Monday, May 20, 2024
Homeଅନ୍ୟାନ୍ୟଶ୍ରୀଜିଉଙ୍କୁ ଶୋଇବାକୁ ଦେଉନାହାନ୍ତି ସେବାୟତ!

ଶ୍ରୀଜିଉଙ୍କୁ ଶୋଇବାକୁ ଦେଉନାହାନ୍ତି ସେବାୟତ!

ଭୁବନେଶ୍ବର: ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ବଡ଼ଠାକୁରଙ୍କ ନୀତିକାନ୍ତି ସଠିକ୍ ସମୟରେ ଶେଷ ହୋଇପାରୁ ନାହିଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଳମ୍ବ ହେଉଥିବାରୁ ସାଧାରଣ ଦର୍ଶକମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ରହୁଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏଥି ପାଇଁ ଅଧିକ ହଇରାଣ ହେବାକୁ ପଡୁଛି। ସେମାନଙ୍କ ସମୟସାରଣୀ ପ୍ରଭାବିତ ହେଉଛି। ଲକ୍ଷ୍ୟ ପଥଭ୍ରଷ୍ଟ ହେଉଛି। ନୀତିକାନ୍ତି ବିଳମ୍ବ ଯୋଗୁଁ ବିଳମ୍ବିତ ରାତିରେ ପହୁଡ଼ ପଡୁଛି। ଏପରିକି ରାତି ୧୧ଟାରେ ଯେଉଁ କାମ ଶେଷ ହେବା କଥା ତାହା ଭୋର ସକାଳୁ ସଂପନ୍ନ ହେଉଛି। ମୋଟାମୋଟି ଭାବେ କହିବାକୁ ଗଲେ ସେବାୟତମାନଙ୍କ ପାଇଁ ଶ୍ରୀଜିଉମାନେ ଅନିଦ୍ରା ରହୁଛନ୍ତି।

ମାସକ ପରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ବାରମ୍ବାର ନୀତି ବିଭ୍ରାଟ ହେଉଛି । ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଗତ ଶୁକ୍ରବାର ଦିନ ଭୋର ୪ଟାରେ ପହୁଡ଼ ପଡ଼ିଥିଲା। ତେଣୁ ଶନିବାର ଦିନ ଦୁଇ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହୋଇଥିଲା। ଦ୍ବରଫିଟା ନୀତି ବିଳମ୍ବରେ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କୁ ଟାଣ ଖରା ଓ ଗୁଳୁଗୁଳିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଆରମ୍ଭ କରି ମରିଚିକୋଟ ଛକ ଯାଏଁ ଭକ୍ତମାନେ ଲମ୍ବାଲାଇନରେ ଛିଡ଼ା ହୋଇଥିଲେ।

ଜଗାଦର୍ଶନ ପାଇଁ ଦୀର୍ଘ ସମୟ ଅପେକ୍ଷା

ଦୂରଦୂରାନ୍ତରୁ ଜଗାଦର୍ଶନ ପାଇଁ ଧାଇଁ ଆସିଥିବା ଭକ୍ତମାନେ ନୀତି ବିଳମ୍ବ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ସକାଳ ୫ଟାରେ ଦର୍ଶନ ପାଇଁ ଆଶା କରିଥିବା ଭକ୍ତମାନେ ୮ଟାରେ ଦର୍ଶନ କରିଥିଲେ। ଭକ୍ତମାନଙ୍କୁ ଖାଲିପାଦରେ ବଡଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ଭିଡକୁ ନିୟନ୍ତ୍ରଣ ପାଇଁ ପୁରୀ ଏସପି ଦଫା ଦଫା କରି ଭକ୍ତଙ୍କୁ ବ୍ୟାରିକେଡରେ ଦର୍ଶନ ପାଇଁ ଛାଡୁଥିଲେ। କେବଳ ଭକ୍ତିରେ ଥିବା ଯୋଗୁଁ ପୀଡ଼ା ଓ ଯନ୍ତ୍ରଣାକୁ ସେମାନେ ହାଲୁକା ଭାବରେ ନେଇଥିଲେ। ପ୍ରଶାସନିକ ଦୁର୍ବଳତା ଓ ସେବାୟତଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଥିଲେ।    

କାର୍ଯ୍ୟକାରୀ ହେଉନି ନିଷ୍ପତ୍ତି

ଶ୍ରୀମନ୍ଦିର ନୀତିକାନ୍ତି ବିଳମ୍ବ ହେଲେ କେବଳ ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେଉନି, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତିରେ ବାରମ୍ବାର ବିଳମ୍ବ ହେବା କାରଣରୁ ୨୦୨୧ ସେପ୍ଟେମ୍ବର ୨୧ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଆଉ ନୀତି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଦୈନିକ ସାଢ଼େ ୪ଟାରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୧୧ଟାରେ ପହୁଡ଼ ହେବ। ଯିଏ ବି ନୀତି ବିଳମ୍ବ କରିବ, ପୂର୍ବ ନିଷ୍ପତ୍ତିକ୍ରମେ ସେମାନଙ୍କ ବିରୋଧ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାଳିଆ ପୁରସ୍କାରକୁ କାଟି ଦିଆଯିବ। ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଛତିଶାନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ନୀତି ସମ୍ପୃକ୍ତ ବିଭିନ୍ନ ନିଯୋଗର ସଦସ୍ୟ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।  

ଲିଙ୍ଗରାଜ ମନ୍ଦିରରେ ବି ଅବ୍ୟବସ୍ଥା

ପ୍ରଭୁଙ୍କ ସେବା କାର୍ଯ୍ୟରେ ଅନିଚ୍ଛା ହେଉ ଅଥବା ସରକାର ତଥା ପ୍ରଶାସନ ତରଫରୁ ଦାବି ମୁତାବକ ପ୍ରୋତ୍ସାହନ ନମିଳିବାକୁ ନେଇ ସେବାୟତମାନେ ନୀତିନିର୍ଘଣ୍ଟରେ ବିଳମ୍ବ କରୁଛନ୍ତି। ଏହାର ଫଳ ଭୋଗୁଛନ୍ତି ଠାକରୁ ଏବଂ ତାଙ୍କର ଭକ୍ତ। ଠାକୁରଙ୍କୁ ନୀତିନିର୍ଘଣ୍ଟରେ ବିଳମ୍ବ ହେବା କାରଣରୁ ପହୁଡ଼ ଠିକ୍ ସମୟରେ ପଡ଼ିପାରୁନାହିଁ। ଅନ୍ୟପଟରେ ନୀତି ଠିକ୍ ହିସାବରେ ପରିଚାଳିତ ନହେବା କାରଣରୁ ଭକ୍ତମାନଙ୍କୁ ବଡ଼ଦାଣ୍ଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଶ୍ରୀମନ୍ଦିର ଭଳି ରାଜ୍ୟର ଆହୁରି ଅନେକଗୁଡ଼ିଏ ମନ୍ଦିରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଗତ ଶିବରାତ୍ରୀ ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏଭଳି ଅବ୍ୟବସ୍ଥା ଦେଖାଯାଇଥିଲା। ରାତି ୧୦ଟାରେ ମହାଦୀପ ଉଠାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଘଣ୍ଟା ବିଳମ୍ବରେ ଏହି କାର୍ଯ୍ୟ ସଂପାଦିତ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments