Thursday, May 9, 2024
Homeଚାଷ ଓ ଚାଷୀକୃଷିଜାତ ସାମଗ୍ରୀର ରପ୍ତାନୀ ୨୩.୨୪ ପ୍ରତିଶତ ବୃଦ୍ଧି

କୃଷିଜାତ ସାମଗ୍ରୀର ରପ୍ତାନୀ ୨୩.୨୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କୃଷିରେ ଆତ୍ମନିର୍ଭରତା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଖୁବ ଗୁରୁତ୍ୱପୂର୍ଣ୍ଣ। କୃଷିଜାତ ସାମଗ୍ରୀ ବିଦେଶକୁ ପଠାଇ ବୈଦେଶିକ ମୁଦ୍ରା ଆହରଣ ଦ୍ଵାରା କୃଷକ, ଉତ୍ପାଦକ ଓ ରପ୍ତାନିକାରୀ ସମସ୍ତେ ଆନ୍ତର୍ଜାତିକ ବଜାର ଜରିଆରେ ସେମାନଙ୍କ ଆୟବୃଦ୍ଧିର ସୁଯୋଗ ପାଉଛନ୍ତି। ରପ୍ତାନୀ ଯୋଗୁଁ କୃଷି ଉତ୍ପାଦନ ଓ ଉତ୍ପାଦକତାରେ ମଧ୍ୟ ବୃଦ୍ଧି ଘଟିଛି।

ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ ୨୦୧୭ରେ ୨.୨୭ ପ୍ରତିଶତ ଥିବା ବେଳେ ଆମଦାନୀ ୧.୯୦ ପ୍ରତିଶତ ଥିଲା। ଏପରିକି ବୈଶ୍ଵିକ ମହାମାରୀର ଲକ୍‌ଡାଉନ୍‌ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ୨୫୫୫୨.୭ କୋଟି  ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ୨୦୭୩୪.୮ କୋଟି ଟଙ୍କା ଆୟ ହୋଇଥିଲା। ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ ୨୩.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

୨୦୧୭-୧୮ ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି ୯.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୯.୯କୁ ବୃଦ୍ଧି ପାଇଥିଲା। କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ ୫.୭ ପ୍ରତିଶତରୁ ୪.୯ ପ୍ରତିଶତକୁ ହ୍ରାସ ପାଇଥିଲା। ଏଥିରୁ ରପ୍ତାନୀ ବାବଦ ଅଧିକ ଲାଭ ମିଳିଥିବା ବେଳେ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି।

ଗହମ ଉତ୍ପାଦନରେ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହାର ସ୍ଥାନ ୩୪ରେ ରହିଛି। ସେହିପରି ପନିପରିବା ଉତ୍ପାଦନରେ ଭାରତ ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୧୪ତମ ସ୍ଥାନରେ ରହିଛି। ଫଳ ଉତ୍ପାଦନରେ ମଧ୍ୟ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୨୩ତମ ସ୍ଥାନରେ ରହିଛି। କୃଷିରେ ଅନ୍ୟାନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପଡ଼ିବ।

କୃଷି ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ରପ୍ତାନୀ ବୃଦ୍ଧି ଫୋରମ ମାନ ସୃଷ୍ଟି କରାଯାଇଛି। ଏଗୁଡିକ କୃଷି ରପ୍ତାନୀ ବୃଦ୍ଧିରେ ସହାୟକ ହେବେ। ରପ୍ତାନୀ ବୃଦ୍ଧି ଫୋରମ ୮ଟି କୃଷି ଓ କୃଷିଜାତ ସାମଗ୍ରୀ ଯଥା ଅଙ୍ଗୁର, ଆମ୍ବ, କଦଳୀ, ପିଆଜ, ଚାଉଳ, ସୋୟାବିନ, ଡାଳିମ୍ବ ଏବଂ ଫୁଲ ଚାଷ ଇତ୍ୟାଦି ପାଇଁ ଏପିଇଡିଏ ଅଧୀନରେ ଏକ ଯୋଜନା ପ୍ରସ୍ତୁତ କରିଛି। ଏପିଇଡିଏର ଅଧ୍ୟକ୍ଷ ଏହି ଫୋରମଗୁଡିକର ଅଧ୍ୟକ୍ଷ ଭାବେ କାର୍ଯ୍ୟ ମଧ୍ୟ କରିବେ। ପ୍ରତି ଦୁଇ ମାସରେ ଫୋରମର ବୈଠକମାନ ଅନୁଷ୍ଠିତ ହୋଇ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବୈଠକରେ ସୁପାରିଶ କରିପାରିବେ। କୃଷି ମନ୍ତ୍ରଣାଳୟ ସମେତ ଏଥିସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବିଭାଗଗୁଡିକ ସହ ଫୋରମ ପକ୍ଷରୁ ସମନ୍ଵୟ ରକ୍ଷା କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments