Monday, May 20, 2024
Homeଅନ୍ୟାନ୍ୟଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହ

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହ

ପ୍ରଗତି ଓ ପ୍ରକୃତିକୁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି: ମନ୍ତ୍ରୀ ଶ୍ରୀ ଅମାତ

ଭୁବନେଶ୍ୱର, ତା.୨୨/୦୫/୨୦୨୩: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବବିବିଧତାର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସହିତ ଜୈବବିବିଧତା ପରିଚାଳନା ସମିତି, ବନ ସୁରକ୍ଷା ସମିତି ସର୍ବୋପରି ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୈବବିବିଧତାର ଗନ୍ତାଘର କୁହାଯାଉଥିବା ମଣ୍ଡାସାରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତ ଆଦି ୩ ଗୋଟି ଜଙ୍ଗଲ ପରିସଂସ୍ଥାକୁ ରାଜ୍ୟ ସରକାର ଜୈବବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ୪୯ଟି ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଇକୋଗାଇଡ୍‌ମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଜୀବନଜୀବିକା ସୁଦୃଢ଼ କରାଯାଇଛି ବୋଲି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଗୋଟିଏ ଜୈବମଣ୍ଡଳ ଏବଂ ୨୯ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟ ଉଭୟଙ୍କର ପରିପୂରକ । ରାଜ୍ୟ ସରକାର ପ୍ରକୃତିର ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧିତ କରୁଛନ୍ତି । ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଲେ ଜୈବବିବିଧତା ଅକ୍ଷୁଣ୍ଣ ରହିବ ଏବଂ ଭବିଷ୍ୟତ ପିଢ଼ି ଉପକୃତ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ମୋଣ୍ଟେରିଏଲ୍‌ଠାରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ୱବାସୀଙ୍କୁ ୪ଟି ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ସେଗୁଡ଼ିକ ହେଲା ବିଲୁପ୍ତ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ, ଗୁଣସୂତ୍ର ବିବିଧତାର ସୁରକ୍ଷା, ପାରମ୍ପରିକ ଜ୍ଞାନକୌଶଳ ଉପଯୋଗ କରି ଜୈବସଂପଦର ସଂରକ୍ଷଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଇତ୍ୟାଦି । ଏ ଦିଗରେ ଓଡ଼ିଶା ସରକାର ସଂପୂର୍ଣ୍ଣ ସଚେତନ ଏବଂ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜୈବବିବିଧତା ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ପୁଷାଜୁଲେ ମେକ୍ରୋ ସ୍ୱାଗତ ଭାଷଣରେ କହିଛନ୍ତି ଯେ ଓଡ଼ିଶାରେ ପାଖାପାଖି ୫୧୭୪ ପ୍ରଜାତିର ଉଦ୍ଭିଦ ଓ ୩୭୨୮ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି । ଏଥି ମଧ୍ୟରୁ ପାଖାପାଖି ୧୫୩ ପ୍ରଜାତିର ଉଦ୍ଭିଦ ଓ ୬୫ ପ୍ରଜାତିର ପ୍ରାଣୀ ସଙ୍କଟାପନ୍ନ ଅଟନ୍ତି । ସାମୁଦି୍ରକ କଇଁଛ, ୩ ପ୍ରାଜାତିର କୁମ୍ଭୀର, ୫୫୦ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ହେନ୍ତାଳ, ବୃକ୍ଷଲତା, କୃଷ୍ଣସାର ମୃଗ, ସ୍କିମର ପକ୍ଷୀ, ନୀଳରକ୍ତ କଙ୍କଡ଼ା ଏବଂ ବିଭିନ୍ନ ପ୍ରଜାତିର ଅର୍କିଡ୍‌ ଓ ମାଂସାସୀ ଉଦ୍ଭିଦ ଆମ ରାଜ୍ୟର ଅନନ୍ୟ ଜୈବସଂପଦ ବୋଲି ସେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଜୈବବିବିଧତାର ପୁନଃସ୍ଥାପନ ପାଇଁ ଚୁକ୍ତିନାମା ଓ କାର୍ଯ୍ୟକାରିତା ।

ଏହି ଦିବସ ପାଳନ ଅବସରରେ ଅତିଥିମାନେ ‘ମ୍ୟାଜିକାଲ୍‌ ବାୟୋଡାଇଭର୍ସିଟି ଅଫ୍‌ ମହେନ୍ଦ୍ରଗିରି ହିଲସ୍‌: ଦି ପ୍ରାଇଡ୍‌ ଅଫ୍‌ ଇଷ୍ଟର୍ଣ୍ଣ ଘାଟସ୍‌ ଅଫ୍‌ ଇଣ୍ଡିଆ’, ‘ଇରାୱାଡ଼ି ଡଲ୍‌ଫିନ୍ସ: ସ୍ପେସିସ୍‌ ଆଟ୍‌ ଦି କ୍ରସ୍‌ରୋଡ୍’, ‘ଦି ଆକଫିଭିଟି ରିପୋର୍ଟ ଅଫ୍‌ ଦି ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡ’, ‘ହ୍ୟାଣ୍ଡଲିଂ ଆଣ୍ଡ ରିଲିଜିଂ ଅଫ୍‌ ପ୍ରୋବ୍‌ଲେମାଟିକ୍‌ ଆନିମଲସ୍‌’ ପୁସ୍ତକ ସହ ‘ଦି ଟେଲସ୍‌ ଅଫ୍‌ ଗନ୍ଧମାର୍ଦ୍ଦନି’ ଶୀର୍ଷକ ଏକ ଦୃଶ୍ୟ-ଶ୍ରାବ୍ୟ ଡକୁମେଣ୍ଟାରୀ ଲୋକାର୍ପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଆଦିତି ଭୂୟାଁ ଜୈବବିବିଧତା ଉପରେ ସୁନ୍ଦର ବକ୍ତବ୍ୟ ରଖି ଉଚ୍ଚପ୍ରଶଂସିତ ହୋଇଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପ୍‌ଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଯୋଗଦେଇଥିଲେ ।

ଜୈବବିବିଧତା ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ରାଜ୍ୟର ୨୭ଟି ଜିଲ୍ଲାରୁ ଜୈବବିବିଧତା ପରିଚାଳନା ସମିତିର ସଦସ୍ୟସଦସ୍ୟା, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments