Thursday, May 9, 2024
Homeଚାଷ ଓ ଚାଷୀକୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା

କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା

ସବୁଜ ସାର ଭାବରେ ରାଜ୍ୟରେ ଧଣିଚା ଚାଷକୁ ବ୍ୟାପକ କରାଯାଇ କୃଷି ଉତ୍ପାଦନକୁ ବୃଦ୍ଧି କରାଯିବ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ
ଭୁବନେଶ୍ୱର, ୧୦/୦୫/୨୦୨୩
ଚଳିତ ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ଠିକ୍‌ ସମୟରେ ଆବଶ୍ୟକ ପରିମାଣର ବିହନ ଓ ସାର ଅନ୍ୟ କୃଷି ସାମଗ୍ରୀ ଯୋଗାଇଦେବା ସହିତ ସବୁଜ ସାର ଭାବରେ ରାଜ୍ୟରେ ଧଣିଚା ଚାଷକୁ ବ୍ୟାପକ କରାଯାଇ କୃଷି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମଇ ମାସ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାକୁ ଧଣିଚା ବିହନ ଯୋଗାଇଦେବାକୁ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।


ଆଜି କୃଷି ଭବନଠାରେ ଆୟୋଜିତ ଏବଂ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଓଡ଼ିଶାରେ ଚଳିତ ବର୍ଷ ରେକର୍ଡ ୧୩ ଲକ୍ଷ ୭୦ ହଜାର ମେଟି୍ରକ୍‌ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାରୁ ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଯୋଗାଇ କ୍ଷେତ୍ରରେ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ଏବଂ ଅସାଧୁ ଡିଲର ଓ କର୍ମଚାରୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁକହିଥିଲେ ।

ଏଥି ପାଇଁ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ବିହନକୁ ଠିକ୍‌ ସମୟରେ ଉପଲବ୍ଧ କରାଇବା ଦିଗରେ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ ଆଗୁଆ ବୁକିଂର ବ୍ୟବସ୍ଥା ରହିଛି । ରାଜ୍ୟରେ ଅଣଧାନ ଚାଷକୁ ଚାଷୀଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଡାଲି, ତୈଳବୀଜ, ମକା, ଝୋଟ ଓ .. ଆଦି ଚାଷ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱରୋପ କରିଥିଲେ । ଏଥି ସହିତ ଡ୍ରୋନ ମାଧ୍ୟମରେ କୀଟନାଶକ ଓ ତରଳ ସାର ପ୍ରୟୋଗକୁ ଅଗ୍ରାଧିକାର ଦେବା ପାଇଁ ଅଧିକାରୀମାନଙ୍କୁ ପରାମଶଁ ଦେଇଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଆଗାମୀ ବୈଠକରେ ସମ୍ବର୍ଦ୍ଧିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ସଂପ୍ରତି କୃଷି ଯାନ୍ତ୍ରିକୀକରଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ରୂପେ ପରିଗଣିତ ହୋଇପାରିଛି । ନାନୋ ୟୁରିଆର ବ୍ୟବହାରିତାକୁ ଦେଖି ଚାଷ କ୍ଷେତ୍ରରେ ତାହାର ପ୍ରୟୋଗକୁ ବ୍ୟାପକ କରିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ । ଆବଶ୍ୟକତାଠାରୁ ଅଧିକ ପରିମାଣର କୀଟନାଶକ ପ୍ରୟୋଗକୁ ରୋକିବା ଦିଗରେ ସରକାରୀ ସ୍ତରରେ ଏକ ବିଧିବଦ୍ଧ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଡ. ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଜୁନ ୫ ତାରିଖରେ ଏକ ରାଜ୍ୟ ସ୍ତରୀୟ ମେଳା ଆୟୋଜନ କରି ପରୀକ୍ଷିତ ମାଟି ନମୁନାର ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ କହିଥିଲେ ।


ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୃତ୍ତିକା ପରୀକ୍ଷଣ, ଜଳନିଧି-୧, ଆର୍‌ଆଇଏଫ୍‌ ଜଳନିଧି-୨ ଓ ସୌର ଜଳନିଧି ଆଦି ଯୋଜନା ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments