍ଡାରୀ, ଫୁଲମାଳ କାରିଗର, ରଜକ ଏବଂ ମାଛଧରା ଜାଲ ନିର୍ମାତା ଅନ୍ତର୍ଭୁକ୍ତ ହେବେ। ବିଭିନ୍ନ କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ସୁଧ ଆକାରରେ ବ୍ୟାଙ୍କରୁ ଋଣ ଆଣିପାରିବେ। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଆଣିପାରିବେ, ଯେଉଁଥିରେ ମାତ୍ର ୫% ସୁଧ ଦେବାକୁ ପଡିବ। କିନ୍ତୁ ପ୍ରଶାସନ ଓ ବ୍ୟାଙ୍କ ଏହାକୁ ଗୁରୁତ୍ବ ଦେବାର ଅଛି। ମାତ୍ର ସରକାରଙ୍କ ଘୋଷଣା କେତେ ସତରେ ପରିଣତ ହେଉଛି ଦେଖିବାକୁ ରହିଲା।

ଓଡ଼ିଶାରୁ ବସନ୍ତ ପ୍ରଥମ ହିତାଧିକାରୀ

କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରିବେ। ଏହି ପରିଚୟପତ୍ର ଆଧାରରେ ଋଣ ମିଳିବ। ପ୍ରଧାନମନ୍ତ୍ରୀ ମୋଦୀ ଅନେକ କୌଳିକ ବୃତ୍ତିଗତଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଦେଶରେ ସୁନା କାରିଗର, କମାର, ବାରିକ, ମୋଚୀ, ବଢ଼େଇ, ବୁଣାକାର, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ, ଲୁହା କାରିଗର, ସୁନା କାରିଗର, କୁମ୍ଭାର, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଭଳି ବିଭିନ୍ନ କୌଳିକ ବୃତ୍ତିଧାରୀ ଆର୍ଥିକ ଅଭାବ କାରଣରୁ ପଛୁଆ ହୋଇ ରହିଛନ୍ତି। ଆର୍ଥିକ ସହାୟତା ପାଇଁ ବ୍ୟାଙ୍କକୁ ଗଲେ ଅଧିକାରୀଙ୍କ ଦ୍ବାରା ବହୁତ କଥା ଶୁଣିଥାନ୍ତି। କେନ୍ଦ୍ରର ନୂଆ ଯୋଜନାରେ ଏଭଳି ଅନଗ୍ରସର ଲୋକଙ୍କୁ ଆର୍ଥିକ ସହାୟତା ମିଳିଲେ ସମାଜର ଉନ୍ନତି ଆସିପାରନ୍ତା। ତେବେ ଯୋଜନା ଆରମ୍ଭ ହେବା ଅବସରରେ ଓଡ଼ିଶାରୁ ବସନ୍ତ ରଣା ମଧ୍ୟ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରିଥିବାରୁ ବସନ୍ତ ରଣା ସମ୍ମାନିତ ହୋଇଛନ୍ତି। ରଣା ସେବକ ବସନ୍ତ ମହାପ୍ରଭୁଙ୍କର ନାଗାର୍ଜୁନ, ହାତୀବେଶ ଆଦି ପ୍ରସ୍ତୁତ କରନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments