Friday, May 10, 2024
Homeଖବରଗ୍ରୀଷ୍ମ ପ୍ରବାହ ଚିନ୍ତା ଓ ଅଂଶୁଘାତ ଭୟ

ଗ୍ରୀଷ୍ମ ପ୍ରବାହ ଚିନ୍ତା ଓ ଅଂଶୁଘାତ ଭୟ

ଭୁବନେଶ୍ୱର: ଗ୍ରୀଷ୍ମ ଲହରି ଓଡ଼ିଶାବାସୀଙ୍କୁ କଲବଲ କରୁଛି। ସକାଳ ୮ଟାରୁ ୪ଟା ପର୍ଯ୍ୟନ୍ତ ବାହାରକୁ ଯିବା ଅସହଜ ହେଉଛି। ଶରୀରରୁ ବାହାରିପଡୁଛି ଗମ୍‌ଗମ ଝାଳ। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ। ବୌଦ୍ଧ ଓ ବାରିପଦାରେ ୪୫.୨ ଡିଗ୍ରି ପାରା ଛୁଇଁଛି, ଯ‌ାହାକି ଚଳିତ ବର୍ଷର ସର୍ବୋଚ୍ଚ ଓ ବିଶ୍ବର ନବମ ସ୍ଥାନ। ଗ୍ରୀଷ୍ମ ପ୍ରବାହ ଯେଉଁଭଳି ଭାବେ ଜାରି ରହିଛି, ଆଗାମୀ ୧ ମାସ‌ ପର୍ଯ୍ୟନ୍ତ ସ୍ଥିତି ଆହୁରି ସାଂଘାତିକ ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାରିପଦା ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୧୦ ଏପ୍ରିଲ୍‌ ୨୧ରେ ବାରିପଦା ସହରର ତାପମାତ୍ରା ୪୬.୧° ରେକର୍ଡ ହୋଇଥିଲା। ୧୯୫୫ ପରଠାରୁ ଏହା ଥିଲା ସର୍ବୋଚ୍ଚ ତାପମାତ୍ରା।  

ଏହିଭଳି ସ୍ଥିତିରେ ଅଂଶୁଘାତଜନିତ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ମଧ୍ୟ ଏଡେଇ ଦିଆଯାଇ ପାରିବ ନାହିଁ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ୨, ଦେବଗଡ଼ ଜିଲ୍ଲାରେ ୨ ଓ ବଲାଙ୍ଗୀରରେ ଜଣେ ସାମିଲ ରହିଛି। ସେହିପରି ସୁନ୍ଦରଗଡ଼ରେ ଅଂଶୁଘାତ କାରଣରୁ ୨୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏବାବଦରେ ସ୍ପଷ୍ଟ କରାଯାଇ ନାହିଁ।  

ଦେବଗଡ଼ରେ ୨ ମୃତ୍ୟୁ ଅଭିଯୋଗ

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବିଛାଖଣି ଗ୍ରାମର ଟିକେଶ୍ୱର ନାଏକ (୩୨) ଗତ ୧୭ ତାରିଖ ଦିନ ଶ୍ବଶୁର ଘର ନଳବନ୍ଧ ଗ୍ରାମକୁ ରାମନବମୀ ଦେଖିବା ପାଇଁ ଯାଇଥିଲେ। ସେ ନଳବନ୍ଧ ଗ୍ରାମର ମଦଭାଟି ନିକଟରେ ଅଚେତ ହୋଇ ପଡିଥିବା ନେଇ ତାଙ୍କ ତ୍ସୀ ରୋଜିରାଣୀଙ୍କୁ ତାଙ୍କ ଭାଇ ସୂଚନା ଦେଇଥିଲେ। ସେହିପରି ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମର ମୋହନ ବେହେରାଙ୍କ ସ୍ତ୍ରୀ ଲିଙ୍ଗ ବେହେରା (୭୦)ଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଲିଙ୍ଗ ୧୯ ତାରିଖ ସକାଳେ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଦିନ ୧୨ଟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ୫ଟା ବେଳେ ସାତକିଆରୀର ଏକ ମହୁଲ ଗଛ ମୂଳରେ ମୃତ୍ୟୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୁଇ ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

ଖୋର୍ଦ୍ଧା, ବଲାଙ୍ଗୀରରେ ଅଂଶୁଘାତ ମୃତ୍ୟୁ!

କିଛି ଦିନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଏବଂ ଏବେ ଦ୍ବିତୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧୀନ ୬୪ ନମ୍ବର ୱାର୍ଡର ସଫେଇ କର୍ମଚାରୀ ଗୋଲାପ ମାହାର (୪୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ଗତ ଶୁକ୍ରବାର ଦିନ ସଫେଇ କାମ ସାରି ଘରକୁ ଫେରିଥିଲେ ଏବଂ ଅସୁସ୍ଥ ହୋଇଥିଲେ। ରାତିରେ କ୍ୟାପିଟାଲ ହସ୍ପିଟାଲ ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ସଫେଇ କର୍ମଚାରୀ ସଂଘ କହିଛି। ସେହିପରି ବଲାଙ୍ଗୀରରେ ତାତି ୪୦ ଡିଗ୍ରି ଛୁଇଁବା ସହ ଗୁଳୁଗୁଳି ହେଉଛି। ଗତମାସ ୩୦ ତାରିଖରେ ଜିଲ୍ଲାରେ ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଥିଲା। ସଦର ଥାନା ଅନ୍ତର୍ଗତ ଖୁଜେନପାଲିର ତ୍ରିନାଥ ବକୁଲ (୩୦ବର୍ଷ) ପ୍ରାଣ ହରାଇଥିଲେ।  ତ୍ରିନାଥ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବଲାଙ୍ଗୀର ସହରକୁ ଯାଇଥିଲେ। ଟାଣ ଖରାରେ ଦିନ ୨ଟା ବେଳେ ଘରକୁ ଫେରିବା ପରେ ବାନ୍ତି କରି ଟଳି ପଡ଼ିଥିଲେ। ପରିବାରବର୍ଗ ତାଙ୍କୁ ଭୀମ ଭୋଇ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣାପଡ଼ିଛି।  

ପ୍ରଧାନମନ୍ତ୍ରୀଙ୍କ ଅଂଶୁଘାତ ସମୀକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଅଂଶୁଘା ନେଇ ଏକ ବୈଠକରେ ଅଧ୍ୟକ୍ଷତା କରି ଉତ୍ତାପ ପାଇଁ ସମୀକ୍ଷା କରିଥିଲେ। ଦେଶର ଅଧିକାଂଶ ଭାଗରେ ବିଶେଷ ଭାବରେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ସମ୍ଭାବନା ରହିଥିବାରୁ ତାହାର ପ୍ରତିକାର ପାଇଁ ମୋଦୀ ସମୀକ୍ଷା କରିଥିଲେ। ବିଶେଷ କରି ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସାମ୍ଭବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଅତ୍ୟାବଷ୍ୟକ ଔଷଧ, ସାଲାଇନ୍‌, ଆଇସ୍‌ ପ୍ୟାକ୍‌, ଓଆର୍‌ଏସ୍‌ ଓ ପାନୀୟ ଜଳ ଆଦିକୁ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏହିି ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି। ସେହିପରି ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ବରିଷ୍ଠ ନାଗରିକ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅଂଶୁଘାତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବା ସହ ସବୁ ମେଡିକାଲରେ ଔଷଧ ସହ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments