Monday, May 20, 2024
Homeବିକାଶର ଆଲୋକ ଦେଖିନଥିବା ଗାଁ ଖାଇଚୁଆଁ , ଅବହେଳିତ ଅବସ୍ଥାରେ ଗ୍ରାମବାସୀ, ସରକାରୀ ଯୋଜନା କାଗଜ...
Array

ବିକାଶର ଆଲୋକ ଦେଖିନଥିବା ଗାଁ ଖାଇଚୁଆଁ , ଅବହେଳିତ ଅବସ୍ଥାରେ ଗ୍ରାମବାସୀ, ସରକାରୀ ଯୋଜନା କାଗଜ କଲମରେ

ଯୋଜନା ପରେ ଯୋଜନା ଚାଲିଛି ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ହେଲେ ସୁଧୁରି ପାରୁନି ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା । ସାମାଜିକ ଅର୍ଥନୈତିକ ପରିବର୍ତ୍ତନ କେବଳ ସରକାରଙ୍କ ସ୍ଲୋଗାନ ରେ ହିଁ ସୀମିତ ହୋଇ ରହିଯାଇଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ଭୁର୍ତିଗଡ ପଞ୍ଚାୟତ ଅନ୍ତର୍ଗତ ଖାଇଚୁଆଁ ଗାଁ ସ୍ୱାଧିନତାର ୭୧ ବର୍ଷପରେ ମଧ୍ୟ ବିକାଶର ଆଲୋକ ଦେଖିପାରିନାହାନ୍ତି । ଏହି ଗାଁରେ ମୋଟ ୨୫ ଟି ପରିବାର ବସବାସ କରୁଛନ୍ତିି । ଏହି ଗାଁ କୁ ଆଜି ଯାଏଁ ସବୁଦିନିଆ ରାସ୍ତା ତ ଦୁରର କଥା ପାଦଚଲା ରାସ୍ତା ଟିଏ ମଧ୍ୟ ତିଆରି ହୋଇ ପାରିନାହି । ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହି ଯାଇଛି । ପଞ୍ଚାୟତ ମହକୁମାଠାରୁ ୧୯ କିମି ଦୁର ବଣ ପାହାଡ ମଧ୍ୟରେ ଲୁଚିରହି ଯାଇଛି ଏହି ଖାଇଚୁଆଁ ଗାଁ । ଗାଁର ସମସ୍ତେ ଆଦିବାସୀ ଶ୍ରେଣୀ ହୋଇଥିବାବେଳେ ଏମାନଙ୍କ ଜନସଂଖ୍ୟା ପାଖାପାଖି ୧୧୦ ଏବଂ ସମସ୍ତେ ଗରିବ ଶ୍ରେଣୀର ଅଧିବାସୀ ଅଟନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପୋଡୁ ଚାଷ କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଗାଁ ଲୋକେ ଜଙ୍ଗଲ ବାଟରେ ୨ କିମି ଗଲେ ହିଁ ପାଣି ମୁନ୍ଦାଏ ପାଇଥାନ୍ତି । ଖାଇଚୁଆଁ ଗାଁ ପାଇଁ ପାଣି ଏକ ମହୌଷଧି ପାଲଟିଛି କହିବା ଠିକ ହେବ । ଟୋପେ ପାଣି ପାଇଁ ଯେଉଁଠି ଲୋକେ ଡହଳ ବିକଳ ହେଉଥିବାବେଳେ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟଜଳ, ଖାଦ୍ୟ ନିରାପତ୍ତା ଭଳି କାର୍ଯ୍ୟକ୍ରମ କାଗଜ କଲମରେ ଚାଲିଛି । ଏହି ଗାଁ ପାଇଁ ବିଜୁଳି ଆଲୁଅ ସାତ ସପନ । ସୁର୍ଯ୍ୟ ଦେବତା ହିଁ ଏମାନଙ୍କ ପାଇଁ ସାହା । ସଂଞ୍ଜ ନ ହେଉଣୁ ରାତ୍ରି ଭୋଜନ କରିନିଅନ୍ତି ଏମାନେ । ଗାଁ ସମସ୍ତ ପରିବାରକୁ ସରକାରୀ ଯୋଜନା ରେ କାମ ଯୋଗଇ ଦେବାକୁ ଜବ କାର୍ଡ ଦିଆଯାଇଛି । କେବଳ କାର୍ଡ ଦେଇ ସରକାର ପୁରାପୁରି ଭୁଲି ଯାଇଛି କାମ ଦେବାକୁ । ଆଜିକୁ ଚାରି ବର୍ଷ ହେଲା ଗାଁରେ କୌଣସି ସରକାରୀ କାମ ହୋଇନାହି । ଫଳରେ ଏହିଗାଁରେ ମନରେଗା ଯୋଜନା ପ୍ରହସନ ପାଲଟିଛି । ଭୁର୍ତିଗଡ ପଞ୍ଚାୟତ ସ୍ଥାପନ ହୋଇ ଦଶ ବର୍ଷ ବିତି ଯାଇଥିଲେ ହେଁ ଏହି ଗାଁଟି ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଗମନା ଗମନ ସୁବିଧା ଅଭାବରୁ ଗାଁ କୁ ଆଜି ଯାଏଁ କୌଣସି ସରକାରୀ ବାବୁଙ୍କ ପାଦ ପଡିନାହି । ସ୍ୱାସ୍ଥ୍ୟ ସେବା କଣ ଏମାନେ ଜାଣି ନାହାନ୍ତି । ସାମାନ୍ୟ ରୋଗ ,ଜ୍ୱର ହେଲେ ଏମାନେ ଗୁଣିଗାରେଡି ଓ ଚେରିମୁଲି ହିଁ ଏମାନଙ୍କ ସାହା ଭରସା । ଏହି ଗାଁ କୁ କୌଣସି ସ୍ୱାସ୍ଥ୍ୟ କର୍ମି ମଧ୍ୟ କଦବା କେବେ ପାଦ ପକାନ୍ତି । ଗର୍ଭବତୀ ଓ ପ୍ରସୁତି ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ତ ଦୁରର କଥା ପୋଲିଓ ବୁନ୍ଦା ଟିଏ ମଧ୍ୟ ଶିଶୁମାନଙ୍କୁ ମିଳେ ନାହି । ମମତା ଯୋଜନା ଓ ଜନନୀ ସୁରକ୍ଷାଏହି ଗାଁରେ ସଂପୂର୍ଣ୍ଣ ଫେଲ ମାରିଛି । ଯୋଜନା କଣ ଏସବୁ ବିଷୟରେ ଜାଣି ନାହାନ୍ତି ଏହି ଗାଁ ଲୋକେ । ସଚେତନତାର ଅଭାବ ଯୋଗୁଁ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି ଖାଇଚୁଆଁ ଗ୍ରାମବାସୀ । ଖୁଟ କାଟି କାହି କେଉଁ କାଳରୁ ବନାଇଥିବା ଝାଟି ମାଟିର କୁଡିଆ ହିଁ ସେମାନଙ୍କୁ ଦେଇଛି ଆଶ୍ରୟ ବର୍ଷବର୍ଷ ଧରି । ମାଟି ତାଡି ଫଲାଇଥିବା ଗୁରୁଜି , ମାଣ୍ଡିଆ , କାନ୍ଦୁଳ , ବିରି, କୋଳଥ ସହ ବଣର ଫଳ ମୁଳ କନ୍ଦା , ଛତି , କରଡି ଭୋକ ମେଣ୍ଟାଇଛି ଏମାନଙ୍କୁ । ଏହି ଜଙ୍ଗଲି ଖାଇଚୁଆଁ ଗାଁକୁ ଯିବାକୁ ହେଲେ ଉଠାପଡା ପଦଚଲା ମାଇଲ ମାଇଲ ବାଟହିଁ ଏକ ମାତ୍ର ଭରସା । ବାଟକୁ ଦେଖିଲେ ହିଁ ଜଣାପଡେ ସରକାରୀ ଯୋଜନା ସବୁ କେମିତି ପାହାଡ ତଳୁ ହିଁ ମୁହଁ ମୋଡି ଫେରି ଯାଇଛି । ଏତେ ସବୁ ଅସୁବିଧା ଲାଗି ରହିଥିବା ଏହି ଅପହଞ୍ଚ ଗାଁ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି । ଗାଁ ଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାର ସାଂସଦ ଆଦର୍ଶଗ୍ରାମ ଯୋଜନା ଆରମ୍ଭ କରିଛନ୍ତି । ଗାଁର ମୌଳିକ ସୁବିଧା ସହିତ ବିକାଶ ଓ ସାମାଜିକ , ଆର୍ଥିକ ଦିଗରୁ ଗାଁ ଲୋକଙ୍କୁ ସ୍ୱାବଲମ୍ବି କରାଯିବାକୁ ଯୋଜନାରେ ବ୍ୟବସ୍ଥା କରାଯାଇଛି ହେଲେ ବିକାଶ ଦୁର୍ଗମ ଅଞ୍ଚଳରେ ଥିବା ଖାଇଚୁଆଁ ଗାଁର ମଣିଷ ମାନଙ୍କୁ ବଞ୍ଚିବାର କିଞ୍ଚିତ ସହାୟତା ମଧ୍ୟ ମିଳିନାହି । କେବେ ମିଳିବ କି ନାହି ତାହାବି ସନ୍ଦେହ । ଆପଣା ଦେଶ ଭିତରେ ପର ହୋଇ ବଞ୍ଚିବା ଏହି ନିରିହ ମଣିଷ ମାନଙ୍କ ପାଇଁ ଏହାଠୁ ଭଳି କରୁଣ ବିଡମ୍ବନା ଆଉ କଣ ଥାଇପାରେ । ଏହି ଗାଁକୁ ନେଇ ଲାଞ୍ଜିଗଡ ବି.ଡି.ଓ ପିତାମ୍ବର ଭୋଇ ଙ୍କୁ ପଚାରି ସେ ଗାଁକୁ ଯିବାପାଇଁ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ଜିଆର୍ଏସ୍ ଙ୍କୁ କହିବି ସେ ଗାଁର ଅବସ୍ଥା ବିଷୟରେ ପଚାରି ବୁଝିବି ଓ ଆବଶ୍ୟକ ପଡିଲେ ମୁଁ ନିଜେ ଯିବିବୋଲି ପ୍ରକାଶ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments