Friday, May 10, 2024
Homeଅନ୍ୟାନ୍ୟରୋଜଗାର ଅଭାବ ବଢ଼ାଉଛି ଦାଦନ ଯନ୍ତ୍ରଣା

ରୋଜଗାର ଅଭାବ ବଢ଼ାଉଛି ଦାଦନ ଯନ୍ତ୍ରଣା

ଭୁବନେଶ୍ବର: ଦୁଃଖି ପରିବାରର ପ୍ରକୃତ ବନ୍ଧୁ ହେଉଛି ଦୁଃଖ। ଜୀବନରେ ଥରଟିଏ ଦୁଃଖ ପହଞ୍ଚି ଗଲେ ତାହା ଦୀର୍ଘ ଦିନ ପାଇଁ ରହିଯାଇଥାଏ। ଅନେକ ଲୋକଙ୍କ ପାଇଁ ଦୁଃଖ ମିତ୍ର ଭଳି ପାଖରେ ଥାଏ। ଗରିବ ଲୋକଙ୍କ ପାଇଁ ଏହି ଶବ୍ଦ ଅଧିକ ପ୍ରାଜୁର୍ଯ୍ୟ। ଗରିବ ଲୋକମାନେ ମୁଠାଏ ଖାଇବା ଓ ପିନ୍ଧିବା ପାଇଁ ଜୀବନରେ ବହୁ କଷ୍ଟ ପାଇଥାନ୍ତି। ଦୁଃଖରୁ ଆଶ୍ବସ୍ତି ପାଇବା ପାଇଁ ଅନେକ ଉଦ୍ୟମ କଲା ପରେ ମଧ୍ୟ ଅନେକ ବିଫଳ ହୋଇଥାନ୍ତି। ଅର୍ଥାତ ସୁଖ ଚାହୁଁଥିବା ଦୁଃଖି ମଣିଷର ଦୁଃଖ ଅଧିକ ବଢ଼ିଯାଇଥାଏ। ଦୁଃଖି ମଣିଷଙ୍କ ମଧ୍ୟରେ ଅନ୍ୟତମ ବ୍ୟକ୍ତିମାନେ ହେଉଛନ୍ତି ଦାଦନ ପରିବାର, ଯେଉଁମାନେ କି ନିଜ ପରିବାରର ଲୋକଙ୍କୁ ହରାଇ ଅଧିକ ଦୁଃଖ ଓ କଷ୍ଟ ପାଇଥାନ୍ତି। କିଛି ବର୍ଷ ହେଲା ଏଭଳି ଘଟଣା ଦେଖିବାକୁ ମିଳୁଛି।

ଓଡ଼ିଶାରେ ଗରିବ ପରିବାର ଲୋକଙ୍କ ପାଇଁ ରୋଜଗାର ଆଶାତୀତ ଭାବେ ନାହିଁ। ଧାନ ଓ କପା ଚାଷ ବ୍ୟତୀତ ଅନ୍ୟ ଚାଷ ଉତ୍ସାହଜନକ ନୁହେଁ। ଏହା ପୁଣି ରାଜ୍ୟବ୍ୟାପି ନୁହେିଁ। ଧାନଚାଷ କଳରେ କରାଯାଉଥିବା ବେଳେ ବହୁତ କମ୍ ଲୋକଙ୍କୁ ଶ୍ରମ କାମ କରିବାକୁ ସୁଯୋଗ ମିଳିଥାଏ। ରାଜ୍ୟର ପଶ୍ଚିମ ଓଡ଼ିଶାରେ କେବଳ କପାଚାଷ ହେଉଛି। ଏହି ଚାଷରେ ଚାଷୀମାନେ ସମୟାନୁସାରେ ୪ ମାସ ଶ୍ରମିକ ଖୋଜିଥାନ୍ତି। କଳକାରଖାନାରେ କାମ କରିବା ପାଇଁ ବ୍ୟାପକ ସୁଯୋଗ ନାହିଁ। ଯେଉଁ ଅଳ୍ପ ପରିମାଣରେ କଳକାରଖାନା ରହିଛି, ସେଥିରେ ବାହାର ରାଜ୍ୟର ଶ୍ରମିକଙ୍କୁ ସୁଯୋଗ ମିଳିଥାଏ। କୋଇଲା, ଲୁହାପଥର ଓ ଅନ୍ୟ ଖଣିରେ ମଧ୍ୟ ବାହାର ରାଜ୍ୟର ଲୋକଙ୍କୁ ଅଧିକ ସୁଯୋଗ। ତେଣୁ ଗରିବ ଓଡ଼ିଆଙ୍କୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିଥାଏ। ତେବେ ଦାଦନ ଖଟି ଯିବାରେ ଅସୁବିଧା ନାହିଁ। କିନ୍ତୁ ଦାଦନ ଶ୍ରମିକ ଯେତେବେଳେ ଟଙ୍କା ପଠାଇବା ବଦଳରେ ଶବ ହୋଇ ଜନ୍ମମାଟିକୁ ଫେରିଥାଏ, ସେହି ସମୟରେ ପରିବାର ଲୋକଙ୍କର ଦୁଃଖ ବଢ଼ିଯାଇଥାଏ।

ହାଇଦ୍ରାବାଦ୍ରେ ୩ ଓଡ଼ିଆ ଯୁବକ ମୃତ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିକୁ ଗତ ୭ ତାରିଖରେ ବଡ଼ ଦୁଃଖଦ ଖବର ଆସିଥିଲା। ଦାଦାନ ଖଟିବାକୁ  ହାଇଦ୍ରାବାଦ୍ ଯାଇଥିବା ୬ଟି ପରିବାର ଯେତେବେଳେ ସେମାନଙ୍କର ସଂପର୍କୀୟମାନେ ଏକ ନିର୍ମାଣାଧୀନ କାମରେ ଦୁର୍ଘଟଣାର ଶିକାର ହୋଇଥିଲେ, ସେହି ସମୟରେ ଆକାଶଟା ମାଟିରେ ଖସିପଡ଼ିଲା ଭଳି ଲାଗିଥିଲା। ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ବଡପଡା ଗ୍ରାମର ବୁଦା ଚାଲାଣଙ୍କ ପୁଅ ସନିଆ ଚାଲାଣ (୨୩), ଶୁକ୍ରା ବଡନାୟକଙ୍କ ପୁଅ ସମା ବଡନାୟକ (୨୧) ଓ ସମା ବଡନାୟକଙ୍କ ପୁଅ ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଗଇଗୁଡା ଗ୍ରାମର ସନିଆ ବଡନାୟକ (୧୮)ଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଜଣ ଆହତ ହୋଇଥିଲେ।  ଖବର ଶୁଣିବା ମାତ୍ରେ ବଡପଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା।ଆଦିବାସୀ ଅଧ୍ୟୁଷିତ ନିରିହ ଲୋକମାନେ ଛନ୍ଦ କପଟ ଜାଣି ନଥିବା ବେଳେ ହାଇଦ୍ରାବାଦ୍ରେ ମୂଳଲାଗି ଘରର ଆର୍ଥିକ ଅବସ୍ଥା ସୁଧାରିବାକୁ ଚାହୁଁଥିଲେ। ଏଥିରେ ନିୟତି ସହଯୋଗ କଲା ନାହିଁ।    

ଦୁର୍ଘଟଣାରେ ଯୁବକ ପ୍ରାଣ ହରାଇଲେ

ପରିବାର ବୋଝକୁ ମୁଣ୍ଡେଇ ସ୍ୱଳ୍ପ ବୟସରୁ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିବା ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମଧୁସୂଦନପୁର ପଞ୍ଚାୟତ ବଇଞ୍ଚବାଙ୍କ ଗ୍ରାମର ଦେବେନ୍ଦ୍ର ସିଂ’ଙ୍କ ପୁଅ ପ୍ରତାପ ସିଂ (୨୦) ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦୁର୍ଘଟଣା ପରେ ସହାୟତା ପରିବର୍ତ୍ତେ ମୁହଁ ଫେରାଇ ନେଇଥିଲା ସେ କାମ କରୁଥିବା ଘରୋଇ କମ୍ପାନି। ଅର୍ଥ ପାଇଁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଭୁଲିଯାଇଥିଲେ ମଣିଷପଣିଆ। ଅଧାରୁ ଚିକିତ୍ସା ବନ୍ଦ କରିଦେବା ସହ ଟଙ୍କା ଦେଲେ ଯାଇ ଯୁବକଙ୍କୁ ଛାଡ଼ିବେ ବୋଲି କହି ବନ୍ଧକ ରଖିଥିଲେ। ତେଣୁ ଯୁବକଙ୍କ ବାପା ଚାଷ କରିଥିବା ଜମି ବନ୍ଧକ ରଖି ସେହି ଟଙ୍କାରେ ପୁଅକୁ ଡାକ୍ତରଖାନାରୁ ମୁକୁଳାଇଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏପଟେ ଯୁବକଙ୍କ ମାଆ ଓ ଭଉଣୀ ଆମ୍ବୁଲାନ୍ସ ଭଡ଼ା ଦେବା ପାଇଁ ଲୋକଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments