Monday, May 20, 2024
Homeଅନ୍ୟାନ୍ୟନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ୍‌

ନୂତନ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ୍‌

ଭୁବନେଶ୍ୱର, ତା.୨୪.୦୫.୨୦୨୩: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମିଳିତ ଆନୁକୂଲ୍ୟରେ ୨୦୧୯ ବ୍ୟାଚର ନୂତନ ଭାବେ ନିଯୁକ୍ତି ପାଇ ଏକାଡେମୀରେ ତାଲିମ ନେଉଥିବା ୩୧ ଜଣ ଓଏଏସ୍‌ଅଧିକାରୀମାନଙ୍କୁ ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ବିସ୍ତୁତ ଭାବେ ଅବଗତ କରାଇଥିଲେ ।

ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ହୋଇ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ କାର୍ଯ୍ୟଗୁଡ଼ିକ ପରିଚାଳନା କରିବେ ଓ ଏହି ନିର୍ବାଚନ ସଂପର୍କିତ ତାଲିମ କାର୍ଯ୍ୟକ୍ରମ ଦୁଇଦିନ ଧରିଚାଲିବ ଏବଂ ଏଥିରୁ ସବିଶେଷ ଜ୍ଞାନ ଆହରଣ କରି ଯୁବ ଅଧିକାରୀମାନେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି । ପ୍ରଥମ ଦିନରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ପ୍ରାଥମିକ ଭାବେ ଭୋଟର ତାଲିକାରେ ନାମ ପଂଜୀକରଣ, ଭୋଟ ପଂଜୀକରଣ ଅଧିକାରୀ (ଇଆର୍‌ଓ), ଆସିଷ୍ଟାଣ୍ଟ ଭୋଟ ପଂଜୀକରଣ ଅଧିକାରୀ (ଆସିଷ୍ଟାଣ୍ଟ ଇଆର୍‌ଓ) ଏବଂ ବୁଥ୍‌ ଲେବୁଲ୍‌ ଅଧିକାରୀ (ବିଏଲ୍‌ଓ)ଙ୍କ କାର୍ଯ୍ୟ ଏବଂ ଭୋଟର ତାଲିକାର ରୂପରେଖ ସଂପର୍କରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ତାଲିମ ପ୍ରଦାନ କରିଥିବାବେଳେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ନିର୍ବାଚନର ଆଦର୍ଶ ଆଚରଣ ବିଧି, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନବେଳେ ଗଣମାଧ୍ୟମ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରିଛନ୍ତି ।

ସେହିପରି ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ନିର୍ବାଚନବେଳେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଭୋଟରମାନଙ୍କୁ ନିର୍ବାଚନର ବିଭିନ୍ନ କାର୍ଯ୍ୟ ସଂପର୍କରେ ସଚେତନ କରାଇବା (ଏସ୍‌ଭିଇଇପି) ସୁଇପ୍‌ କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଆସନ୍ତାକାଲି ଝାରସୁଗୁଡ଼ାର ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ନିର୍ବାଚନ ନାମାଙ୍କନ ପତ୍ର ଦାଖଲଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଥିବା ବୈଧାନିକ ନିୟମଗୁଡ଼ିକ ସଂପର୍କରେ ତାଲିମ ପ୍ରଦାନ କରିବା ସହ ଝାରସୁଗୁଡ଼ା ବିଧାନସଭା

ନିର୍ବାଚନ ମଣ୍ଡଳୀରେ ସଦ୍ୟ ସମାପ୍ତ ହୋଇଥିବା ଉପନିର୍ବାଚନର ଅନୁଭୂତି ସଂପର୍କରେ ଯୁବ ଅଧିକାରୀମାନଙ୍କୁ ଅବଗତ କରାଇବେ । ସେହିପରି ଅପରାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଓଏସ୍‌ଡିଶ୍ରୀ ଭବାନୀ ପ୍ରସାଦ ରାୟ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମାଧ୍ୟମରେ କିପରି ଭୋଟଗ୍ରହଣ କରାଯାଉଛି ସେ ସଂପର୍କରେ ବିସ୍ତୃତ ତାଲିମ ଦେବେ ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତି, ନିର୍ବାଚନ ପରିଚାଳନା ନିମନ୍ତେ କର୍ମଚାରୀଙ୍କ ତାଲିମ, ଭୋଟ ଗ୍ରହଣ କେନ୍ଦ୍ର, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଯାନ ଓ ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ନିର୍ବାଚନ ସାମଗ୍ରୀଗୁଡ଼ିକ ସଂପର୍କରେ ଯୁବ ଓଏଏସ୍‌ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକଫର ଜେନେରାଲ ରାଜ କୁମାର ଶର୍ମା ଓ ଅତିରିକ୍ତ କମିଶନର ତଥା କୋର୍ସ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments