Thursday, May 9, 2024
Homeଖବରରାଜନୀତିର ରଂଗ ନିଆରା

ରାଜନୀତିର ରଂଗ ନିଆରା

ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନ-୨୦୨୪ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାତାମାନେ ମତ ଦେଇଛନ୍ତି। ଆହୁରି ୬ଟି ପର୍ଯ୍ୟାୟରେ ମତ ଗ୍ରହଣ କରାଯିବ। ଏଥି ପାଇଁ ପ୍ରସ୍ତୁତି ଜୋର ଧରିଛି। ତୃତୀୟ ଠାରୁ ୬ଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍‌ ପାଇଁ କିଛି ରାଜନୈତିକ ଦଳ ପ୍ରାର୍ଥୀ ମଧ୍ୟ ଏପର୍ଯ୍ୟନ୍ତ ଘୋଷଣା କରିପାରି ନାହାନ୍ତି। ଏହାର କାରଣ ଅନେକ। ଉପଯୁକ୍ତ ପ୍ରାର୍ଥୀ ନମିଳିବା ଅଥବା ଗୋଟିଏ ଟିକେଟ ପାଇଁ ଏକାଧିକ ଆଶାୟୀଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ କରିବା ମଧ୍ୟ କାରଣ ହୋଇପାରେ।

ରାଜନୀତିର ରଂଗ ନିଆରା। ଥରେ ଯେଉଁ ବ୍ୟକ୍ତି ଲୋକପ୍ରତିନିଧି ହୋଇଯାଇଛି, ସେଥିରୁ ମୁକୁଳିବା ସହଜ ନୁହେଁ। କିନ୍ତୁ ପ୍ରତିଯୋଗିତାର ଦୁନିଆରେ ଗୋଟିଏ ଆସନ ପାଇଁ ଏକାଧିକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଯୋଗିତା। ରାଜନୀତ‌ି ଏଥିରୁ ବାଦ୍‌ ପଡ଼ିବ କେମିତି। ତେବେ ରାଜନୀତିରେ ଟିକେଟ୍‌ ହାତେଇବା ପାଇଁ ମଜବୁତ ଲବି ଦରକାର ପଡ଼ିଥାଏ ବୋଲି ମଧ୍ୟ ଅଭିଜ୍ଞମାନେ କୁହନ୍ତି। ଦଳୀୟ ସୁପ୍ରିମୋ କାହା ଉପରେ ଭରସା ରଖିବେ, ତାହା ନିଜସ୍ବ ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ତେବେ ସବୁଠାରୁ ‌କ୍ଷୋଭର ବିଷୟ ହେଲା ଜନତାକୁ ଭଲ ପାଇବା ଓ ଦଳ ପାଇଁ ଦୀର୍ଘ ଦିନ ଧରି କାମ କରିବା ନେତାଙ୍କୁ ଯଦି ଟିକେଟ୍‌ ନମିଳୁଛି, ତା’ହେଲେ ସେ କାନ୍ଦିବା ହିଁ ସାର। ଚଳିତ ସାଧାରଣ ନିର୍ବାଚନରେ ଏହିଭଳି ଦୃଷ୍ଟିଗୋଚର ହୋଇଛି।  

କାନ୍ଦିଲେ ନିମାପଡ଼ା ବିଧାୟକ

ଗତ ୧୮ ତାରିଖ ଦିନ ବିଜୁ ଜନତା ଦଳ (ବିଜେଡି) ପଞ୍ଚମ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏଥିରେ ପୁରୀ ଜିଲ୍ଲା ନିମାପଡ଼ା ଆସନ ମଧ୍ୟ ସାମିଲ ଥିଲା। ନିମାପଡ଼ା ଆସନରେ ଏଥର ବିଜେଡି ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ସମୀର ଦାସଙ୍କୁ ଟିକେଟ୍‌ ନମିଳିବା ପରେ ସେ ଭାବବିହ୍ବଳ ହୋଇଯାଇଥିଲେ। ଆଖିରୁ ଧାରଧାର ହୋଇ ଲୁହ ବାହାରି ଯାଇଥିଲା। ୨୦୦୯ରୁ କ୍ରମାଗତ ଭାବେ ୩ ଥର ବିଜେଡି ଟିକେଟ୍‌ରେ ବିଧାୟକ ହେଲା ପରେ ତାଙ୍କୁ କାହିଁକି ଏଥର ପ୍ରାର୍ଥୀ କରାଯାଇ ନଥିଲା ସମୀର କିଛି ଭାବି ପାରୁ ନଥିଲେ। ଦଳୀୟ ସୁପ୍ରିମୋଙ୍କୁ ଏବାବଦରେ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ। ତାଙ୍କ କର୍ମୀମାନେ ମେଳିରେ ଏକାଠି ହୋଇଥିଲେ। ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ।

ଭୋଟ୍‌ ମାଗିଲେ, ମଂଚରେ କାନ୍ଦିଲେ

ନିର୍ବାଚନର ରସ ଟିକିଏ ଅଲଗା। ନିର୍ବାଚନର ମୋହରେ କେବଳ ସୀମର ଦାସ ନୁହଁନ୍ତି। କଟକ ଜିଲ୍ଲା ଆଠଗଡ଼ରୁ ୧୯୯୫ ମସିହାରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ମଧ୍ୟ ଭୋଟ୍‌ ପାଇଁ କାନ୍ଦିଥିଲେ। ଏହା ଥିଲା ଗତ ଫେବ୍ରୁଆରି ୨୮ ତାରଖର ଘଟଣା। ଆଠଗଡ ମହୋତ୍ସବ ପଡିଆରେ ଆୟୋଜିତ ବର୍ଦ୍ଧିତ ଭତା ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହି ଭାବବିହ୍ୱଳ ହୋଇଥିଲେ। ଏକ ସଭାକୁ ସମ୍ବୋଧିତ କରିବା ସମୟରେ ରାଜା ସ୍ୱାଇଁ କହିଥିଲେ, ନବୀନ ପଟ୍ଟନାୟକ, ସେ ଆମ ପେଟକୁ ଅନାଇଛନ୍ତି । ତାଙ୍କର ବାପା ନାହାଁନ୍ତି, ମାଆ ନାହାଁନ୍ତି, ପୁଅ -ଝିଅ କେହି ନାହାଁନ୍ତି । ସାଢେ ୪ କୋଟି ଓଡିଆ ହେଉଛନ୍ତି ତାଙ୍କ ପରିବାର। ସେ ଚାଲିଗଲେ ତାଙ୍କ ମୁଖାଗ୍ନି ଦେବାକୁ କେହି ନାହାଁନ୍ତି। ସେ ପରିବାରର ସମସ୍ତଙ୍କୁ ଦେଇଛନ୍ତି, ତାଙ୍କ ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ।

ଟିକେଟ୍‌ ନପାଇ କାନ୍ଦିଲେ ପୂର୍ବତନ ସାଂସଦ

ନେତାଙ୍କ ଭୋଟ୍‌ ଚିନ୍ତା କେବଳ ଓଡ଼ିଶାରେ ନୁହେଁ। ବରଂ ବିହାରରେ ଅଧିକ। ନିର୍ବାଚନ ଲଢ଼େଇ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ବିଭିନ୍ନ ଦଳଙ୍କ ପ୍ରାର୍ଥୀ ଘୋଷଣା ମଧ୍ୟ ଜାରି ରିହଛି। ଏହାରି ଭିତରେ ଅନେକ ନେତାଙ୍କ ଟିକେଟ୍ କଟିଛି। ସେହିପରି ନୂଆ ଚେହାରାଙ୍କୁ ମିଳିଛି ଟିକେଟ୍। ତେବେ ଟିକେଟ୍ କଟିବା ଦୁଃଖ କିଛି ନେତା ସହି ପାରି ନାହାନ୍ତି। ଛାତିର କୋହକୁ ସର୍ବସମ୍ମୁଖରେ ରୋକି ପାରି ନାହାନ୍ତି। ଏପରିକି ଲୋକଙ୍କ ଆଗରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ସରଫରାଜ ଆଲମ। କାରଣ ତାଙ୍କୁ ଦଳ ଏଥର ଟିକେଟ୍ ଦେଇନାହି। ଏହାକୁ ସେ ସହ୍ୟ କରି ପାରି ନାହାନ୍ତି। ଅରରିୟାରେ ଏକ ଜନସଭାକୁ ସମ୍ବୋଧିନ କରିବା ସମୟରେ ଲୋକଙ୍କ ଆଗରେ ସେ କାନ୍ଦି ପକାଇଥିଲେ।  ଏହି ସମୟରେ ସେ ଭାବୁକ ହୋଇ ପଡିଥିଲେ। ସେ ନିଜ ବାପା ତଥା ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ତସଲିମୁଦ୍ଦିନଙ୍କୁ ମନେ ପକାଇ ସେ କାନ୍ଦି ପକାଇଥିଲେ। ତେବେ ତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳିଥିଲେ। ନେତାଙ୍କ ଆଖିରୁ ଝରୁଥିବା ଲୁହକୁ ସମର୍ଥକମାନେ ପୋଛିବା ସହ ତାଙ୍କ ସାନ୍ତ୍ୱନା ଦେଇଥିଲେ। ପୂର୍ବତନ ସାଂସଦଙ୍କ ଏହି କାନ୍ଦୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments