Monday, May 20, 2024
Homeଅନ୍ୟାନ୍ୟପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪ର୍ଥ ଥର ପାଇଁ ଓଡ଼ିଶା ଅଗ୍ରଣୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪ର୍ଥ ଥର ପାଇଁ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  କାର୍ଯ୍ୟାନ୍ୱୟନରେ  ଓଡ଼ିଶା ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ଅଗ୍ରଣୀ ସ୍ଥାନରେ  ରହିଥିବା ଜାତୀୟ ପୋର୍ଟାଲ୍ ତଥ୍ୟରୁ ଜଣାପଡ଼ିଛି।  ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ୱର ସ୍ଥାନ ବଜାୟ ରଖିଛି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରୁ ଏହା ଜଣାପଡ଼ିଛି।

ରାଜ୍ୟ ଲୋକସେବା ଭବନରୁ ‘ଡିଜିଟାଲ୍ ମୋଡ୍’ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାରେ ପିଏମ୍‌ଜିଏସ୍‌ଓ୍ୱାଇର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ସମ୍ୱନ୍ଧିତ ସଦ୍ୟତନ ତଥ୍ୟ ସହ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଆର୍ଥିକ ଓ ବୈଷୟିକ  ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଗ୍ରାମ ରାସ୍ତା ସଂଯୋଗୀକରଣରେ ପ୍ରସ୍ତାବ ଗୁଡିକର ଗୁରୁତ୍ୱ ବିଚାରକରି ପିଏମ୍‌ଜିଏସ୍ଓ୍ୱାଇର ତୃତୀୟ ପର୍ଯ୍ୟାୟରେ ସମୁଦାୟ ୯୪୦୦ କିମି ରାସ୍ତା ନିର୍ମାଣ ନିମନ୍ତେ ବୈଠକରେ ନିତୀଗତ ନିଷ୍ପତ୍ତି ହୋଇଥିଲା। ନିର୍ମାଣର ଗୁଣାତ୍ମକମାନ ଏବଂ ନିର୍ମାଣ ସରିଥିବା ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ। ତୃତୀୟ ପର୍ଯ୍ୟାୟ ରାସ୍ତା ନିର୍ମାଣ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୪-୨୫ ବର୍ଷ ମଧ୍ୟରେ ସାରିବା ପାଇଁ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜଣାଇଥିଲେ ଯେ, ଭୂ-କେନ୍ଦ୍ରିକ ମ୍ୟାପିଂ ମାଧ୍ୟମରେ ରାସ୍ତା ଗୁଡିକର ଅଗ୍ରାଧିକାର ସ୍ଥିର କରାଯାଉଛି। ​ଗୋଟିଏ ରାସ୍ତା କେତେ ଗ୍ରାମକୁ ସଂଯୋଗ କରିବ, ଏହାଦ୍ୱାରା କେତେ ଲୋକ ଉପକୃତ ହେବେ, ରାସ୍ତାଟି କେତେ ହସ୍ପିଟାଲ୍, ବିଦ୍ୟାଳୟ, ଗ୍ରାମୀଣ ବଜାର, ପର୍ଯ୍ୟଟନସ୍ଥଳୀ, ଆଦିକୁ ସଂଯୋଜିତ କରିବ ଏସବୁ କଥା ବିଚାରକୁ ନେଇ ରାସ୍ତାର ନିର୍ମାଣ ଅଗ୍ରାଧିକାର ସ୍ଥିର କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।

ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରଥମ ଦଫାରେ ୧୩ଟି ଜିଲ୍ଲାର ୩୫୦୦ କିମି ରାସ୍ତା ନିର୍ମାଣ ପାଇଁ ୫୧୮ଟି ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ଅନୁଗୁଳ ଜିଲ୍ଲାର ୨୯ଟି ପ୍ରକଳ୍ପ ପ୍ରସ୍ତାବ, ବରଗଡର ୪୧ଟି, ବୌଦ୍ଧର ୧୨ଟି, ଦେବଗଡ଼ର ୧୨ଟି, ଢେଙ୍କାନାଳର ୩୫ଟି, ଗଜପତିର ୪୧ଟି, ଝାରସୁଗୁଡାର ୨୬ଟି, କନ୍ଧମାଳର ୫୭ଟି, କେନ୍ଦୁଝରର ୫୨ଟି, କୋରାପୁଟର ୭୧ଟି, ରାୟଗଡାର ୪୬ଟି, ସୁବର୍ଣ୍ଣପୁରର ୨୮ଟି ଏବଂ ସୁନ୍ଦରଗଡ ଜିଲ୍ଲାର ୬୮ଟି ପ୍ରକଳ୍ପ ପ୍ରସ୍ତାବ ଏହାର ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ସମୁଦାୟ ୨୨୦୫ କୋଟି ଟଙ୍କାର ବ୍ୟୟ ଅଟକଳ  କରାଯାଇଛି ବୋଲି ଗ୍ରାମ ଉନ୍ନୟନ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଶ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ଜଣାଇଥିଲେ। 

ଅବଶିଷ୍ଟ ୧୭ ଟି ଜିଲ୍ଲାର ୫,୯୦୦ କି.ମି. ରାସ୍ତା ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ ସେପ୍ଟେମ୍ୱର ମାସ ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ନିର୍ମାଣ ସମୟରେ ମୁଖ୍ୟ ରାସ୍ତାକୁ ନିକଟବର୍ତ୍ତୀ ଗ୍ରାମ ଓ ଅନୁଷ୍ଠାନଗୁଡିକ  ସହ ସଂଯୋଗ କରିବା ନିମନ୍ତେ ଲିଙ୍କ୍ ରାସ୍ତା ବା ପୋଲ ନିର୍ମାଣ କରିବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନାରେ  ରାସ୍ତା ଓ  ପୋଲ ଆଦି  ନିର୍ମାଣ ପାଇଁ କେନ୍ଦ୍ରର ସରକାର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ  ଅର୍ଥ  ଯୋଗାଇବେ ବୋଲି  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ  ଜେନା  କହିଥିଲେ ।

ଗ୍ରାମ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସୁଦର୍ଶନ ପରିଡ଼ା ଜଣାଇଥିଲେ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ୫,୩୦୦୦ କିମି ରାସ୍ତା ନିର୍ମାଣ ହୋଇଛି ଯାହାକି ଜାତୀୟ ପୋର୍ଟାଲ୍‌ର ତଥ୍ୟ  ଅନୁସାରେ ସବୁ ରାଜ୍ୟଠାରୁ ଅଧିକ। ସେହିପରି ଗତ ୨୦୧୬-୧୭, ୨୦୧୭-୧୮  ଏବଂ  ୨୦୧୮-୧୯ ବର୍ଷରେ ରାଜ୍ୟ ସର୍ବାଧିକ କିମି ରାସ୍ତା ନିର୍ମାଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା।    

ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି, ପିଏମ୍‌ଜିଏସ୍‌ଓ୍ୱାଇର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ  ସମୁଦାୟ ୬୦,୩୩୪ କିମି ରାସ୍ତା ଏବଂ ୫୭୪ଟି ପୋଲ ନିର୍ମାଣ ହୋଇଛି। ଏ ସବୁ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରାୟ ୨୫,୬୮୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।

ଉନ୍ନୟନ କମିଶନର ଶ୍ରୀ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପୂର୍ତ୍ତ ସଚିବ କ୍ରିଷନ୍ କୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments