Wednesday, May 8, 2024
Homeପ୍ରେରଣାବଲିଉଡ ଫିଲ୍ମରେ କିବୋର୍ଡ ପ୍ଲେୟାର ଇରଫାନ ଖାନ

ବଲିଉଡ ଫିଲ୍ମରେ କିବୋର୍ଡ ପ୍ଲେୟାର ଇରଫାନ ଖାନ

ନିଜ ସଙ୍ଗୀତର ମୂର୍ଚ୍ଛନାରେ ଦେଶ ତଥା ଦେଶ ବାହାରେ ଦର୍ଶକଙ୍କୁ ବିଭୋର କରୁଥିବା ନିଆରା ମଣିଷ ଟିଏ ଇରଫାନ ଖାନ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରସ୍ଥିତ ଗାନ୍ଧୀଛକର ବାସିନ୍ଦା ଅଟନ୍ତି ଇରଫାନ । ମହାବୀରପଡା ପ୍ରାଥମିକ ବିଦ୍ୟାଳୟ, ଟାଉନହାଇସ୍କୁଲ ଓ ସରକାରୀ ସ୍ୱଂୟଶାସିତ ମହାବିଦ୍ୟାଳୟ ଠାରେ ଯୁକ୍ତ ୨ ପଢୁଥିବା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ଷ୍ଟେଜସୋ କାର୍ଯ୍ୟକ୍ରମରେ କିବୋର୍ଡ ପ୍ଲେୟାର ଭାବେ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିଲେ । ତାଙ୍କ ବାପା ଅରମାନ ଖାନଙ୍କ ଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ଖରିଆର ଠାରେ ଏକ କାର୍ଯ୍ୟକ୍ରମ ଯୋଗଦେବା ପାଇଁ ଯାଇଥିବାବେଳେ ତାଙ୍କୁ ଗୋଟିଏ କିବୋର୍ଡ ଯୋଗାଡ କରିବା ପାଇଁ ସକ୍ଷମ ହୋଇନଥିଲେ । ସେତେବେଳେ ସେ ସଙ୍ଗୀତର କିବୋର୍ଡ ପ୍ଲେୟାର ଭାବେ ନିଜର ଏକ ସ୍ୱତନ୍ତ୍ରତା ସୃଷ୍ଟି କରିବେ ବୋଲି ପଣ କରିଥିଲେ । ଯୁକ୍ତ ୨ ପଢିବା ସମୟରେ ୨୦୦୪ ମସିହାରେ ବାଙ୍ଗାଲୋର ଠାରେ ଜେମ ଇଣ୍ଟରନ୍ୟାସନାଲ ସ୍କୁଲରେ ସଙ୍ଗୀତ ଶିକ୍ଷକ ଭାବରେ ୬ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିଲେ ।ଏହି ସମୟରେ ଗୀତାଞ୍ଜଳି ମ୍ୟୁଜିକ ଇନଷ୍ଟିଚ୍ୟୁଟ ସହିତ ସଂସ୍ପର୍ଶରେ ଆସିଥିଲେ ଏବଂ କନ୍ନଡ, ତେଲୁଗୁ ତଥା ଦକ୍ଷିଣ ଭାରତୀୟ ଆଲବମ , ସିନେମା ଓ ଷ୍ଟେଜସୋରେ ନିଜର ପାରଦର୍ଶିତା ଦେଖାଇଥିଲେ । ଏହି ଠାରୁ ହିଁ ତାଙ୍କ ଜୀବନର ମୋଡ ବଦଳି ଯାଇଥିଲା । ୨୦୧୪ ମସିହାରେ ସେ ବାଙ୍ଗାଲୋର ଛାଡି ମୁମ୍ବାଇରେ ପହଞ୍ଚିଥିଲେ । ନିଜର ସଂଘର୍ଷମୟ ଜୀବନ ମଧ୍ୟରେ ମୁମ୍ବାଇର ଗୀଟାର ବାଦକ ଚିଣ୍ଟୁ ସିଂଙ୍କ, ଗାୟକ କୁମାର ସାନୁ, ଅଭିଜିତ ଭଟ୍ଟାଚାର୍ଯ୍ୟ, ଉଦିତ ନାରାୟଣଙ୍କ ସହିତ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମରେ ନିଜର କାରନାମା ଦେଖାଇଥିଲେ । ପରେ ପ୍ରସିଦ୍ଧ ବଲିଉଡ ଗାୟକ ସାନ ତାଙ୍କ କିବୋର୍ଡ ସଙ୍ଗୀତ ଯାଦୁରେ ବିମୋହିତ ହୋଇଥିଲେ । ସାନଙ୍କ ସହିତ ଦୁବାଇ, ଆବୁଧାବି, ଓମାନ, କତାର, ସିଙ୍ଗାପୁର, ମାଲେସିଆ, ଶ୍ରୀଲଙ୍କା, ହଂକଂ, ବ୍ୟାଙ୍କକକ, କେନିଆ, ତାଞ୍ଜାନିଆ ସହିତ ବହୁ ବିଦେଶ ମାଟିରେ ନିଜ ସଙ୍ଗୀତର ଧୁମ ପ୍ରଦର୍ଶନ କରିଥିଲେ । ଦେଶ ଓ ବିଦେଶରେ ସାନଙ୍କ ସମସ୍ତ ଷ୍ଟେଜ ପ୍ରୋଗ୍ରାମରେ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ପରେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାମ ସମ୍ପଦଙ୍କ ସାହାରୁଖ ଖାନ ଅଭିନୀତ ‘ରଇସ’ , ବିଶାଲ ଶେଖରଙ୍କ ବରୁଣ ଧାବନ ଅଭିନୀତ ଷ୍ଟୁଡେଣ୍ଟ ଅଫଦି ଇୟର,ସାଜିଦୱାଜିଦ ମିହାଁଙ୍କ ସଲମାନ ଖାନ ଅଭିନିତ ଦବଙ୍ଗ ସମେତ ୫ରୁ ଅଧିକ ବଲିଉଡ ଚଳଚିତ୍ରରେ କିବୋର୍ଡ ପ୍ଲେୟାର ଭାବରେ ସଙ୍ଗୀତର ଯାଦୁ ଦେଖାଇଛନ୍ତି । ସେହିଭଳି ପ୍ରାୟ ୨୦ଟି ମରାଠି ଫିଲ୍ମ, ପ୍ରାୟ ୩୦ଟି ତେଲୁଗୁ ଫିଲ୍ମରେ ନିଜର କିବୋର୍ଡର ଜଲୱା ଦେଖାଇଛନ୍ତି । ଇରଫାନ କଳାହାଣ୍ଡି ଭଳି ଏକ ପଛୁଆ ଜିଲ୍ଲାରୁ ଯାଇ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ବର୍ତ୍ତମାନ ମୁମ୍ବାଇରେ ଇରଫାନ ଜାମ ଏଣ୍ଡ ରେକର୍ଡ ନାମରେ ଏକ ମ୍ୟୁଜିକ ଷ୍ଟୁଡିଓ ସ୍ଥାପନ କରିଛନ୍ତି । ଜଣେ ମୁସଲିମ ସଂପ୍ରଦାୟର ଯୁବକ ହେଲେ ମଧ୍ୟ ବହୁ ହିନ୍ଦୁ ଭଜନରେ ନିଜର ସଙ୍ଗୀତ ପରିବେଷଣ କରିବା ନେଇ ସେ ବେଶ ଉଲ୍ଲସିତ ହୋଇଥାନ୍ତି । ମୁମ୍ବାଇର ଗଣେଶପୂଜା ଷ୍ଟେଜ ସୋରେ କେବେ ହାତଛଡା କରିବାକୁ ଚାହାନ୍ତି ନାହିଁ । ଆଗାମୀ ପିଢୀ ପାଇଁ ସଙ୍ଗୀତ ଜଗତରେ ସେ ଏକ ସମ୍ଭାବନାର ସ୍ୱର ଅଟନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments