Monday, May 20, 2024
Homeଅନ୍ୟାନ୍ୟକୃଷିଜାତ ଦ୍ରବ୍ୟର ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷଜ୍ଞ କମିଟିର ବୈଠକ

କୃଷିଜାତ ଦ୍ରବ୍ୟର ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷଜ୍ଞ କମିଟିର ବୈଠକ

ଜାତୀୟ ଗୁରୁତ୍ୱ ଥିବା ମାର୍କେଟ ୟାର୍ଡ ଓଡ଼ିଶାରେ କାର୍ଯ୍ୟକାରୀ ହେବ
ବେଙ୍ଗାଲୁରୁ/ ଭୁବନେଶ୍ୱର ,୯/୫: ଜାତୀୟସ୍ତରରେ ଗୁରୁତ୍ୱ ବହନ କରୁଥିବା ମାର୍କେଟ ୟାର୍ଡ ପରିକଳ୍ପନା ଓ କାର୍ଯ୍ୟକାରିତା ମାଧ୍ୟମରେ କୃଷିଜାତ ଦ୍ରବ୍ୟର ଅବାଧ ଆନ୍ତ-ମଣ୍ଡି ଓ ଆନ୍ତ-ରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ବିହାର ଓ ଓଡ଼ିଶା ରାଜ୍ୟରେ ଏହି ମାର୍କେଟ ୟାର୍ଡ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବର ସଫଳ କାର୍ଯ୍ୟାନ୍ୱୟନ ପାଇଁ କାର୍ଯ୍ୟ ଢାଞ୍ଚା ସୁପାରିଶ କରିବାର ଦାୟିତ୍ୱ ବିଶେଷଜ୍ଞ କମିଟି ଉପରେ ନ୍ୟସ୍ତ କରାଯାଇଛି । ଏ ବାବଦରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ତଥା ବିଶେଷଜ୍ଞ କମିଟିର ସଦସ୍ୟ ଶ୍ରୀ ସଂଜୀବ କୁମାର ଚଢ଼ା ସୂଚନା ଦେଇଛନ୍ତି ।
କୃଷକ ସମ୍ପ୍ରଦାୟର ନିରନ୍ତର କଲ୍ୟାଣସାଧନ ନିମନ୍ତେ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷିକ୍ଷେତ୍ରର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ବିକେନ୍ଦ୍ରୀକରଣପୂର୍ବକ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ଓ ସେମାନେ ନିର୍ଦ୍ଦିିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିକଳ୍ପନା ସାଙ୍ଗକୁ ସେସବୁ କାର୍ଯ୍ୟକାରୀ କରୁଛନ୍ତି ।
ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ଓ କୃଷକ କଲ୍ୟାଣ ବିଭାଗ (କୃଷିଭିତ୍ତିକ ମାର୍କେଟିଂ ଡିଭିଜନ) ଦ୍ୱାରା ଏହି ବିଶେଷଜ୍ଞ କମିଟି ଗଠିତ ହୋଇଛି ।
ଗୁଣବତ୍ତା, ପରିମାଣ ଏବଂ ପାରଦର୍ଶୀ ମୂଲ୍ୟ ନିରୁପଣ ବ୍ୟବସ୍ଥା ଉପରେ ଆଧାରିତ ଏକ ବରାଦ-ଚାଳିତ ବାଣିଜ୍ୟ ପ୍ରତିଷ୍ଠା ଦିଗରେ ଏହି ମାର୍କେଟ ୟାର୍ଡ ପ୍ଲାଟଫର୍ମ କାର୍ଯ୍ୟ କରିବ । ମୌଳିକ ଆପଦ ପରିଚାଳନା ଓ ସମନ୍ୱିତ ଲଜିଷ୍ଟିକ୍‌ ନୀତି ଏଥିରେ ଅନ୍ତର୍ଭୁକ୍ତ ହେବ । ଆନ୍ତ-ଜିଲ୍ଲା ଓ ଆନ୍ତ-ରାଜ୍ୟ କ୍ରେତାଙ୍କ ବିକାଶ ଉପରେ ଏହା ଗୁରୁତ୍ୱାରୋପ କରିବ । ଲଟ୍‌ ସାଇଜ, ଗୁଣବତ୍ତା ମାନକ ଏବଂ ବଜାର ନିୟମଗୁଡ଼ିକ ସ୍ଥାନ ଓ ଋତୁ ଅନୁଯାୟୀ ପରିବର୍ତ୍ତନ କରାଯିବ । ଏକ ସ୍ୱଚ୍ଛ ମୂଲ୍ୟ ନିରୁପଣ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏକ ସମନ୍ୱିତ ବିତରଣ/ ଲଜିଷ୍ଟିକ୍‌ ମଡେଲ ସହାୟତାରେ କୃଷକମାନଙ୍କ ଉତ୍ପାଦଗୁଡ଼ିକ ଆନ୍ତ-ଜିଲ୍ଲା ଏବଂ ଆନ୍ତ-ରାଜ୍ୟ କ୍ରେତାଙ୍କ ନିକଟରେ ପହଞ୍ଚାଯାଇ ପାରିବ ।
ଆନ୍ତ-ରାଜ୍ୟ ବାଣିଜ୍ୟକୁ ସୁଗମ କରିବା ପାଇଁ କୃଷିଜାତ ଦ୍ରବ୍ୟର ଗୁଣବତ୍ତା ନିର୍ଦ୍ଧାରଣ ଅତ୍ୟାବଶ୍ୟକ । ଏହାଦ୍ୱାରା ଦୂରରେ ଥିବା ବ୍ୟବସାୟୀମାନେ ପ୍ଲାଟଫର୍ମରେ ପ୍ରଦତ୍ତ ଗୁଣବତ୍ତା ମାନକଗୁଡ଼ିକୁ ଆଧାର କରି ସମୁଚିତ ନିଷ୍ପତ୍ତି ନେଇପାରିବେ ଏବଂ ସେମାନଙ୍କର ମୂଲ୍ୟ ପ୍ରଦାନ କରିପାରିବେ । ଏହି ପ୍ରକି୍ରୟାକୁ ସ୍ୱୟଂଚାଳିତ କରିବା ଏବଂ ପ୍ରଦର୍ଶନ ପାଇଁ ଇଲେକ୍‌ଟ୍ରୋନିକ୍‌ ପ୍ଲାଟଫର୍ମରେ ଫଳାଫଳଗୁଡ଼ିକର ଅବାଧ ଓ ତୃଟିଶୂନ୍ୟ ଉପସ୍ଥାପନା ଏ ସମ୍ବନ୍ଧୀୟ ବିବିଧ ଆହ୍ୱାନର ସଫଳ ସମାଧାନ କରିପାରିବ ।
ଆମ ରାଜ୍ୟରେ କପା, ମକା, ଅଦା ଓ ଲଙ୍କା କ୍ଷେତ୍ରରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ମାର୍କେଟ ୟାର୍ଡ ପ୍ଲାଟଫର୍ମ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ବୋଲି ବୈଠକ ଶେଷ ହେବା ପରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଚଢ଼ା ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments