Thursday, May 9, 2024
Homeଖବରଭିନ୍ନ ଫଳ ଆଣିବ ଏହି ନିର୍ବାଚନ!

ଭିନ୍ନ ଫଳ ଆଣିବ ଏହି ନିର୍ବାଚନ!

– ମହେନ୍ଦ୍ର ସାହୁ

ସପ୍ତଦଶ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ପାର୍ଟି  ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି, କଂଗ୍ରେସ ସମେତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ସିପିଆଇ) ପ୍ରସ୍ତୁତି ହୋଇସାରିଛନ୍ତି। ରାଜ୍ୟରେ ଆସନ୍ତା ମାସ ୧୩ ତାରିଖ ଠାରୁ ୪ଟି ପର୍ଯ୍ୟାୟ(ମେ’ ୧୩, ୨୦, ୨୫ ଓ ଜୁନ୍‌ ୧)ରେ ମତଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟର ମତଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଯେଉଁ ଆସନରେ ପ୍ରାର୍ଥୀ ଘୋଷଣା ସରିଛି, ସେଠରେ ଦଳୀୟ ନେତାମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଳ୍ପ କିଛି ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପ୍ରାର୍ଥୀ ଘୋଷଣା ଯଦିଓ ବିଜେପି ପ୍ରଥମେ କରିଥିଲା, ବିଜେଡି ଆଗୁଆ ରହିଛି। ବିଜେଡି ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ୧୪୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପି ଓ କଂଗ୍ରେସ ଏତେ ବେଶୀ ଆସନରେ ପ୍ରାର୍ଥୀ ଘୋଷଣା କରିପାରି ନାହାନ୍ତି। ତେବେ ଶାସକ ଦଳର ପୂର୍ବ ସ୍ଥିତି ଆଉ ପୂର୍ବ ପରି ନାହିଁ। ଏହି ନିର୍ବାଚନ ଭିନ୍ନ ଫଳ ଆଣିବ ବୋଲି ଆଶା କରାଯାଉଛି। କାରଣ ଏହି ନିର୍ବାଚନରେ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିଛି। ଦଳ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିନେଇପାରେ କିନ୍ତୁ ବିଦ୍ରୋହୀଙ୍କୁ ପାରିବ ନାହିଁ।  

ବିଜେଡି ଗତ ୨୨ ତାରିଖ ଦିନ ସପ୍ତମ ପର୍ଯ୍ୟାୟରେ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଦୁଇ ଜଣ ମହିଳା ପ୍ରାର୍ଥୀ ଅଛନ୍ତି, ଯେଉଁମାନେ ଷ୍ଟାଣ୍ଡିଂ ବିଧାୟକଙ୍କର ପତ୍ନୀ। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ବେହେରା ଓ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଣିଂଙ୍କ ପତ୍ନୀ ରଂଜିତା ମାର୍ଣ୍ଣିଂ। ଚଳିତ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ନେଇ ଚର୍ଚ୍ଚା ହେଉଛି। ବିଗତ ୬ ମାସ ମଧ୍ୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ବାରା ସର୍ଭେରେ ବିଜେଡି ଲୋକପ୍ରୟତା ହରାଇଛି। ଅନ୍ୟପଟରେ ୨୦୧୪ ଓ ୨୦୧୯ରେ ବିଜେଡିକୁ ୧୪୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିବା ପାଇଁ ଏତେ ସମୟ ଓ ଗଣିତ କରିବାକୁ ପଡ଼ି ନଥିଲା। ବିଜେଡି ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଗୁରୁତ୍ବ ଦେଉ ନଥିଲା। ଏଥର କିନ୍ତୁ ସ୍ଥିତି ଭିନ୍ନ। ଜଣେ ଅଣଓଡ଼ିଆ ସୁପର ମୁଖ୍ୟମନ୍ତ୍ରୀ କାମ କରୁଥିବା କଥା ରାଜ୍ୟବାସୀ ଜାଣି ସାରିଛନ୍ତି। ସାଂସଦ ହେଉ ବା ବିଧାୟକ ପ୍ରାର୍ଥୀ ‌ହୁଅନ୍ତୁ ବିଜେଡି ୨୪ ବର୍ଷର ଶାସନ କାଳରେ ନିଜର ନେତୃତ୍ବକୁ ମଜବୁତ କରିପାରି ନାହିଁ ବୋଲି ଏହି ନିର୍ବାଚନରେ ପ୍ରମାଣିତ ହୋଇଛି। ଏହାର ବଳିଷ୍ଠ ଉଦାହରଣ ହେଲା ଯେ, ବିଜେପି ଓ କଂଗ୍ରେସରୁ ଆସିଥିବା ନେତାଙ୍କୁ କମ୍‌ ଦିନ ଭିତରେ ବିଜେଡି ପ୍ରାର୍ଥୀ କରିଛି।

ଷ୍ଟାଣ୍ଡିଂ ବିଧାୟିକାଙ୍କୁ ଅଣଦେଖା

ସପ୍ତମ ପର୍ଯ୍ୟାୟରେ ବିଜେଡି ଯେତେବେଳେ ୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ୨ ମହିଳା ବିଧାୟିକାଙ୍କୁ ଅଣଦେଖା କରିଛି। ହିନ୍ଦୋଳର ସୀମାରାଣୀ ନାୟକ, ବରୀର ସୁନନ୍ଦା ଦାସଙ୍କୁ ଟିକେଟ୍‌ ନମିଳିବା ପରେ ବିଜେଡିର ମହିଳା ସଶକ୍ତୀକରଣ ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବରୀ ଓ ହିନ୍ଦୋଳରେ ମହିଳା ବିଧାୟକ ଓ ଆଶାୟୀଙ୍କୁ ଟିକେଟ୍‌ ନଦେଇ ସେଠାରେ ପୁରୁଷ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍‌ ଦେଇଛି। ହିନ୍ଦୋଳରେ ‌ଢେଙ୍କାନାଳ ସାଂସଦ ଓ ବରିରେ ନିକଟରେ ବିଜେପିରୁ ଯୋଗଦେଇଥିବା ବିଶ୍ବରଂଜନ ମଲ୍ଲିକଙ୍କୁ ବିଜେଡି ଟିକେଟ୍‌ ଦେଇଛି।

ବିଦ୍ରୋହ ତୀବ୍ର ଆଶଙ୍କା

ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ବିଜେଡି ୨୪ଜଣ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିର ଆଉ  ୬ଟି ଆସନରେ ଯଥା ବାଲେଶ୍ବର ଜିଲ୍ଲା ନୀଳଗିରି, ଭୋଗରାଇ, ଯାଜପୁର ଜିଲ୍ଲା କୋରେଇ,  ‌ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ଖୋର୍ଦ୍ଧାରେ ପ୍ରାର୍ଥୀ ଘୋଷଣା କରିବାର ଅଛି। ଏହି ୬ଟି ଆସନରେ ମଧ୍ୟ ବିଜେଡିର ଅନେକ ପ୍ରାର୍ଥୀ ଆଶାୟୀ ଥିବାରୁ ଘୋଷଣା କରିବାରେ ବିଳମ୍ବ ହେଉଛି। ଆଶାୟୀଙ୍କୁ ଟିକେଟ୍‌ ନମିଳି ଥିବାରୁ ବିଦ୍ରୋହ ହେବାର ଆଶଙ୍କା ଜଳଜଳ ଦେଖାଯାଉଛି। ଅତୀତରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାର ଘେରକୁ ଆସିଥିବା ବିଧାୟକ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ ଓ ବ୍ରଜ କିଶୋର ପ୍ରଧାନଙ୍କୁ ପୁଣି ଟିକେଟ୍‌ ମିଳିଛି। ତେଣୁ ଏମାନଙ୍କୁ ମତଦାତା ଗ୍ରହଣ କରିବେ କି ନାହିଁ, ତାହା ସମୟ କହିବ।  

ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ୍‌

ଏଥର ବିଜେଡି ସୁଦାମ ମାର୍ଣ୍ଣିଂଙ୍କ ପତ୍ନୀ ରଂଜିତା ମାର୍ଣ୍ଣିଂଙ୍କୁ ଟିକେଟ୍‌ ଦେଇଛି। ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାଙ୍କୁ ଟିକେଟ୍‌ ଦେଇଛି। ଏହି ଦୁଇ ଜଣଙ୍କୁ ଟିକେଟ ଦେଇ ବିଜେଡି ମହିଳା ସଶକ୍ତୀକରଣ ରଣନୀତି ଅଥବ‌ା  ମହିଳା କାର୍ଡ ଖେଳିଛି। ଏହା ହାତୀ ଦାନ୍ତ ସହିତ ତୁଳନୀୟ। ହାତୀର ୨ଟି ଦାନ୍ତ ସମସ୍ତେ ଦେଖନ୍ତି। କିନ୍ତୁ ଏହା କୌଣସି କାମକୁ ନୁହେଁ। ଯଦି ଦଳ ମହିଳାସଶକ୍ତୀକରଣକୁ ଏତେ ଭଲ ପାଉଛି, ସେଠାରେ ଅନ୍ୟ କୌଣସି ମହିଳାଙ୍କୁ ମଧ୍ୟ ଟିକେଟ୍‌ ଦେଇପାରିଥାନ୍ତା। ନିର୍ବାଚନ ହାରିଯିବା ଭୟରେ ବିଧାୟକଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଜୟପୁରରେ ମଧ୍ୟ ବିଜେଡି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପରିବାର ରାଜନୀତିକୁ ଭଲ ପାଏ ବୋଲି ଚଳିତ ନିର୍ବାଚନ ପ୍ରମାଣିତ କରୁଛି। କେବଳ ସେତିକି ନୁହେଁ। ନେତାଙ୍କ ପୁଅ, ପତ୍ନୀ ଓ ଅଥବା ଅନ୍ୟ ସଂପର୍କୀୟଙ୍କୁ ଟିକେଟ୍‌ ଦେଇଛି, ଯାହା ଦ୍ବାରା କି ନବାଗତଙ୍କୁ ସୁଯୋଗ ମିଳିପାରୁ ନାହିଁ। ଉଦାହରଣ ସ୍ବରୂପ ମାହାଙ୍ଗା ଡବଲ ମର୍ଡର ମାମଲାରେ ଜଡ଼ିତ ପ୍ରତାପ ଜେନାଙ୍କ ପୁଅ ଓ ଚିକିଟି ବିଧାୟିକା ଉଷାରାଣୀଙ୍କ ପୁଅକୁ ଟିକେଟ୍‌ ଦେଇଛି।

ସୀମା, ସୁନନ୍ଦାଙ୍କୁ ବିଜେଡିର ଅଣଦେଖା

ସ୍ବର୍ଗତ ଧରଣୀଧର ନାୟକଙ୍କ ଧର୍ମପତ୍ନୀ ହେଉଛନ୍ତି ସୀମାରାଣୀ ନାୟକ। ୨୦୧୪ରୁ ଏପର୍ଯ୍ୟନ୍ତ ହିନ୍ଦୋଳରୁ ବିଜେଡିର ବିଧାୟିକା ଅଛନ୍ତି। ସେ ୨୦୧୯ ନିର୍ବାଚନରେ ୯୩,୯୮୦ ଖଣ୍ଡ ଭୋଟ୍‌ ପାଇଥିଲେ। ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦,୬୪୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସୁନନ୍ଦା ଦାସ ଗତ ନିର୍ବାଚନରେ ୭୨,୫୫୯ ଖଣ୍ଡ ଭୋଟ୍‌ ପାଇଥିଲେ। ସେ ବିଜେପି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କୁ ୪୦୬୨ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଉଭୟ ନେତ୍ରୀ ଚଳିତ ନିର୍ବାଚନରେ ଟିକେଟ ଆଶାୟୀ ଥିଲେ।

୨୪ ଘଣ୍ଟାରେ ବିଜେଡିରୁ ୩ ନେତ୍ରୀଙ୍କ ଇସ୍ତଫା

ମାତ୍ର ୨୪ ଘଣ୍ଟା ମଧ୍ୟରେ ବିଜେଡିରୁ ୩ ଜଣ ମହିଳା ନେତ୍ରୀ ଇସ୍ତଫା ଦେଇସାରିଛନ୍ତି। ଟିକେଟ୍ କଟିଲା ପରେ ବିଜେଡି ଛାଡ଼ିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗ ଦେବା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି। ପୂର୍ବରୁ ଅନେକ ନେତ୍ରୀ ବିଜେଡି ଛାଡ଼ି କଂଗ୍ରେସ ଓ ବିଜେପିରେ ଯୋଗ ଦେଇଥିବା ନଜିର ରହିଛି। ନିକଟରେ ବିଜେଡି ଛାଡ଼ି ସିପ୍ରା ମଲ୍ଲିକ କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି ୨୭ ବର୍ଷର ସଂପର୍କ ଶେଷ କରି ଜୟପୁରର ବିନ୍ଦୁରାଣୀ ମିଶ୍ର, ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ କୁହାଯାଉଥିବା ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସୁନ୍ଦରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ଜ୍ୟୋତି ପାଣିଗ୍ରାହୀ ପ୍ରମୁଖ। ଚଳିତ ନିର୍ବାଚନରେ ସମ୍ବଲପୁର ଆସନରୁ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ମଧ୍ୟ ଆଶାୟୀ ଥିଲେ। ସମ୍ବଲପୁରରେ ବିଜେଡି ଏଥର ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦେଲା ପରେ ଶ୍ରୀମତୀ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।

ତୀବ୍ର ହେଉଛି ଅସନ୍ତୋଷ, ବିଦ୍ରୋହ

ବିଧାନସଭା ନିର୍ବାଚନ-୨୦୨୪ ନିଆରା ହେବ ବୋଲି ଏବେ ଠାରୁ ଚର୍ଚ୍ଚା ହେଲାଣି। ୨୦୧୪ ଓ ୨୦୧୯ରେ ବିଜେଡିର ସ୍ଥିତି ଯାହା ଥିଲା, ଏବେ ଆଉ ତାହା ଦେଖାଯାଉ ନାହିଁ। ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାକୁ ବାଦ୍‌ ଦେଲେ ବିଜେପିର ହାୱା ଅନ୍ୟତ୍ର ସେହିଭଳି ଉତ୍ସାହଜନକ ନଥିଲା। ଏଥର କିନ୍ତୁ ଭିନ୍ନ। ଉପୂକଳ ଓଡ଼ିଶା ଠାରୁ ଆରମ୍ଭ କରି ଦକ୍ଷିଣରେ ମଧ୍ୟ ବିଜେପିର ସ୍ଥିତି ମଜବୁତ ଥିଲା ଭଳି ଲାଗୁଛି। ବିଜେଡି ଚଳିତ ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢ଼ିବା ସୁନିଶ୍ଚିତ ଭଳି ଲାଗୁଥିଲେ ମଧ୍ୟ ୨୦୧୯ ଭଳି ଆସନ ପାଇବା ସହଜ ନୁହେଁ ବୋଲି ରାଜନୀତି ଉପରେ ଗଭୀର ଜ୍ଞାନ ରଖିଥିବା ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି।   

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments