Thursday, May 9, 2024
Homeଅନ୍ୟାନ୍ୟରୂପାନ୍ତରିତ ଶିକ୍ଷାର ଅଧିକାରୀ ନୁହଁନ୍ତି ଏହି ଶିକ୍ଷକ

ରୂପାନ୍ତରିତ ଶିକ୍ଷାର ଅଧିକାରୀ ନୁହଁନ୍ତି ଏହି ଶିକ୍ଷକ

ଭୁବନେଶ୍ୱର: ବିକାଶର ମାନଦଣ୍ଡ ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ । ଏହା ହେଉଛି ବ୍ୟକ୍ତି ଅଥବା ପରିବାରର କଥା । ମାତ୍ର ଆମେ ଯେତେବେଳେ କୌଣସି ଅଞ୍ଚଳ ତଥା ରାଜ୍ୟ କି ଦେଶ ପ୍ରସଙ୍ଗରେ ବିକାଶ କଥା ଚିନ୍ତା କରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ପ୍ରାଧାନ୍ୟ ଦେଇଥାଉ । ଏହି ମୌଳିକ ଆବଶ୍ୟକତା ମଧ୍ୟରୁ ଶିକ୍ଷା ହେଉଛି ପ୍ରଥମ ସୋପାନ, ଯାହା ଦ୍ୱାରା ଅନ୍ୟ ବିକାଶ କାମଗୁଡ଼ିକ ସହଜ ହୋଇଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ୫ଟି ଲାଗୁ କରାଯାଇ ରୂପାନ୍ତରିତ ଶିକ୍ଷା ପ୍ରଚଳନ କରାଯାଇଛି । ହାଇସ୍କୁଲଗୁଡ଼ିକରେ ସବୁଜ ରଂଗ ଓ ଚିତ୍ରବିଚିତ୍ର କରି ଲୋଭନୀୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ରୂପାନ୍ତରୀତ ବିଦ୍ୟାଳୟର ଭିତରଟା ପୂରା ଫମ୍ପା । କାରଣ ରଂଗୀନ ଶିକ୍ଷା ପରିବେଶରେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇଯିବ ନାହିଁ । ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ଶିକ୍ଷକଙ୍କ ନିଯୁକ୍ତି ଓ ଭିତ୍ତିଭୂମି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମାତ୍ର ଓଡ଼ିଶାରେ ଏହା ବ୍ୟତୀକ୍ରମ ଦେଖାଯାଇଛି । ୧ଲକ୍ଷ ୩୦ ହଜାର ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ୪୦ ଲକ୍ଷ ଛାତ୍ରଛାତ୍ରୀ ଗତ ୮ତାରିଖ ଠାରୁ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟର ୫୦ହଜାର ସ୍କୁଲରେ ତାଲା ଝୁଲୁଛି । ଏମିତି ପରିସ୍ଥିତିରେ ରାଜ୍ୟର ଶିକ୍ଷା ଅଗ୍ରଗତି କରୁଛି ।

ବିଜେପି ଆଣିଲା ଅଭିଯୋଗ
ଶିକ୍ଷକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳୀୟ ମୁଖପାତ୍ର ଅନିଳ ବିଶ୍ୱାଳ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାର୍ଣ୍ଣି, ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ଏବେ ନିଜ ଦଳର ବିଧାୟକଙ୍କ ବିରୋଧରେ ସ୍ୱର ଉଠାଇବାକୁ ସମୟ ପାଉଛନ୍ତି । କିନ୍ତୁ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଉଥିଲେ ମଧ୍ୟ ତାହା ଦେଖିପାରୁ ନାହାନ୍ତି । ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅଧିକାରୀମାନେ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳକୁ ଯାଇ ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁ ନାହାନ୍ତି । ଏହା ହିଁ ପ୍ରକୃତରେ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତାର ଜ୍ୱଳନ୍ତ ଉଦାହରଣ ।

ସଚିବଙ୍କ ଗସ୍ତରେ ୫୦୦ କୋଟି ଖର୍ଚ୍ଚ
ବିଜେପି ମୁଖପାତ୍ର ଶ୍ରୀ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ଜିଲ୍ଲା ଗସ୍ତ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି । ୫ଟି ରୂପାନ୍ତରିଣ ନାଁରେ ସ୍କୁଲ କାନ୍ଥ ଓ ବାଡ଼କୁ ସବୁଜ ରଂଗ କରି ୩୪୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରୁଛି । କିନ୍ତୁ କ୍ଷୋଭର କଥା ଯେ ଶିକ୍ଷକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରା କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ ।

ପ୍ରତିଶ୍ରୁତି ହେଉଛି ପ୍ରହସନ
ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଛନ୍ତି । ୨୦୧୭ ମସିହାରେ ତତ୍‌କାଳନୀନ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରତିଶ୍ରୁତି ଦେଇଥିଲେ ଯେ, ଶିକ୍ଷକମାନଙ୍କର ସମସ୍ୟାର ସମାଧାନ କରାଯିବ । ମାତ୍ର ତାହା ପୂରଣ ନ ହେବାରୁ ଶିକ୍ଷକ ସଂଘ ୨୦୨୨ ନଭେମ୍ବରରେ ପୁଣି ରାଜରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ତତ୍‌କାଳନୀ ମୁଖ୍ୟ ଶାସନ ସଚିବ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଦାବି ପୂରା କରିବାକୁ ଆଶ୍ୱାସନା ଦେଇଥିଲେ । ତାହା ମଧ୍ୟ ପାଣିର ଗାର ହୋଇଥିଲା । ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଭୁଲି ଯାଉଥିବାରୁ ଶିକ୍ଷକମାନେ ନିର୍ଯାତନାର ଶିକାର ହେଉଥିବା ବେଳେ ପିଲାମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଥିବା ଅଭିଯୋଗ ହେଉଛି ।

ଶିକ୍ଷକଙ୍କ ଦାବି 
ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତ ଉଚ୍ଛେଦ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟାଳୟକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା ଦାବିରେ ଓଡ଼ିଶା ସାରା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଆନ୍ଦୋଳନ ଜାରି ରହିଛି । ଶିକକ୍ଷ ସଂଘ ତରଫରୁ ରାଜ୍ୟର ପ୍ରତି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ କରୁଛନ୍ତି । ଫଳରେ ପ୍ରାଥମିକ ସ୍କୁଲଗୁଡ଼ିକରେ ତାଲା ପଡ଼ିଛି । ମଧ୍ୟାହ୍ନ ଭୋଜନ ଠପ୍ ହୋଇଯାଇଛି । ସରକାର ଏଥି ପ୍ରତି ଦୃଷ୍ଟି ନଦେଲେ ପିଲାଙ୍କ ଭବିଷ୍ୟତ ବିଗିଡ଼ିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ଡରାଇଲେ ସରକାର

ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ଏଥିରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି। ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଶିକ୍ଷକମାନଙ୍କୁ ବୁଝେଇବାକୁ ଯାଇ କହିଛନ୍ତି, ଏକ ସବକମିଟି ଗଠନ କରାଯାଇଛି। କମିଟି ଶିକ୍ଷକଙ୍କ ତିନିଟି ଦାବି ଉପରେ ତର୍ଜମା କରିବ। କମିଟି ରିପୋର୍ଟ ଦେବା ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତି ନିଆଯିବ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments