Monday, May 20, 2024
Homeଖବରପରିବାର ଭିତରେ ରହିଯିବ କି ବିଜେଡି? 

ପରିବାର ଭିତରେ ରହିଯିବ କି ବିଜେଡି? 

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏପ୍ରିଲ ୨ ତାରିଖରେ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। କିନ୍ତୁ ବିଜୁ ଜନତା ଦଳ ପ୍ରଥମେ ନିଜର ସମସ୍ତ ୧୪୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ନୀଳଗିରିକୁ ଛାଡ଼ି ବିଜେପି ଅନ୍ୟ ସବୁ ଆସନରେ ପ୍ରାର୍ଥୀ ଦେଇସାରିଛି। ଚଳିତ ନିର୍ବାଚନରେ ବିଜେଡିରେ ପରିବାରବାଦ ଦେଖାଯାଇଛି। ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଟିକେଟ୍ ମିଳିଥିବା ଦୃଷ୍ଟିଗୋଚର ହେଉଛି। ଏହାକୁ ନେଇ ରାଜନୈତିକ ସମୀକ୍ଷକ, ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ବିଜେଡିର ବହୁ ପ୍ରତିକ୍ଷୀତ ଅବଶିଷ୍ଟ ୩ ବିଧାନସଭା ଆସନ (ଖଣ୍ଡପଡ଼ା, ନୀଳଗିରି ଓ କୋରେଇ) ପାଇଁ ଯେତେବେଳେ ପ୍ରାର୍ଥୀ ଘୋଷଣା କରିଛି। ରାଜନେତାଙ୍କୁ ଆଶ୍ଚର୍ଯ୍ୟ ଲାଗିଛି। କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି, ଯିଏକି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା। ଦେବଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି। ନିର୍ବାଚନ ହାରିବା ଭୟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଠାରେ ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ପରିବାର ସଦସ୍ୟଙ୍କୁ ବିଜେଡି ଟିକେଟ୍

ପ୍ରଣବ ପ୍ରକାଶ ଦାସ ଏଥର ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହୋଇଥିବାରୁ କଡ଼ାମୁକାବିଲା ହେବ। ନିର୍ବାଚନ କିଏ ଜିତିବ ଭିନ୍ନ କଥା। କିନ୍ତୁ ଯଦି ପ୍ରଣବ ହାରି ଯାଆନ୍ତି, ମା ସନ୍ଧ୍ୟାରାଣୀଙ୍କ ପ୍ରତିନିଧି ଭାବେ ସବୁ କାର୍ଯ୍ୟ ତୁଲାଇବେ। କେବଳ ପ୍ରଣବ ନୁହଁନ୍ତି। ମୟୂରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ମଧ୍ୟ ଜିତିବା ସେତେ ସହଜ ହେବ ନାହିଁ। କାରଣ କୁହାଯାଉଛି ଯେ, ମୟୂରଭଂଜରେ ରାଷ୍ଟ୍ରପତିଙ୍କ ନିକଟତର ନବ ମାଝୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ବିଜେଡି ସୁଦାମ ମାର୍ଣ୍ଣିଂଙ୍କ ପତ୍ନୀ ରଂଜିତା ମାର୍ଣ୍ଣିଂଙ୍କୁ ବାଙ୍ଗିରିପୋଷି ଆସନରେ ପ୍ରାର୍ଥୀ କରିଛି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଜୟପୁରରେ ପ୍ରାର୍ଥୀ କରିଛି। ସେହିପରି ମାହାଙ୍ଗାରେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ବିଜେଡି ଟିକେଟ୍ରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ବିଜେଡି ଅନେକ ନେତାଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧୀକାରୀଙ୍କୁ ରାଜନୀତିକୁ ଆଣିଛି।

ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତୀକରଣ ଆଶ୍ଚର୍ଯ୍ୟ ଲାଗୁଛି। ଅଳ୍ପ କିଛି ଦିନ ପୂର୍ବରୁ ବିଡେିରେ ସାମିଲ ହୋଇଥିବା ଦେବଗଡ଼ର ରାଣୀ ଅରୁନ୍ଧତୀଙ୍କୁ ପ୍ରାର୍ଥୀ କରାଇ ପୁଣି ଟିକେଟ୍ ଛଡ଼ାଇ ନେଇଛନ୍ତି। ଦୁଇ ଥରର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟଙ୍କୁ ଦଳ ଟିକେଟ ଦେଲା ନାହିଁ, ଯେଉଁଥି ପାଇଁ ସେ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ମଧ୍ୟ ବିଜେଡି ଟିକେଟ୍ ଦେଇ ନାହିଁ। କୋରେଇ ଆସନରେ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ।

ଦେବଗଡ଼, ଖଣ୍ଡପଡ଼ାରେ ରୋମାଞ୍ଚ

ସମ୍ବଲପୁର ସାଂସଦ ନୀତେଛଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଗତମାସ ୧୬ ତାରିଖ ଦିନ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଥିଲେ। ଶ୍ରୀମତୀ ଅରୁନ୍ଧତୀ ନିଜ ପୁଅ ସହିତ ନବୀନ ନିବାସ ଯାଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଥିଲେ। ଅରୁନ୍ଧତୀଙ୍କୁ ବିଜେଡି ଏପ୍ରିଲ ୧୭ ତାରିଖରେ ପ୍ରାର୍ଥୀ କରିଥିଲା। ଅରୁନ୍ଧତୀ ପ୍ରଚାର ଆରମ୍ଭ କରିସାରିଥିଲେ। କିନ୍ତୁ ମାତ୍ର ୧୪ ଦିନ ଭିତରେ ତାଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ବିଜେଡି ଟିକେଟ୍ ଦେଇ ଦେବଗଡ଼ରେ ରୋମାଞ୍ଚକର ପ୍ରଦର୍ଶନ କରିଛି। କେବଳ ଦେବଗଡ଼ ନୁହେଁ। ବରଂ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ମଧ୍ୟ ଚଳିତ ନିର୍ବାଚନ ରୋମାଞ୍ଚକର ପରିସ୍ଥିତି ଦେଖାଯାଇଛି। ଖଣ୍ଡପଡ଼ାରୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏଥର ବିଜେଡିରୁ ଟିକେଟ ପାଇବେ ବୋଲି ଅଧିକ ଚର୍ଚ୍ଚା ହେଉଥିଲା। କିନ୍ତୁ ବିରଜେଡି ଏଥର ଖଣ୍ଡପଡ଼ାରେ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments