Thursday, May 9, 2024
Homeକଳାହାଣ୍ଡିଦୁର୍ଗମ ଅଞ୍ଚଳରେ ଭାର ସାଜିଛି ଆମ୍ବୁଲାନ୍ସ,

ଦୁର୍ଗମ ଅଞ୍ଚଳରେ ଭାର ସାଜିଛି ଆମ୍ବୁଲାନ୍ସ,

ଭବାନୀପାଟଣା, : ସ୍ୱାଧିନତାର ଦୀର୍ଘବର୍ଷ ପରେ ଏବେ ମଧ୍ୟ ଅପହଞ୍ଚ ହୋଇଛି ବହୁ ପଛୁଆ ଇଲାକା । ବର୍ଷ ପରେ ବର୍ଷ ଆଶାର ମରୀଚିକା ମଧ୍ୟରେ ବିକାଶର ରାହା ଖୋଜୁଛନ୍ତି ଜଙ୍ଗଲି ଅଧିବାସୀ । ଏବେ ମଧ୍ୟ ବହୁ ଦୁଗର୍ମ ଅଞ୍ଚଳକୁ ଯୋଗାଯୋଗ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ସେବା ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ ନେଟୱାର୍କ ଭଳି ବିଭିନ୍ନ ବିଭିନ୍ନ ଯୋଜନା ମାଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନ, ରାଜନେତା ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ଯୋଗୁଁ ଯୋଜନା ସବୁ ବାଟବଣା ହେଉଛି । ଜିଲ୍ଲାର ବହୁ ଅଞ୍ଚଳରେ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ଗମନା ଗମନର ସୁବିଧା ନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ପାଇବାରେ ବଞ୍ଚିତ ହୋଇଛନ୍ତି । ବହୁ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ସୁବିଧା ଥିଲେ ମଧ୍ୟ ମୋବାଇଲ ନେଟୱାର୍କ ନଥିବା ଯୋଗୁଁ ଗର୍ଭବତୀ, ପ୍ରସୂତୀ କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିପାରନ୍ତି ନାହିଁ । ଫଳରେ ଏହାର ଫାଇଦା ନେଇ କ୍ୱାକ ମାନେ ନୀରିହ ଅଧିବାସୀ ମାନଙ୍କୁ କମ ଦର ଲେଖା ହୋଇଥିବା ଔଷଧକୁ ଚଢାଦରରେ ବିକ୍ରୟ କରି ମୁନାଫା କମାଉଛନ୍ତି । ଆଜି ମଧ୍ୟ ସଚେତନତାର ଅଭାବ ଯୋଗୁଁ ୪ଜି ଯୁଗରେ ଲୋକେ ଗୁଣି ଗାରେଡିରେ ବିଶ୍ୱାସ ରଖି ଛୁଆ ମାନଙ୍କୁ ଚେଙ୍କ ମଧ୍ୟ ଦେଉଥିବା ଏବଂ ଦେଶୀ ଚିକତ୍ସା ହିଁ ଭରସା ସାଜିଛି । ରାସ୍ତା ଘାଟ ନଥିବା ଯୋଗୁଁ ବହୁ ଦୁର୍ଗମ ଅଞ୍ଚଳ ମାନଙ୍କରେ ପ୍ରଶାସନ ମଧ୍ୟ ପହଞ୍ଚିପାରେ ନାହିଁ । ୧୦୮, ୧୦୨ ଭଳି ଆମ୍ବୁଲାନ୍ସ ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି । ସେହିଭଳି ଗାଁ ମାନଙ୍କରେ ରାସ୍ତା ନଥିବା ଯୋଗୁଁ ଶବ ବୁହାଗାଡି ମଧ୍ୟ ଯାଇପାରୁ ନଥିବା ଯୋଗୁଁ ଲୋକେ ଅଧା ବାଟରୁ ଶବକୁ ବୋହିକି ମଧ୍ୟ ନେଉଥିବା ନଜିର ରହିଛି । ବହୁ ଦୁର୍ଗମ ଅଞ୍ଚଳରେ କେବଳ ପଞ୍ଚାୟତ ହେଡକ୍ୱାର୍ଟରକୁ ଗାଡି ଯାଉଥିବାବେଳେ ଗ୍ରାମାଞ୍ଚଳ ମାନଙ୍କରେ ଏହା ଉପଲବ୍ଧ ହୋଇପାରୁନାହିଁ । ଲାଞ୍ଜିଗଡ ବ୍ଲକର ତ୍ରିଲୋଚନପୁର ପଞ୍ଚାୟତର ପ୍ରାୟ୧୫ଟି ଗାଁର ଲୋକେ ଆମ୍ବୁଲାନ୍ସ ସେବା ପାଇବାରେ ବଞ୍ଚିତ ହୋଇଛନ୍ତି । ସେହିଭଳି ବିଜେପୁର ପଞ୍ଚାୟତର ୧୨ଟି ଗାଁ, ମାଲି ଯୁବାଙ୍ଗ ପଞ୍ଚାୟତର ୧୨ଟି ଗାଁ, ପାହାଡପଦର ପଞ୍ଚାୟତର୧୫ଟି ଗାଁ, ଲାକବାହାଲିର ପଞ୍ଚାୟତର୧୦ଟି, ବେନଗାଁର ପଞ୍ଚାୟତର୮ଟି, ଲାଞ୍ଜି ପଞ୍ଚାୟତର୬ଟିଗାଁ, କାନକୁଟ୍ରୁ ପଞ୍ଚାୟତର ୬ଟି, ବେଡାଗାଁ ପଞ୍ଚାୟତର୧୫ଟି, କଦମଗୁଡା ପଞ୍ଚାୟତର ୧୬ଟି, କୁମଖାଲର ପଞ୍ଚାୟତର ୧୭ଟି, ଭୁର୍ତ୍ତିଗଡ ପଞ୍ଚାୟତର ୭ଟି, ଭଟାଙ୍ଗପଦର ପଞ୍ଚାୟତର ୧୭ଟି ଓ ଗୁଣ୍ଡୁରି ପଞ୍ଚାୟତର ପ୍ରାୟ ୩୦ଟି ଗାଁର ଲୋକେ ଆମ୍ବୁଲନ୍ସ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି । ଏହି ବ୍ଲକରେ ଲାଞ୍ଜିଗଡ ଡାକ୍ତରଖାନାରେ ୩ ଓ ବିଶ୍ୱନାଥପୁର ଡାକ୍ତରଖାନାରେ ୨ ଜଣ ଡାକ୍ତର ଅଛନ୍ତି । ଥୂଆମୂଳ ରାମପୁର ବ୍ଲକର ମାଲିଗାଁ ପଞ୍ଚାୟତର ଗୋଟିଏ ଗାଁ, ସିଲେଟ ପଞ୍ଚାୟତର ୧୨ଟିଗାଁ, କେରପାଇର ପଞ୍ଚାୟତର ୧୪ଟିଗାଁ, ନାକରୁଣ୍ଡିରପଞ୍ଚାୟତର ୯ଟି ଗାଁ, ତଳଆମପଦରର ପଞ୍ଚାୟତର ୩ଟି ଗାଁ, କର୍ଲାପାଟ ପଞ୍ଚାୟତର ୬ଟି ଗାଁ, କିଆପଦର ପଞ୍ଚାୟତର ୬ଟି ଗାଁ, କାଣିଗୁମା ପଞ୍ଚାୟତର ୬ଟି ଗାଁ, ସିନ୍ଧିପଦର ପଞ୍ଚାୟତର ୭ଟି ଗାଁ, ଥୂଆମୂଳ ପଞ୍ଚାୟତର ୫ଟି ଗାଁ, ବିରିକୋଟ ପଞ୍ଚାୟତର ୫ଟି ଗାଁ, ତଳଝାପି ପଞ୍ଚାୟତର ୫ଟି ଗାଁ, ମହୁଳପାଟଣା ପଞ୍ଚାୟତର ୪ଟି ଗାଁ, ପାଡେପଦର ପଞ୍ଚାୟତର ୭ଟି ଗାଁ, ଅଡ୍ରି ପଞ୍ଚାୟତର ୩ଟି ଗାଁ, ଗୋପିନାଥପୁର ପଞ୍ଚାୟତର ୩ଟି ଗାଁ ଏହି ସେବାର ବଞ୍ଚିତ ହେଉଛନ୍ତି । ଜୁନାଗଡ ବ୍ଲକର ବୁଢୀଦର ପଞ୍ଚାୟତର ୫ଟି ଗାଁରେ ମୋବାଇଲସେବା ନଥିବାବେଳେ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି, ବାଙ୍କପଲାସ, ଦୁନ୍ଦେଲମାଲ, ଦେଦର ପଞ୍ଚାୟତର ଦୁର୍ଗମ ଅଞ୍ଚଳର ପ୍ରାୟ ଗାଁ ମୋବାଇଲ ନେଟୱାର୍କ ଓ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲାର ଭବାନୀପାଟଣା ସଦରବ୍ଲକ, କୋକସରା, ମଦନପୁର ରାମପୁର, ଜୟପାଟଣା, ଓ ଗୋଲାମୁଣ୍ଡା ବ୍ଲକର ପ୍ରାୟ ଗାଁରେ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି । ରାସ୍ତା ନଥିବା ଯୋଗୁଁ ସଂଯୋଗ ଏବେ ଦିଗ ହରା ହୋଇଛି । ଏହି ଅପହଞ୍ଚ ଇଲାକାର ଅଧିବାସୀ ଭଗବାନ ଭରସାରେ ପଡିରହିଛନ୍ତି । କୌଣସି ରୋଗ ବ୍ୟାଧି ହେଲେ ଭାରରେ ବୁହା ହୋଇ ରାସ୍ତା ଥିବା ଅଞ୍ଚଳ ପର୍ଯ୍ୟନ୍ତ ବୋହିକି ଆଣିବାକୁ ପଡେ । ଥୂଆମୂଳ ରାମପୁର ବ୍ଲକର ପୋଡାପଦର ପଞ୍ଚାୟତର ୧୬ଟି ଗାଁ ଇନ୍ଦ୍ରାବତୀର ବୁଡି ଅଞ୍ଚଳରେ ଥିବା ଯୋଗୁଁ ଭାରରେ ବୁହା ହୋଇ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗା ପାରିହୋଇଥାନ୍ତି । ସେତେବେଳକୁ ରୋଗୀ ମାନଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇଥାଏ । ଗରିବ ରୋଗୀମାନେ ଭାଗ୍ୟକୁ ଆଦରି ପଡିରହନ୍ତି । ଏହି ଦୁର୍ଗମ ଅଞ୍ଚଳ ପାଇଁ କଳାହାଣ୍ଡି ଜିଲ୍ଲାରେ ସଡକ ଯୋଗାଯୋଗ ନଥିବା ଯୋଗୁଁ ବହୁ ଅଞ୍ଚଳରେ ରୋଗୀଙ୍କ ପାଇଁ ଭାରହିଁ ଆମ୍ବୁଲାନ୍ସ ସାଜିଛି । ଜିଲ୍ଲାରେ ଏହାକୁ ଦୃଷ୍ଟିରେ ରଖି ୩ଟି ବାଇକ ଆମ୍ବୁଲାନ୍ସ ରଖାଯାଇଛି । ଭାରରେ ବୁହା ହୋଇ ଆସି ବାଇକ ଆମ୍ବୁଲାନ୍ସ ପାଖକୁ ଅଣାଯାଇଥାଏ । ଏନେଇ କଳାହାଣ୍ଡି ସିଡିଏମଓ ଡା. ସରୋଜ କୁମାର ତିହାଡିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦୁର୍ଗମ ଅଞ୍ଚଳ ପାଇଁ ଲାଞ୍ଜିଗଡ ବ୍ଲକର ବଙ୍କାକୁଣ୍ଡ୍ରୁ ର ମାଁ ସନ୍ତୋଷୀ ଦାତବ୍ୟ ଚିକିତ୍ସାଳୟ ଠାରେ ଗୋଟିଏ ଓ ଥୂଆମୂଳ ରାମପୁର ବ୍ଲକରେ ଦୁଇଟି ବାଇକ ଆମ୍ବୁଲାନ୍ସ ଦିଆଯାଇଛି । ବର୍ତ୍ତମାନ ଆହୁରି ୩ଟି ବାଇକ ଆମ୍ବୁଲାନ୍ସ ଅନୁମୋଦନ ହୋଇଛି । ଗୋଟିଏ ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ଓ ଥୂଆମୂଳ ରାମପୁର ବ୍ଲକରେ ଆଉ ଦୁଇଟି ବାଇକ ଆମ୍ବୁଲାନ୍ସ ଦିଆଯିବ ଫଳରେ ଦୁର୍ଗମ ଅଞ୍ଚଳର ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିପାରିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments